ଅକ୍ସିମିଟର ମାଧ୍ୟମରେ ୧୫୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଅକ୍ସିଜେନ ପରୀକ୍ଷା କଲା ଗଜପତି ଆପ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆପ୍ ଗଜପତି ଜିଲ୍ଲା ଶାଖା ତରଫରୁ ପାରଳାଖେମୁଣ୍ଡି ପୌରପାଳିକା ଅଧିନସ୍ଥ ଓଁ ଶାନ୍ତି କଲୋନୀ ଓ ନୂତନ ବୁସ୍ ଷ୍ଟାଣ୍ଡ ଅଞ୍ଚଲରେ ଅକ୍ସିମିଟର ମାଧ୍ୟମରେ ୧୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ଅକ୍ସିଜେନ ଯାଞ୍ଚ୍ କରାଯାଇଛି । ମୂଖ୍ୟତଃ ଏହି କାର୍ଯ୍ୟକ୍ରମ ଆମ୍ ଆଦମୀ ପାର୍ଟି ଜାତୀୟ ଆବାହକ ତଥା ଦିଲ୍ଲୀ ମୂଖ୍ୟ ମନ୍ତ୍ରୀ ଅରବିନ୍ଦ୍ କେଜ୍ରିୱାଲଙ୍କ ଆହ୍ବାନ କ୍ରମେ ସାରା ଭାରତରେ ଆରମ୍ଭ ହୋଇଛି । ସେହିପରି ଓଡ଼ିଶାରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଓ ଗଜପତି ଜିଲ୍ଲାରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଅକ୍ସିଜେନ ଯାଞ୍ଚ୍ କାର୍ଯ୍ୟକ୍ରମ ଚାଲୁଅଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା କରୋନା ମହାମାରୀକୁ ନେଇ ଲୋକଙ୍କୁ ସଚେତନ କରିବା ଓ ଅକ୍ସିଜେନ ଯାଞ୍ଚ୍ କରି ଅକ୍ସିଜେନ ସ୍ତର କମ୍ ରହୁଥିବା ଲୋକଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ଯିବା ପାଇଁ ପରାମର୍ଶ କରିବା । ସାଧାରଣତଃ କରୋନା ସଂକ୍ରମିତଙ୍କ ନିକଟରେ ଅକ୍ସିଜେନ ସ୍ତର କମିଯାଏ ଯାହାଫଳରେ ସେମାନଙ୍କର ନିଶ୍ଵାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ଏଭଳି କ୍ଷେତ୍ରରେ ଅକ୍ସିଜେନ ଯାଞ୍ଚ୍ ଦ୍ଵାରା ଆଗରୁ ସତର୍କ ହେବା ସହିତ ଲୋକଙ୍କ ଜୀବନ ବଞ୍ଚିପାରିବ । ଆପ୍ ଗଜପତି ତରଫରୁ ଗତ ଏକ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲୁଅଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଦଳର ବରିଷ୍ଠ ସଦସ୍ୟ ବୃନ୍ଦ ଲିଙ୍ଗରାଜ ପାଣିଗ୍ରାହୀ, ଲୋକନାଥ ଭୁକ୍ତା, ତ୍ରିନାଥ ଅଧିକାରୀ,ଲୋଗୋସ୍ ଦାସ ବର୍ଦ୍ଧନ,ଏସ.କେ.ମୋଜିବ, ତ୍ରିନାଥ ପଟ୍ଟନାୟକ, କିଶୋର ଚନ୍ଦ୍ର ଗୁରୁ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ଜାରି ରହିଛି ।ତା ସହିତ ଯେଉଁମାନେ ଏହି କରୋନା ଲଢେଇରେ ନିଜକୁ ସାମିଲ କରି ଅକ୍ସିମିତ୍ର ହେବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ସ୍ଵାଗତ କରାଯିବ ।