ଅଶ୍ୱତଥ ବୃକ୍ଷ ପୂଜନର ମହତ୍ୱ…

ଦ୍ୱାପର ଯୁଗର ଅବସାନ ପରେ
କଳି ଯୁଗର ଉତ୍ପତ୍ତି,
କଳୁହା ମଣିଷ ଜନମିବେ ଯୁଗେ
ପଡିବ ନିଶ୍ଚେ ବିପତ୍ତି ।

ଆଜକୁ ପାଞ୍ଚ ହଜାର ବର୍ଷ ପୂର୍ବେ
କଳି ଯୁଗର ଆରମ୍ଭ,
ଖ୍ରୀ:ପୂ ତିନି ହଜାର ବର୍ଷ ତଳେ
ହୋଇଥିଲା ଯେ ଆରମ୍ଭ ।

ସୃଷ୍ଟି କର୍ତ୍ତା ବ୍ରହ୍ମା ସୃଷ୍ଟି କରିଥିଲେ
ମଣିଷ ସଙ୍ଗରେ ବୃକ୍ଷ,
ଜୀବ ଜଗତରେ ଶ୍ରେଷ୍ଠ ଜୀବ ବୋଲି
କରେ ଅନ୍ୟକୁ କଟାକ୍ଷ ।

ପ୍ରକୃତିର ନୀତି ନିୟମ ନମାନି
କରେ ସବୁ ନଷ୍ଟ ଭ୍ରଷ୍ଟ,
ବୁଦ୍ଧିମାନ ବୋଲି ନିଜକୁ ଭାବିଣ
ଜୀବନକୁ ଦିଏ କଷ୍ଟ ।

ପ୍ରକୃତିର କୋଳେ ଛୋଟରୁ ବଢଇ
ତା ପାଣି ପବନ ଖାଇ,
ତଥାପି ମନୁଷ୍ୟ ଏଡ଼େ ଅଵିଵେକୀ
ବୁଦ୍ଧି ଶୁଦ୍ଧି କିଛି ନାହିଁ ।

ମନୁଷ୍ୟ ଚଳିବା ନିମନ୍ତେ ପ୍ରକୃତି
ରଖିଛି କେତେ ସମ୍ପଦ,
ସେହି ସମ୍ପଦକୁ ଯତନ କରିଲେ
ହେବ ଅମୁଲ୍ୟ ସମ୍ପଦ ।

ଭାରତ ଦେଶରେ ଜନମ ଆମରି
ଭାରତ ଆମରି ମାଆ,
ଦେବତାର ଭୂମି ପବିତ୍ର ଅଟଇ
ରଖିବା ତାହାରି ନାଆଁ ।

କୃଷ୍ଣ ବଳରାମ ରାମ ଯେ ଲକ୍ଷ୍ମଣ
ଜନମି କେତେ ଦେବତା,
ଦେବତ୍ୱର ଭୂମି ନାମ ଯେ ପଡଇ
କରନ୍ତି ଯେ ପବିତ୍ରତା ।

ଭାରତୀୟ ଲୋକ ଆଧ୍ୟତ୍ମିକ ଜ୍ଞାନେ
ବିଶ୍ୱାସ କରନ୍ତି ମନେ,
ଅଗାଧ ବିଶ୍ୱାସ ରଖିଣ ପୂଜିଲେ
ହୃଦେ ବଢେ ଦିବ୍ୟଜ୍ଞାନେ ।

ଆମରି ଧର୍ମ ହିନ୍ଦୁ ଧର୍ମ ଅଟଇ
ପାଳିବା ନୀତି ନିୟମ,
ଧର୍ମ ରକ୍ଷକ ହୋଇ ଭକ୍ଷକ ନହେବା
ରଖିବା ଧର୍ମର ନାମ ।

ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ହୋଇଛି
ବୃକ୍ଷକୁ ଦେବତା ବୋଲି,
ପ୍ରକୃତିର ଦାନ ବୃକ୍ଷ ଲତାର
ପୂଜାକୁ ଯିବାନି ଭୁଲି ।

ଅଶ୍ୱତଥ ବୃକ୍ଷ ଦେବତାର ବୃକ୍ଷ
ଶାସ୍ତ୍ରେ ରହିଛି ପ୍ରମାଣ,
ହୃଦୟ ମଧ୍ୟରେ ଭକ୍ତିରେ ପୂଜିଲେ
ଖୁସିଥାନ୍ତି ଭଗବାନ ।

ଅଶ୍ୱତଥ ମୂଳେ ଭଗବାନ ବିଷ୍ଣୁ
ଶାଖା ମଧ୍ୟେ ନାରାୟଣ,
ଗଣ୍ଡି ମଧ୍ୟେ କୃଷ୍ଣ ପତ୍ରରେ ଯେ ହରି
ଫଳେ ଦେବାଦେବୀ ପୁଣ ।

ଅପୁତ୍ରିକ ନାରୀ ଏ ବୃକ୍ଷ ପୂଜିଲେ
ପୁତ୍ରବତୀ ହୋଇଥାଏ,
ଭକ୍ତିରେ ପୂଜିଲେ ଭକ୍ତି ଅର୍ଘ୍ୟ ଦେଇ
ଜ୍ଞାନ ବୃଦ୍ଧି ପାଇଥାଏ ।

ମଣିଷ ଜୀବନେ ଶେଷ ମୁହୂର୍ତ୍ତରେ
ସ୍ୱାସ୍ଥ୍ୟ ସମସ୍ୟା ହୋଇଲେ,
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ସହ
ବୃକ୍ଷକୁ ପୂଜିବ ଭଲେ ।

ଅନ୍ତର ମଧ୍ୟରେ ପୂଜା ଯେ କରିଲେ
ସ୍ୱାସ୍ଥ୍ୟ ଭଲ ରହିଥାଏ,
ଗ୍ରହ ରିଷ୍ଟଦୋଷ ଖଣ୍ଡନ ହୋଇଣ
ଭଲ ଅବସ୍ଥା ରହିଥାଏ ।

ଅଶ୍ୱତଥ ବୃକ୍ଷ ଧର୍ମ, ଅର୍ଥ, କାମ
ମୋକ୍ଷର ଅଟେ ପ୍ରତୀକ,
ଏହି ବୃକ୍ଷକୁ କରିଲେ ଯେ ରୋପଣ
ମୋକ୍ଷ ପାଆନ୍ତି ଅନେକ ।

ଉକ୍ତ ବୃକ୍ଷ ମୂଳେ ଜପ, ହୋମ, ତପ
ଦେବ ଆରାଧନା ଯଂଜ୍ଞ,
ହୃଦୟ କରିଲେ ଫଳ ପ୍ରାପ୍ତି ହେବ
କହନ୍ତି ପଣ୍ଡିତ ବିଜ୍ଞ ।

ବିଜ୍ଞାନ କହଇ ଅମ୍ଳଜାନ ଗ୍ୟାସ
ବେଶି ଦିଏ ଏହି ବୃକ୍ଷ,
ବାୟୁମଣ୍ଡଳକୁ ବିଶୁଦ୍ଧ କରାଏ
ଜୀବନ ରଖେ ପରୋକ୍ଷ ।

ସୁସ୍ଥ ପରିବେଶ ଗଠନ ପାଇଁକି
ବୃକ୍ଷ ରୋପଣ କରିଣ,
ନିଜ ପରିବେଶ ସାଇତି ରଖିବା
ଅମୁଲ୍ୟ ରତ୍ନ ଭାବିଣ ।

ଆଜି ସେ ସମୟ ହୋଇଛି ଆଗତ
ଆମ୍ଭେ ସବୁ ଏକ ହୋଇ,
ବୃକ୍ଷ ରୋପଣ ଯେ କରିବା ଜଗତେ
ପରିବେଶ ରକ୍ଷା ପାଇଁ ।

ଜଙ୍ଗଲ ସମ୍ପଦ ଅମୁଲ୍ୟ ସମ୍ପଦ
ପୃଥିବୀ ସନ୍ତୁଳନ ପାଇଁ,
ପ୍ରାକୃତିକ ସମ୍ପଦର ସୁରକ୍ଷା କର
ବିଳମ୍ବ କରୁଛ କିମ୍ପାଇ ।

ଜଙ୍ଗଲ ସମ୍ପଦ ନଷ୍ଟ ଯେ ହୋଇଲେ
ଦୈବଦୁର୍ବିପାକ ହେବ,
ବେଳ ଥାଉ ଥାଉ ସାବଧାନ ହେଲେ
ନିଶ୍ଚୟ ରୋକି ପାରିବ ।।

ଦୁଷ୍ମନ୍ତ ସାହୁ,
ବାରଗୌଣିଆଁ,
ବନ୍ତଳା, ଅନଗୁଳ,
ମୋବାଇଲ -୭୭୩୫୮୨୬୫୦୦