ଅଦ୍ୱିତୀୟ ଅର୍କକ୍ଷେତ୍ର ତଥା କାଷ୍ଠ କୋଣାର୍କରେ ରଥଯାତ୍ରା…

ବୁଗୁଡା (ସମୃଦ୍ଧ ଓଡିଶା) ଉତ୍କଳର ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ଥିବା ଅର୍କକ୍ଷେତ୍ର ତଥା କାଷ୍ଠ କୋଣାର୍କ ଶ୍ରୀ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ମହାପ୍ରଭୁଙ୍କ ତିଳ ସପ୍ତମୀ ଉପଲକ୍ଷେ ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଭାତରୁ ଅବକାଶ ନୀତି,ମଙ୍ଗଳ ଆରତୀ ପରେ ସ୍ୱତନ୍ତ୍ର ବେଶରେ ସୁସଜ୍ଜିତ କରାଯାଇଥିଲା । ତାପରେ ମନ୍ଦିର ପୂଜକ ଚିତ୍ତରଞ୍ଜନ ମିଶ୍ରଙ୍କ ତତ୍ବାବଧାନରେ ବୈଷ୍ଣବ ଚରଣ ଦାଶ, ହିମାଂଶୁ ଶେଖର ଦାଶ, ପ୍ରଶାନ୍ତ କୁମାର ଦାଶ, ଶ୍ରୀକାନ୍ତ ମିଶ୍ର, ଶିବ ପ୍ରସାଦ ଦାଶ, ସୁବାସ ଚନ୍ଦ୍ର ଦାଶ ପ୍ରମୁଖ ରଥ ପ୍ରତିଷ୍ଠା ଏବଂ ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ । ମନ୍ଦିର ପରିଚାଳନା ମୂଖ୍ୟ ମହନ୍ତ ଭକ୍ତରାମ ଦାସ ମହାରାଜ କର୍ତ୍ତାଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସନ୍ଧ୍ୟା ଆରତୀ ପରେ ପରେ ମହାପ୍ରଭୁଙ୍କ ଧାତୁ ବିଗ୍ରହକୁ ରଥରେ ବିରାଜମାନ କରି ଘଣ୍ଟ ମୃଦଙ୍ଗର ତାଳେ ତାଳେ ଏବଂ ଯୋଡିଶଂଖର ଧ୍ଵନି ମଧ୍ୟରେ ଶ୍ରଦ୍ଧାଳୁ ଭକ୍ତ ଟାଣି ଟାଣି ଶ୍ରୀ ଶ୍ରୀ ବଳଦେବ ସ୍ୱାମୀଙ୍କ ମନ୍ଦିର ସମ୍ମୁଖରେ ଥିବା ଦୋଳମଣ୍ଡପରେ କିଛି ସମୟ ରଥରୁ ଓହ୍ଲାଇ ପୂଜାର୍ଚ୍ଚନା ପୂର୍ବକ ଆରତୀ ହେଲା ପରେ ପୁନର୍ବାର ନିଜସ୍ୱ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଆତସବାଜି, ପଶୁମୂଖା ନୃତ୍ୟରେ ବଡଦାଣ୍ଡ ପ୍ରକମ୍ପିତ ହୋଇ ଭକ୍ତଙ୍କ ମନକୁ ପ୍ରଫୁଲ୍ଲିତ କରିଥିଲା । ପୂଜକ ଉମାକାନ୍ତ ଦାଶ, କୃଷ୍ଣଚନ୍ଦ୍ର ଦାଶ ଏବଂ ପ୍ରମୋଦ ଚନ୍ଦ୍ର ପାଢୀ ସହଯୋଗ କରିଥିବା ବେଳେ ସୁରେନ୍ଦ୍ର ନାଥ ପାଣି ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ପୂଣ୍ୟ ତିଥି ରେ ରାଜ୍ୟ ଏବଂ ରାଜ୍ୟ ବାହାରରୁ ମାନସିକଧାରୀମାନେ ଆସି ବାମ୍ଫିର ପାଣି ଗ୍ରହଣ କରି ଚର୍ମରୋଗରୁ ଆରୋଗ୍ୟଲାଭ ହୁଅନ୍ତି ।