ଆଜିଠୁ କାଳବୈଶାଖୀ ବର୍ଷା ହେବା ସମ୍ଭାବନା…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜିଠାରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଫଳର ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାସହ ଉପକୂଳ ଓ ଆଭ୍ୟନ୍ତରିଣ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୂଚନା ଦେଇଛି । ୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସ୍ଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ ପବନ ବେଗ ୪୦-୫୦ କିମି ରହିବ । ଗଜପତି, ନୟାଗଡ଼, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ଓ କଟକ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ମଧ୍ୟ ସାମାନ୍ୟ ବର୍ଷା ସହ ଘଡ଼ଘଡ଼ି ମାରି ପାରେ ବୋଲି କୁହାଯାଇଛି । ଚଳିତ ବର୍ଷ ଏପ୍ରିଲ, ମେ’, ଜୁନରେ ସ୍ୱାଭାବିକ ଠାରୁ ଅଧିକ ତାତି ରହିପାରେ । ଏହାସହ ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଅଧିକ ରହିପାରେ । ତେଣୁ ଗ୍ରୀଷ୍ମପ୍ରବାହ ପାଇଁ ଲୋକେ ସତର୍କ ରହିବାକୁ IMD ଡିଜି ସତର୍କ କରାଇ ଦେଇଛନ୍ତି ।