ଅଚିହ୍ନା ମଣିଷ

କେଉଁଠି ଆରମ୍ଭ କେଉଁଠାରେ ଶେଷ ଜୀବନ
ମୁଁ ଜାଣେ ନାହିଁ।
ଚାଲି ମୁଁ ସାରିଛି କେତେ ଗୁଡା ପଥ,
ହେଲେ ଠିକଣା ମୋ ମିଳେ ନାହିଁ।।

ଖରା, ବର୍ଷା, ଶୀତ, କାକର
ସହୁଥିବା ଜୀବନ୍ତ ପଥରଟେ ମୁହିଁ,
ନିଜ ପରିଚୟ ନିଜେ ମୁଁ ଜଣେନା,
ଜଗତ ଚିହ୍ନିବ କାହିଁ।

କାହାର ଟିକେ ଦୟା କରୁଣାର ଛାୟା
ମନ ମୋର ଖୋଜୁଥାଏ।
ଫିଙ୍ଗା ଫୋପଡା ଦରବରେ ଆଜି
ଜୀବନ ମୋ ଚାଲୁଥାଏ।
ଚିହ୍ନା ମୁହଁ ଆଜି ଅଚିହ୍ନା ମୋ ପାଇଁ
ଭୁଲିଛି ଘର ଠିକଣା,
ଆହା!!
ଆହା!!! ପଦେ ପାଇଁ କେହି ନାହିଁ ପାସେ
ସତେକି ଏତେ ଅଜଣା।

ନାହିଁ ଆଜି କିଛି ବାଧା-ବନ୍ଧନ ମୋ ପାଇଁ,
ନାହିଁ ଆଜି ମୋହ ମାୟା,
ହିତାହିତ ଜ୍ଞାନ ହରାଇ ଆଜି ମୁଁ
ହୋଇଛି ଅସ୍ପୃଶ୍ୟ କାୟା।

ମୁଣ୍ଡେ ନାହିଁ ଛତା, ପାଦେ ନାହିଁ ଜୋତା,
ନାହିଁ ତ ଦେହେ ବସନ,
କେଉଁ ଜନମରେ କି ପାପ କରିଛି,
ମିଳିଛି ଆଜି ଏ ଜୀବନ।

ଜାଣେନା କେବେ ଏ ଜୀବନ ସରିବ,
ଦୁଇ ପାଦ ମୋର ବିଶ୍ରାମ ଲଭିବ,
ଦୀପ ହୋଇ ଜନମି ଥିଲି କା’ କୋଳରେ,
କେଉଁଠି ଏ ଦେହ ଚିତା ମୋ ଜଳିବ।

ଲେଖକ- ଅଶୋକ କୁମାର ବାରିକ
ସ୍ଥାନ-ଡଗରପଡା
କଟକ
ମୋ: 7008001547