ଆଇନଜୀବୀ ଅମରେଶ ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ସ୍ମରଣୀକା “ପ୍ରତିଭୂ” ଓ ଡାକ ଟିକଟ ଉନ୍ମୋଚନ

ଛତ୍ରପୁର(ସମୃଦ୍ଧ ଓଡିଶା)ବରିଷ୍ଠ ଅଧିବକ୍ତା ଶ୍ରୀ ଅମରେଶ ପ୍ରସାଦ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ଅବସରରେ ସ୍ମରଣୀକା “ପ୍ରତିଭୂ” ଏବଂ ମୋ-ଡାକ ଟିକଟ ଉନ୍ମୋଚନ ହୋଇଛି । ଏହି ଆନୁଷ୍ଠାନିକ ସ୍ମୃତି ସାମାରୋହରେ ମାନ୍ୟବର ରାଜ୍ୟ ଇସ୍ପାତ,ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟଅତିଥୀ ଭାବେ ଯୋଗଦେଇ ଏହି ଆନୁଷ୍ଠାନିକ ଉନ୍ମୋଚନ କାର୍ଯ୍ୟକ୍ରମରେ ପତ୍ରିକା ଓ ତାଙ୍କ ଡାକ-ଟିକଟ ଉନ୍ମୋଚନ କରି ଅମରେଶ ବାବୁଙ୍କ ପିଲାବେଳର ବନ୍ଧୁ, ତାଙ୍କ ଆଦର୍ଶତା ଉପରେ ପ୍ରତିପାଦନ କରି ତାଙ୍କ ପରିବାରବର୍ଗଙ୍କୁ ସାଧୁବାଦ ଜଣାଇଥିଲେ । ବିଶିଷ୍ଟ ଅତିଥୀ ହକି ତାରକା ଦିଲୀପ ତିର୍କୀ, ରାଜ୍ୟ କୃଷିବିପଣନ ପରିଷଦର ସଦସ୍ୟ ତଥା ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ,ଏନ୍.ନାରାୟଣ ରେଡ୍ଡୀ, ଛତ୍ରପୁର ବାର ସଭାପତି ପ୍ରଦୀପ କୁମାର ପାଢୀ, ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀ, ସାହିତ୍ୟିକ ବ୍ରଜମୋହନ ଆଚାର୍ଯ୍ୟ, ଡ଼ଃ.ରାଜେନ୍ଦ୍ର ଦାଶ୍ ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ୱର୍ଗତ ଅମରେଶ ମିଶ୍ରଙ୍କର ଉତ୍ତମଗୁଣ ଆଚରଣ ଉପରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମାଙ୍କ ସଦଗତି କାମନା କରି ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅମରେଶ ବାବୁଙ୍କ ଉପରେ ଆଧାରୀତ ବହୁ କବି କବିତା ଆବୃତ୍ତି କରିଥିଲେ । ଅମରେଶ ମିଶ୍ରଙ୍କ ସ୍ମୃତିରକ୍ଷା ନିମନ୍ତେ ସହରରେ ଯେକୌଣସି ସ୍ଥାନରେ ତାଙ୍କରି ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ମତ ପ୍ରକାଶ ପାଇଛି । ଅମରେଶ ବାବୁ ଜଣେ ଓଡ଼ିଆପ୍ରାଣର ସ୍ୱାଭିମାନର ଵ୍ୟକ୍ତିତ୍ୱ ବୋଲି ଡ଼ଃ.ଭି.ରାଜେନ୍ଦ୍ର ରାଜୁ, ବରେଣ୍ୟକବି ପ୍ରଶାନ୍ତ ଶତପଥୀ, ବ୍ରହ୍ମପୁରରୁ ଆସିଥିବା ବହୁ କବି ଓ ସାହିତ୍ୟିକ ମତପ୍ରକାଶ କରିଥିଲେ । ବିଘ୍ନେଶ୍ୱର ସାହୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା