ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଥିଲେ ରାହୁଲ ଗାନ୍ଧି କିପରି ?

ନୂଆଦିଲ୍ଲୀ : ମାତ୍ର କେଇ ସେକେଣ୍ଡ ବିଳମ୍ବ ହୋଇଥିଲେ ଦୁର୍ଘଟଣାଗ୍ରସ୍ତ ହୋଇଥାଆନ୍ତା କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ବିମାନ। ସୌଭାଗ୍ୟବଶତଃ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ସେ। ଉପରୋକ୍ତ ତଥ୍ୟ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)ର ଏକ ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଛି।କର୍ଣ୍ଣାଟକ ନିର୍ବାଚନ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦିଲ୍ଲୀରୁ ହୁବଲି ଯାଉଥିବା ବିମାନରେ ଯାନ୍ତ୍ରିକ ଅସୁବିଧା ଦେଖାଦେଇଥିଲା । ଯେଉଁଥିପାଇଁ ବିମାନକୁ ଜରୁରୀକାଳୀନ ଅବତରଣ ମଧ୍ୟ କରିବାକୁ ପଡିଥିଲା । ଏହି ଘଟଣାକୁ ନେଇ ହଇଚଇ ଦେଖାଦେଇଥଲା। ଫଳରେ ଡିଜିସିଏ ପକ୍ଷରୁ ଏହାର ଯାଞ୍ଚ୍ କରାଯାଇଥିଲା। ଏହି ଯାଞ୍ଚ ରିପୋର୍ଟ ଅନୁସାରେ,ରାହୁଲ ଗାନ୍ଧିଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର କିଛି ସେକେଣ୍ଡର ଦୂରତାରେ ଥିଲା ।ରିପୋର୍ଟ ଅନୁସାରେ, ଯାନ୍ତ୍ରିକ ଅସୁବିଧା କାରଣରୁ ବିମାନଟି ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ପାଇଲଟ୍ ପରିସ୍ଥିତି ବୁଝି ଜରୁରୀକାଳିନ ଅବତରଣ କରାଇଥିଲେ। ଯଦି ଏଭଳି କରାଯାଇ ନ ଥାନ୍ତା ତେବେ ମାତ୍ର କିଛି ସେକେଣ୍ଡର ମଧ୍ୟରେ ରାହୁଲ ଗାନ୍ଧିଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥାନ୍ତା । ଏହି ଘଟଣା ପରେ କଂଗ୍ରେସ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛି । ଜଣେ ବରିଷ୍ଠ ଡିଜିସିଏ ଅଧିକାରୀ ଏବଂ ରାହୁଲଙ୍କ ନିକଟତରଙ୍କ କହିବାନୁସାର ପାଇଲଟଙ୍କ ସାମାନ୍ୟ ଭୁଲ୍ ଏବଂ ବିମାନରେ ଥିବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥାଇପାରେ ।ତେବେ ଆପଣଙ୍କୁ ଏଠାରେ କହିରଖୁଛୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧିଙ୍କ ସହ ଏଭଳି ଏକ ଦୁର୍ଘଟଣା ଘଟିଥିଲା । ଏହି ଘଟଣାକୁ ବ୍ୟାଖା କରି ରାହୁଲ କହିଥିଲେ ଯେ ସେ ସମୟରେ ସେ ଖୁବ୍ ଡରିଯାଇଥିଲେ ।