ଅଶବ୍ଦର ଶବ୍ଦ : ରାଜ୍ୟସଭା ପାଇଁ ୪ ନୁଆଁ ମୁହଁକୁ ନେଇ ଚାପା ଗୁଞ୍ଜରଣ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଗାମୀ ମାସରେ ଖାଲି ପଡୁଥିବା ୪ଟି ରାଜ୍ୟସଭା ସଦସ୍ୟ ପାଇଁ ନୁଆଁ ମୁହଁକୁ ପ୍ରାଧାନ୍ୟ ଦେଇଛନ୍ତି ମୁଖମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ୪ଟି ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ଶିବିରରେ ସରଗରମ ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଦଳରେ ପଦପଦବୀରେ ରହିଥିବା ଆଶାୟୀ ମାନେ ନିରାଶ ହୋଇଥିଲେ ମଧ୍ୟ ପାଟି ଖୋଲି କିଛି କହିପାରୁ ନ ଥିବା ପରିସ୍ଥିତି ସୃଷ୍ଟି ହୋଇଛି । ପୁରୁଖା ତଥା ପ୍ରଭାବଶାଳୀ ନେତାମାନଙ୍କ ପରିବର୍ତ୍ତେ ଦଳ ନୁଆଁ ମୁହଁକୁ ସୁଯୋଗ ଦେଇ ସାଧାରଣ ଜନତାଙ୍କ ମଧ୍ୟରେ ଆହୁରି ଲୋକପ୍ରିୟତା ବଢ଼ାଇ ଦେଇଛି । ଗଣମାଧ୍ୟମର ଚର୍ଚ୍ଚାରୁ ଦୂରରେ ଥିବା ରାଜନେତାଙ୍କୁ ନିଜର ପ୍ରାର୍ଥୀ କରି ବିଜେଡି ଲୋକପ୍ରିୟତା ଅର୍ଜନ କରିଛି । ତଥାକଥିତ ଦଳୀୟ ହେଭିୱେଟ ନେତାମାନଙ୍କର ପତିଆରା ବୃଦ୍ଧିରେ ଅଙ୍କୁଶ ଲଗାଇବା ଠିକ ହୋଇଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । କିନ୍ତୁ ରାଜ୍ୟସଭା ନିର୍ବାଚନରେ ମହିଳା ଓ ଓବିସି ପ୍ରାର୍ଥୀକୁ ଦଳ ବିଶେଷ ଗୁରୁତ୍ୱ ଦେଇ ନ ଥିବା ବେଳେ ଗତଥର ଭଳି ଏଥର ବି ଅନୁସୂଚିତ ଜାତି ଓ ଜନଜାତି ବର୍ଗକୁ ସମ୍ପୂର୍ଣ୍ଣ ଅଣଦେଖା କରିଛି ବୋଲି କିଛି ଅଭିଯୋଗ କରିଛନ୍ତି । ତେବେ ଗତ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବା ବହୁ ସଂଖ୍ୟକ ନେତା ଦଳୀୟ ଟିକେଟରୁ ବାଦ୍ ପଡ଼ି ଆଶାୟୀ ଥିବା ବେଳେ ଏହି ରାଜ୍ୟସଭା ଆସନ ଉପରେ ଆଶା ରଖି ଲବି ଜୋରଦାର କରିଥିଲେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ଘୋଷଣା ଉପରେ କେହି ପ୍ରତିବାଦ କରିବାକୁ ସାହସ କରି ନାହାନ୍ତି । ମୁନ୍ନା ଖାଁଙ୍କୁ ବାଦ୍ ଦେଲେ ଅନ୍ୟ ୩ଜଣ ପ୍ରାର୍ଥୀଙ୍କର ବିଜେଡି ସହ ସମ୍ପର୍କ ମାତ୍ର ଏକ ଦଶନ୍ଧି ହେଲା ରହିଥିଲା । ବିଜେଡି ଆରମ୍ଭରୁ ମୁନ୍ନା ଖାଁ ଦଳର ସଂଖ୍ୟାଲଘୁ ଚେହେରା ଭାବେ ରହି ପରିଚିତ ହୋଇ ଆସିଛନ୍ତି। ବିଜେଡି ନିଜର ସଂଖ୍ୟାଲଘୁ ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ମୁନ୍ନା ଖାଁଙ୍କୁ ପ୍ରାର୍ଥୀ କରିଥିବା କୁହା ଯାଉ ଥିବା ବେଳେ ମମତା ମହାନ୍ତଙ୍କ ଭଳି କୁର୍ମି ସମ୍ପ୍ରଦାୟର ଓବିସି ନେତ୍ରୀଙ୍କୁ ରାଜ୍ୟସଭା ପଠାଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ପ୍ରୟାସ କରିଛି ବୋଲି କିଛି ନେତା କହୁଥିଲେ ମଧ୍ୟ ନବୀନଙ୍କ ବିଚାର ଧାରା ଉପରେ ଲୋକପ୍ରିୟତା ବୃଦ୍ଧି ପାଇଛି ଓ ସେ ଯାହା ନିର୍ଣ୍ଣୟ କରିଛନ୍ତି ଠିକ କରିଛନ୍ତି କେବଳ ନବୀନଙ୍କ ନାଁ ରେ ହିଁ ଭୋଟ ରହିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ଅନ୍ୟପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାମାନଙ୍କୁ ପ୍ରୋତ୍ସାହିତ ତଥା ମୟୂରଭଞ୍ଜ ଭଳି ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ମମତାଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ଯାହା କୁହାଯାଉଛି ତାକୁ ଏଡାଇ ଦିଆଯାଇ ନ ପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି । ସୁତରାଂ ବିରୋଧୀଙ୍କ ମତରେ ରାଇରଙ୍ଗପୁର ବୋହୂ ମମତାଙ୍କର ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ ମଧ୍ୟ ସେଭଳି ପ୍ରଭାବ ନ ଥିବା ଯୋଗୁଁ ବିଜେଡିକୁ ସେଠାରେ ପରାଜିତ ହେବାକୁ ପଡ଼ିଥିଲା। ସେହିପରି ୨୦୧୪ ସାଧାରଣ ନିର୍ବାଚନର ପ୍ରାୟ ବର୍ଷକ ପୂର୍ବରୁ ବିଦେଶରେ ହାଇପ୍ରୋଫାଇଲ୍ ଚାକିରି ଛାଡ଼ି ବିଜେଡିର ନିର୍ବାଚନୀ ରଣନୀତିକାର ସାଜିଥିବା ଉଚ୍ଚଶିକ୍ଷିତ ଓଡ଼ିଆ ଯୁବକ ସୁଜିତ୍ କୁମାରଙ୍କୁ ଦଳ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି। ହାଭାର୍ଡ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷାପ୍ରାପ୍ତ କରିଥିବା ସୁଜିତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପାଇଁ ରଣନୀତି ପ୍ରସ୍ତୁତ କରି ଦଳକୁ ୧୧୭ ଆସନରେ ବିଜୟୀ କରାଇବାରେ ସକ୍ଷମ ହୋଇଥିଲେ ବୋଲି ଆକଳନ କରାଯାଇ ତାଙ୍କୁ ପ୍ରାର୍ଥୀ କରାଯାଇଛି । ସେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଦଳର ରଣନୀତି ପ୍ରସ୍ତୁତ ଏବଂ ବିଭିନ୍ନ ନୂଆ ନୂଆ ସରକାରୀ ଯୋଜନା ପ୍ରସ୍ତୁତ କରି ବିଜେଡିକୁ ଲୋକଙ୍କ ନିକଟତର କରାଇଥିଲେ ବୋଲି ମଧ୍ୟ ତାଙ୍କୁ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ସେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ଉପଦେଷ୍ଟା ରହିଛନ୍ତି ସେଥିପାଇଁ ସୁଜିତଙ୍କୁ ଦଳ ରାଜ୍ୟସଭାରେ ସଠିକ୍ ଭାବେ ଉପଯୋଗ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ୨୦୧୪ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବାମଦଳ ଛାଡ଼ି ବିଜେଡିରେ ମିଶିଥିବା ଟ୍ରେଡ୍ ୟୁନିଅନ ନେତା ସୁବାସ ସିଂ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । କଟକରୁ ଟିକେଟ୍ ଆଶାୟୀ ଥିବା ସୁବାସ ଦଳର ଶ୍ରମିକ ଚେହେରା ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି। ଏହି ସମସ୍ତ ୪ଜଣ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଖାସ୍ ବିଶେଷତ୍ୱ ହେଉଛି ସେମାନେ ଦଳର କୌଣସି ନେତାଙ୍କ ଗୋଷ୍ଠୀ ଭୁକ୍ତ ନୁହଁନ୍ତି । ଅନ୍ୟପକ୍ଷରେ ପରାଜିତ ହୋଇଥିବା ଦଳର ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ, ମହେଶ୍ୱର ମହାନ୍ତି, ରବି ଜେନା, କଳିକେଶ ସିଂହଦେଓ, ନଳିନୀ ପ୍ରଧାନ, ରବି ନନ୍ଦ, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ମଙ୍ଗଳା କିଷାନ, ନଗେନ୍ଦ୍ର ପ୍ରଧାନ, ଅନଙ୍ଗ ଉଦୟ ସିଂହଦେଓ, ଦେବାଶୀଷ ନାୟକ, ଚ୍ୟାଉ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ଅନେକ ହେଭିୱେଟ୍ ନେତାମାନଙ୍କୁ ବିଜେଡି ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ଥିବା ଅଭିଯୋଗ ହେଉଥିବା ଓ ସେମାନଙ୍କ ଅସନ୍ତୋଷ ରହିଥିଲେ ମଧ୍ୟ ନବୀନଙ୍କ ନିଷ୍ପତ୍ତିକୁ ଜନସାଧାରଣ ସମର୍ଥନ କରୁଛନ୍ତି ଏବଂ ଓଡ଼ିଶାରେ ନବୀନ ହିଁ ଏକ ମାତ୍ର ନେତା ବୋଲି ସମର୍ଥନ ରହିଥିବା ବୁଦ୍ଧିଜୀବୀ ରାଜନୈତିକ ପର୍ଯ୍ୟବେକ୍ଷକ ମାନେ କହୁଛନ୍ତି । ତେବେ ଯାହା ହେଉନା କାହିଁକି ଏହି ୪ ଜଣ ଘୋଷିତ ପ୍ରାର୍ଥୀଙ୍କ ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଥିବା ଜଣାଯାଇଛି ।

ରିପୋର୍ଟ : ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା (ଛତ୍ରପୁର)