ଅବକାରୀ ବିଭାଗର ଚଢ଼ାଉ : ୨୧ ଗିରଫ…

ଆସିକା (ସମୃଦ୍ଧ ଓଡିଶା) ରାଜ୍ୟ ଅବକାରୀ ବିଭାଗୀୟ ସଚିବ ଆଶିଷ ସିଂଙ୍କ ନିର୍ଦ୍ଦେଶ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ଜିଲ୍ଲା ଉପ ନିରୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଆସିକାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ସୂଚନା ଯେ, ରାଜସ୍ୱ ଡ଼ାକବଙ୍ଗଳା ପଛପଟ ଏରୋଗେଲା ବସା, କାଳଷଣ୍ଡପୁର ଏରୋଗେଲା ବସା, ପାକେଲାପଲ୍ଲୀ ଏରୋଗେଲା ବସା, ଗଣ୍ଡ ପଲ୍ଲୀ ଏରୋଗେଲା ବସାରେ ଅଚାନକ ଚଢ଼ାଉ କରି ବିପୁଳ ପରିମାଣରେ ମଦ ପ୍ରସ୍ତୁତି ଦ୍ରବ୍ୟ ଓ ସାମଗ୍ରୀ ଜବତ କରାଯାଇଛି ଏବଂ ୨୫ ଗୋଟି ମାମଲା ରୁଜୁ ହେବା ସହ ୨୧ ଜଣକୁ ଗିରଫ କରିଛି ଅବକାରୀ ପୋଲିସ । ସେଥି ମଧ୍ୟରୁ ୧୧ ଜଣ ମହିଳା ହୋଇଥିବା ବେଳେ ୧୦ଜଣ ପୁରୁଷ ଅଟନ୍ତି । ମଦ ପ୍ରସ୍ତୁତି ପାଇଁ ଥିବା ୧୫୨୦୦ଲିଟର ହାତ ରନ୍ଧା ଗୁଡ଼ ପୋଚ ନଷ୍ଟ କରାଯାଇଥିଲା । ସେହିଭଳି ୧୨୬୦ଲିଟର ବେଆଇନ ଦେଶୀ ରନ୍ଧା ଚୋରା ମଦ ଜବତ କରିଥିଲେ । ମଦ ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ରସ ଡେକଚି, ଡ୍ରମ, ପ୍ଲାଷ୍ଟିକ ଜାର ସମେତ ବିଭିନ୍ନ ସରଞ୍ଜାମ ଜବତ କରିଥିଲେ । ଏହି ଜବତ ଘଟଣାରେ ଆସିକା ନିକଟ କାଳଷଣ୍ଡପୁର ସ୍ଥିତ ଅବକାରୀ ଥାନା ଠାରେ ଅବକାରୀ ଜିଲ୍ଲା ଉପ ନିରୀକ୍ଷକ ଅଭିରାମ ବେହେରା ଏହି ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଛନ୍ତି ଯେ ଆସିକା ଅଂଚଳରେ ଚାଲିଥିବା ଦେଶୀ ଚୋରା ମଦ ପ୍ରସ୍ତୁତି ଓ ବିକ୍ରି ରୋକିବା ଏବଂ ବିଷାକ୍ତ ମଦମୃତ୍ୟୁ ନହେବା ପାଇଁ ଗୁରୁତର ଦେବା ଏହି ଚଢ଼ାଉର ମୁଖ୍ୟ ଉଦ୍ଦେଶ୍ୟ । ସେହିଭଳି ସାମ୍ବାଦିକଙ୍କୁ ବିଭିନ୍ନ ସୂଚନା ଦେଲାବେଳେ କେତେକ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଦରରେ ବିକ୍ରି ହେଉଥିବା ଅଭିଯୋଗ ସମ୍ପର୍କରେ ଉତ୍ତର ଦେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା