ଅବକାରୀ ଧରପଗଡ଼ ବିପୁଳ ପରିମାଣର ଦେଶୀ ମଦ ଜବତ : ୯ ଗିରଫ…

ଭଞ୍ଜନଗର/ସୋରଡା (ସମୃଦ୍ଧ ଓଡିଶା) ଗଞ୍ଜାମ-ଗଜପତି ଜିଲ୍ଲା ସୀମାନ୍ତରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଅବକାରୀ ଚଢ଼ାଉ କରାଯାଇଛି । ସୋରଡା ତହସିଲଦାର ତଥା ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ମିଶ୍ରଙ୍କ ଉପସ୍ଥିତରେ ଅବକାରୀ ଉପଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ବଡଗଡ଼ ଥାନା ଅଧିନ ଗୌଡ଼ଗାଠ ଗ୍ରାମରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ୫ ହଜାର ୭୮୦ ଲିଟର ଦେଶୀ ମଦ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଏହି ସହିତ ୧୩ ହଜାର ୩୫୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରାଯିବା ସହ ବେଆଇନ ମଦ ପ୍ରସ୍ତୁତି ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏହି ଚଢ଼ାଉରେ ଅବକାରୀ ଅଧିକାରୀ ପ୍ରୀତିଧାରା ନାୟକ, ଆସିକା ଅବକାରୀ ଅଧିକାରୀ ଧୀରେନ୍ଦ୍ର କୁମାର ବେହେରା, ସୋରଡା ଥାନା ଏସଆଇ ଦେବଦତ ପ୍ରିୟଦଶୀଙ୍କ ସମେତ ପୋଲିସ ଓ ଅବକାରୀ କର୍ମଚାରୀମାନେ ସାମିଲ ହୋଇଥିଲେ ।