୧୬ଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ…

ବିଜୟୱାଡା/ଅମରାବତୀ (ସମୃଦ୍ଧ ଓଡିଶା) ଆନ୍ଧ୍ରପ୍ରଦେଶ ସରକାର ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରୀ ହସ୍ପିଟାଲର ଉନ୍ନତୀ କରଣ କରି ସମସ୍ତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ୧୬ଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, କୋଭିଡ ଯୋଗୁଁ ଲୋକମାନେ ଚିକିତ୍ସା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶ ସରକାର ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟାବସ୍ଥାର ପରିବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ‘ନାଡୁ-ନେଡୁ’ ଯୋଜନା ଅନୁଯାୟୀ ୧୬ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ସମସ୍ତ ସରକାରୀ ହସ୍ପିଟାଲର ନବୀକରଣ ପାଇଁ ୧୭,୩୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ହସ୍ପିଟାଲରେ ନାଡୁ-ନେଡୁ ଯୋଜନାର ସମୀକ୍ଷା କରି ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା ତଥା ଗାଁରେ କ୍ଲିନିକ୍, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି), ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମୀକ୍ଷା କରିଛନ୍ତି । ପ୍ରଥମେ ନବୀକରଣ କାର୍ଯ୍ୟ ପାଇଁ ତୁରନ୍ତ ୫,୪୭୨ କୋଟି ଟଙ୍କା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଭିତ୍ତିଭୂମୀ ଏବଂ ଚିକିତ୍ସାର ଗୁଣବତ୍ତାରେ କୌଣସି ପ୍ରକାର ତ୍ରୁଟି ନ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଜାନୁଆରୀ ସୁଦ୍ଧା ନୂଆ ମେଡିକାଲ କଲେଜ ପାଇଁ ଟେଣ୍ଡର ଚୂଡ଼ାନ୍ତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ସମସ୍ତ କଲେଜ ନିର୍ମାଣରେ ରାଜ୍ୟ ସରକାର ୭,୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି । ଗାଁରେ ଓ୍ୱାଇଏସଆର ସ୍ୱାସ୍ଥ୍ୟ କ୍ଲିନିକ୍ ତିଆରି ନ ହେବା ଯାଏଁ ଆରୋଗ୍ୟଶ୍ରୀ ଗ୍ରାମ ପଞ୍ଚାୟତରେ ଅସ୍ଥାୟୀ ଭାବରେ କ୍ଲିନିକ୍ ସେବା ଯୋଗାଇବା ଦେବାକୁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଛନ୍ତି ।