୭ ମାସରେ ୧୯୯ ମାମଲାରେ ୨୦୩ ଗିରଫ : ବ୍ୟାପକ ମଦ ଜବତ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅବିଭକ୍ତ ଜଳେଶ୍ୱର ଅବକାରୀ ଥାନା ଇଲଊାକାରେ ବ୍ୟାପକ ଚୋରା ମାଦକ ଦ୍ରବ୍ୟ କାରବାର ଚାଲୁଥିବାବେଳେ କର୍ମଚାରୀମାନଙ୍କ ଦ୍ୱାରା ଗତ ୭ ମାସରେ ମୋଟ ୧୯୯ଟି ମାମଲା ରୁଜୁ ହୋଇ ୨୦୩ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ମୋଟ ୧୨୪୨୫ ଲିଟର ଚୋରା ମଦ ଜବତ୍ କରାଯାଇଛି । ଅନ୍ୟପକ୍ଷରେ କର୍ମଚାରୀ, ଗାଡି ଅଭାବରୁ ଏପରି ଚୋରା ବ୍ୟବସାୟ ବନ୍ଦ କରିବା ସମ୍ଭବ ହେଉନଥିବା କୁହାଯାଇଛି । ପଶ୍ଚିମବଙ୍ଗର ଦାନ୍ତୁନ, ମୋହନପୁର, ନୟାଗ୍ରାମ, ଝାଡଗ୍ରାମ, ଗୋପିବଲ୍ଲଭପୁର, ଏଗ୍ରା, କାନ୍ଥି, ରାମନଗର ଓ ଦୀଘା ଥାନା ଇଲାକାରେ ବହୁ ଚୋରା ମଦ କାରଖାନା ରହିଥିବାରୁ ସେଠାରେ ପ୍ରସ୍ତୁତ ହେଉଥିବା ବ୍ୟାପକ ଚୋରାମଦ ଉତ୍ତର ବାଲେଶ୍ୱରର ରାଇବଣିଆ, ଜଳେଶ୍ୱର, କମର୍ଦ୍ଦା, ଭୋଗରାଇ ଓ ରୋଇନ୍ ଥାନା ଅଞ୍ଚଳକୁ ଚାଲାଣ ହେଉଛି । ଏହା ଦ୍ୱାରା କେତେକ ରାକେଟ୍ ମାଲେମାଲ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ବ୍ୟାପକ ରାଜସ୍ୱହାନୀ ଘଟୁଛି । ସଡକପଥରେ ପଶ୍ଚିମବଙ୍ଗ ଅଞ୍ଚଳରୁ ଜଳେଶ୍ୱରକୁ ଏହି ମଦ କାରବାର ହୋଇ ଆସୁଥିବା ବେଳେ କର୍ମଚାରୀ ଅଭାବରୁ ସମସ୍ତ ଚୋରା କାରବାକରୁ ରୋକିବା ସମ୍ଭବ ହୋଇ ପାରୁନାହିଁ । ଏକ ତଥ୍ୟରୁ ପ୍ରକାଶ ଉପରୋକ୍ତ ଅଂଚଳରୁ ଦେଶୀ ମହୁଲି ମଦ ୧୧୨୩୨ ଲିଟର, ଭାରତର ତିଆରୀ ବିଦେଶୀ ମଦ ୨୬.୨୮୦ ଲିଟର, ମୃଦୁପାନୀୟ ବିଅର୍ ୯ଲି୫୫୦ମି., ପଶ୍ଚିମବଙ୍ଗ ମାର୍କା ବିଦେଶୀ ମଦ ୫୬ଲି, ପଶ୍ଚିମବଙ୍ଗ ମାର୍କା ବିଅର୍ ୧୫ଲିଟର, ଆସ୍କାଫଟି ୨୫୭ଲି. ଏବଂ ନକଲି ପଶ୍ଚିମବଙ୍ଗ ମାର୍କା ୧୩୦ଲିଟର ଏପରି ମୋଟ ୧୨୪୨୫ଲି. ଚୋରାମଦ ଜବତ୍ ହୋଇଥିବା ବେଳେ ଏଥିନେଇ ଜଳେଶ୍ୱର ଭୋଗରାଇ ଅବକାରୀ ଥାନାରେ ୧୯୯ଟି ମାମଲା ରୁଜୁ ହୋଇ ୨୦୩ଜଣଙ୍କୁ ଗିରଫ କରାଯାଇଥିବାର ୨ଟି ଥାନା ଦାୟିତ୍ୱରେ ଥିବା ଅଧିକାରୀ ଦେବେନ୍ଦ୍ର ବେହେରା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଜଳେଶ୍ୱରରୁ ଗତ ୭ ମାସରେ ୨କିଲୋ ୯୦ଗ୍ରାମର ବ୍ରାଉନ୍‌ସୁଗର ମଧ୍ୟ ଜବତ୍ ହୋଇଛି । ଏହି ଚୋରି ଘଟଣାରେ ମୋଟ ୭ଟି ୪ଚକିଆ, ୧୦ଟି ବାଇକ୍ ଓ ୭ଟି ସ୍କୁଟି ଜବତ୍ ହୋଇଛି । ଅନ୍ୟପକ୍ଷରେ ଜଳେଶ୍ୱରରେ ଥାନା ଗୃହଟି ପୁତ୍ତ ବିଭାଗ ସ୍ଥାନରେ ଏବଂ ଅତିଛୋଟ କାର୍ଯ୍ୟାଳୟରେ ଚାଲୁଥିବା ବେଳେ ଭୋଗରାଇ ଥାନାର ନିଜସ୍ୱ ଗୃହ ନାହିଁ । ଭୋଗରାଇ ଥାନାରେ ଅଧିକାରୀ ନଥିାବେଳେ ମାତ୍ର ୨ଜଣ କନିଷ୍ଟିବଳ ରହିଛନ୍ତି । ସେହିପରି ଜଳେଶ୍ୱର ଥାନାରେ ଥାନାଅଧିକାରୀ ସହିତ ଅନ୍ୟ ୨ଜଣ କନେଷ୍ଟବଳ ଥିବା ବେଳେ ଚୋରାମଦ ଧରିବା ଲାଗି ସରକାରୀ ଗାଡି ନାହିଁ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗରୁ ଓଡିଶାକୁ ପ୍ରତିଦିନ ୫ହଜାର ଲି.ରୁ ଅଧିକ ଚୋରାମଦ ଚାଲାଣ ହେଉଥିବା ଓ ବ୍ରାଉନ୍‌ସୁଗର ସଡକ ଓ ଜଳପଥରେ ପ୍ରବେଶ କରୁଥିବା ବେଳେ ଖୁବ୍‌ କମ୍‌ ସଂଖ୍ୟକ କର୍ମଚାରୀ ଥିବାରୁ ଏହାର ଗତିପଥ ରୋଧ କରିବା ସମ୍ଭବ ହେଉନଥିବା କୁହାଯାଇଛି ।

ରିପୋର୍ଟ : ଭୂପତି ପରିଡା