ଅଦିନିଆ ବର୍ଷା ଭାଙ୍ଗି ଦେଲା ଚାଷୀଙ୍କ ମେରୁଦଣ୍ଡ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ଚାଷୀ ମାନଙ୍କ ମୁଖ୍ୟ ଫସଲ ଧାନଚାଷ । ଏହି ଧାନଚାଷରୁ ସେମାନଙ୍କ ଗୁଜୁରାଣ ମେଣ୍ଟାଇଥାନ୍ତି । କୃଷି ବିଭାଗର ରିପୋର୍ଟ ଅନୁଯାୟୀ ଚଳିତବର୍ଷ ବ୍ଲକରେ ୨୧୩୦୦ ଏକର ଜମିରେ ରବି ଧାନଚାଷ ହୋଇଛି । ବିଭିନ୍ନ ସମୟରେ ରୋଗପୋକକୁ ସାମ୍ନା କରି ଚାଷୀମାନେ ନୟାନ୍ତ ହୋଇଥିବା ବେଳେ ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଂଗି ଦେଇଛି । ଗତ୧୦ ଦିନ ହେଲା ପ୍ରତ୍ୟେକ ଦିନ ଅପରାହ୍ନରେ ବର୍ଷା ପବନ ଲାଗି ରହିଥିବାରୁ ଚାଷୀମାନେ ସେମାନଙ୍କ ଉତ୍ପନ୍ନ ଚାଷକୁ ଅମଳ କରିବାରେ ଅସମର୍ଥ ହୋଇଛନ୍ତି । ଏବେ ବିଲରେ ଧାନ କଟା ହୋଇ ପଡିଛି । ଲକ୍‌ଡାଉନ୍ ଚାଲୁଥିବାରୁ ପଶ୍ଚିମବଂଗରୁ କୃଷି ଶ୍ରମିକ ଆସିବା ସମ୍ଭବ ହୋଇ ପାରୁନାହିଁ । ତେଣୁ ହାର୍‌ଭେଷ୍ଟର୍ ଓ ଟ୍ରାକ୍ଟର ଉପରେ ନିର୍ଭର କରିବାକୁ ଚାଷୀ ବାଧ୍ୟ ହେଉଛି । ୧ ଏକର ଧାନ ଅମଳ ପାଇଁ ୭ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏପରିକି ଠିକ୍ ସମୟରେ ମେସିନ୍ ନ ପାଇ ଚାଷୀ ଚିନ୍ତାରେ ବସିଛି । ଏଣେ ଓଦାଧାନକୁ ଖଳାରେ ଶୁଖାଇବା ସମ୍ଭବ ହୋଇପାରୁନାହିଁ । ହାରର୍ଭେଷ୍ଟର ଓ ଟ୍ରାକ୍ଟର ଭଡା ଭରଣ ପାଇଁ ଚାଷୀ ଉତ୍ପନ୍ନ ଧାନକୁ ଅଭାବି ବିକ୍ରି କରିବାକୁ ବାଧ୍ୟହେଉଛି । ପଶ୍ଚିମବଂଗର ଦଲାଲମାନେ ଏହାର ସୁଯୋଗ ନେଇ ଚାଷୀଙ୍କୁ ଠକି କ୍ୟୁଣ୍ଟଲ ପ୍ରତି ଏକ ହଜାର ଟଙ୍କାରେ କିଣୁଛନ୍ତି । ପୋସ୍କ ପକ୍ଷରୁ ଧାନମଣ୍ଡି ଖୋଲା ଯାଇନାହିଁ । ଖୁବ୍ ଶୀଘ୍ର ଖୋଲା ଯିବ ବୋଲି ସମବାୟବିତ୍ ମାନସ ଜେନା କହିଛନ୍ତି । କେତେ ଆଶା ବାନ୍ଧି ବସିଥିବା ଚାଷୀ ଏବେ ଏକର ପ୍ରତି ମାତ୍ର ୨ରୁ ୩ ହଜାର ଲାଭ କରିବ । ଯାହା ତାର ଆର୍ଥିକ ମାନଦଣ୍ଡକୁ ଭୁଷୁଡି ପକାଇବ । ଝିପି ଝିପି ବର୍ଷା ଫଳରେ ଜମିରେ ପାଣି ଜମିଥିବାରୁ ଟ୍ରାକ୍ଟର ଚକରେ କାଦୁଆ ଆସି ଗ୍ରାମ୍ୟ ରାସ୍ତାଠୁ ଆରମ୍ଭ କରି ଜାତୀୟ ରାଜପଥର ଅବସ୍ଥା ବେହାଲ ହୋଇଛି । ପିଚୋ କିମ୍ବା କଂକ୍ରିଟ ରାସ୍ତା ଉପରେ ଢିମା ଢିମା କାଦୁଅ ସହିତ ଚାରି ଇଞ୍ଚ ବହଳର କାଦୁଅ ଜମା ହୋଇଛି । ସାଧାରଣ ପଥାଚାରୀ ଚାଲି ଚାଲି ଯିବା ଅସମ୍ଭବ । ଏପରିକି ୨ଚକିଆ ଓ ୩ ଚକିଆ ଯାନବାହାନ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ହାଭେଷ୍ଟର ଓ ଟ୍ରାକ୍ଟର ମାଲିକମାନେ ମାଲେମାଲ ହେଉଥିବା ବେଳେ ରାସ୍ତାକୁ କିଏ ସଫା କରିବା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଶୀଘ୍ର ସମବାୟ ଜରିଆରେ ଧାନ କିଣିବାକୁ କୃଷକ ନେତା ସୁଦାମ ପାତ୍ରଙ୍କ ସହିତ ବହୁ ଚାଷୀ ଦାବି କରିଛନ୍ତି ।