ନ୍ୟାୟ ପାଇଁ ଅସହାୟ ବିଧବା ବୃଦ୍ଧା ଜୁଲି ଦଣ୍ଡସେନା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବେଳାଭୂମି ସହର ଗୋପାଳପୁର ଏନ.ଏ.ସି. ଅନ୍ତର୍ଗତ ୬ନମ୍ବର ୱାର୍ଡ ଅଞ୍ଚଳରେ ରହୁଥିବା ଜନୈକ ବିଧବା ବୃଦ୍ଧା ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ସେ ରହୁଥିବା ଘରର ଆବଶ୍ୟକୀୟ କାଗଜ ପତ୍ର, ଘରର ପଟ୍ଟା-ଡକ୍ୟୁମେଣ୍ଟସ, ରାଶନ କାର୍ଡ, ରନ୍ଧନ ଗ୍ୟାସ କାର୍ଡ, ବଣ୍ଡ-କାଗଜ ପତ୍ର ଆଦି ବୃଦ୍ଧାଙ୍କ ଅନୁପସ୍ଥିତର ସୁଯୋଗ ନେଇ ଟ୍ରଙ୍କ ପେଢି ଭାଙ୍ଗି ଜବରଦସ୍ତ ଛଡାଇ ନେଇ ଯାଇଛନ୍ତି । ବୃଦ୍ଧାଙ୍କ ନାମ ଜୁଲି ଦଣ୍ଡସେନା, ବୟସ ପ୍ରାୟ ୬୨, ନିଜ ପୁଅ ଗୁଜୁରାଣ ମେଣ୍ଟାଇବା ପାଇଁ ବାହାର ରାଜ୍ୟକୁ କେଉଁଆଡେ ଯାଇଥିବା ବେଳେ ବୃଦ୍ଧାଙ୍କ ନିଜ ବୋହୂ ବିଧବା ବୃଦ୍ଧାଙ୍କୁ ଘରୁ ବାହାର କରି ଦେଇଛନ୍ତି । କୌଣସି ଯୁକ୍ତି ଓ ଆପତ୍ତି କଲେ ଜୀଵନରେ ମାରିଦେବାର ଭଳି ବୃଦ୍ଧାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଦୀର୍ଘଦିନର ଏଭଳି ଦୁର୍ଦ୍ଦଶା ଭୋଗୀଥିବା ଏହି ବୃଦ୍ଧା ନିଜ ଅଞ୍ଚଳର ଭଦ୍ରମଣ୍ଡଳୀଙ୍କ ସହଯୋଗ ନେଇଥିଲେ, ପରେ ନିକଟସ୍ଥ ଏନଏସି ଅଧିକାରୀ ଓ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ, ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶେଷରେ ଗତ ଦୁଇଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗତକାଲି ଜିଲ୍ଲାପାଳଙ୍କୁ ଭେଟିଥିଲେ । ନିଜ ପାରିଶ୍ରମିକ ଖର୍ଚ୍ଚ ସହ ବ୍ୟାଙ୍କ ଋଣ ଏବଂ ସରକାରଙ୍କ ଅନୁଦାନରେ ହୋଇଥିବା ଆବାସ ଯୋଜନାରେ କରିଥିବା ଘର ଖଣ୍ଡିକ ନିଜ ବୋହୁ ଦଖଲ କରିନେଇଛି ଏବଂ ବୋହୂ ଜବତ କରିଥିବା ସମସ୍ତ ଆବଶ୍ୟକୀୟ କାଗଜପତ୍ର ତାଙ୍କୁ ଫେରାଇ ଦେବାକୁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ପରିଣତ ବୟସରେ ବି ନିଜ ପେଟ ଚଳିବା ପାଇଁ ପରିଶ୍ରମ କରୁଥିବା ବୃଦ୍ଧା ଜଣକ ନିଜର ସୁରକ୍ଷା ସହ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ବିନତୀ କରିଛନ୍ତି । ଖୁବ ଶୀଘ୍ର ବୃଦ୍ଧାଙ୍କୁ ଉଚିତ ନ୍ୟାୟ ମିଳିବା ହିଁ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା