ଅପରାଧ ପ୍ରବଣ ଜଳେଶ୍ୱରକୁ ପିସିଆର ଭେନ୍ ମିଳିବ କେବେ ?…

ଜଳେଶ୍ୱର(ସମୃଦ୍ଧ ଓଡିଶା) ଜଳେଶ୍ୱର ସହର ଦେଇ ଳମ୍ବି ଯାଇଛି ୬୦ନଂ ଜାତୀୟ ରାଜପଥ ଓ ୫୭ତମ ରାଜ୍ୟ ରାଜପଥ । ଏହି ୨ଟି ସଡକ ପଥ ଦିଲ୍ଲୀରୁ ଚେନ୍ନାଇ ଓ ଜଳେଶ୍ୱରରୁ ଦୀଘାଯାଇ କେବଳ ଯାନବାହନ ଚଳାଚଳ ଓ ପରିବହନ କାର୍ଯ୍ୟ ଚଳୁନାହିଁ । ବରଂ ବିଭିନ୍ନ ସ୍ଥାନରେ ଅପରାଧ ସଂଗଠିତ କରି ଅପରାଧିମାନେ ଅନ୍ୟତ୍ର ଖସିଯିବାରେ ସକ୍ଷମ ହୋଇଛନ୍ତି । ଏହି ୨ ରାସ୍ତାରେ ବ୍ରାଉନ୍‌ସୁଗର କାରବାର, ପଶ୍ଚିମବଂଗରୁ ପ୍ରତିଦିନ ଓଡିଶାକୁ ୫ହଜାର ଲିଟର ଚୋରାମଦ କାରବାର ସହିତ ଅନ୍ୟ ବିଭିନ୍ନ ମାଦକ ଦ୍ରବ୍ୟ, ଚୋରା ସାମଗ୍ରୀ, ଗୋରୁ ପରିବହନ ଇତ୍ୟାଦି ବେଆଇନ୍ କାର୍ଯ୍ୟ ଚଳିଆସୁଛି । ଜଳେଶ୍ୱର ପୋଲିସ୍ ଷ୍ଟେସନରେ ମାତ୍ର ଗୋଟିଏ ଭଡାଗାଡି ରହୁଥିବାରୁ ସବୁ ସମୟରେ ରାଜପଥ ଗୁଡିକରେ ସୁରକ୍ଷା ଯୋଗାଇବା ସହିତ ଚୋରାକାରବାର ରୋକିବା ସମ୍ଭବ ହୋଇପାରୁନାହିଁ । ତେଣୁ ବହୁଦିନ ଧରି ଜଳେଶ୍ୱର ଥାନାରେ ଏକ ପିସିଆ୍ ଭେନ୍ ରଖାଯିବାକୁ ଦାବି ହୋଇ ଆସୁଛି । ଅତୀତରେ ସମାଜକଲ୍ୟାଣ ବିକାଶ ପରିଷଦ ସହିତ ପୂର୍ବତନ ଏସ୍‌ପି ଆଲୋଚନା ବେଳେ ୬୦ନଂ ଜାତୀୟ ରାଜପଥ ପଶ୍ଚିମବଂଗ ସୀମାଠାରୁ ରୂପ୍‌ସା ପର୍ଯ୍ୟନ୍ତ ଏକ ପିସିଆର୍ ଭେନ୍ ଚଳାଚଳ ଲାଗି ସିଦ୍ଧାନ୍ତ ହୋଇଥିଲା । କେବଳ ଏହି ଗୋଟିଏ ସଂଗଠନ ନୁହେଁ ଜଳେଶ୍ୱରର ବହୁ ବୁଦ୍ଧିଜିବୀ, ବଣିକ ସଂଘ, ରାଜନେତା ପିସିଆ୍ ଭେନ୍ ଚଳାଚଳ ଲାଗି ବିଭିନ୍ନଚ ସମୟରେ ଜିଲା ପ୍ରଶାସନ ନିକଟରେ ଦାବୀ ଉପସ୍ଥାପନ କରିଥିଲେ ସୁଦ୍ଧା ସେଥିପାଇଁ ଧ୍ୟାନ ଦିଆଯାଉନାହିଁ । ଫଳରେ ଅପରାଧ ପ୍ରବଣ ରାଜପଥରେ ଅପରାଧ ରୋକିବା ସମ୍ଭବ ହୋଇ ପାରୁନାହିଁ । କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା