ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଚିତାଭସ୍ମ ନୃସିଂହନାଥ ତ୍ରିବେଣୀ ଘାଟରେ ବିସର୍ଜିତ…

ପଦ୍ମପୁର (ସମୃଦ୍ଧ ଓଡିଶା) ପଦ୍ମପୁର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଚିତାଭସ୍ମ ଆଜି ଗୁରୁବାର ଦିନ ୧୧ ଘଣ୍ଟା ସମୟରେ ଗନ୍ଧମାର୍ଦ୍ଦନ – ନୃସିଂହନାଥର ପାପହାରିଣୀ ତୀର୍ଥକ୍ଷେତ୍ର ତ୍ରିବେଣୀ ଘାଟରେ ବିସର୍ଜିତ କରାଯାଇଛି । ସ୍ୱର୍ଗତ ପୁରୋହିତଙ୍କ ୪ ପୁଅ ସର୍ବ ବିଜୟ କୁମାର ପୁରୋହିତ, ଗିରିଧାରୀ ପୁରୋହିତ, ରାମରତନ ପୁରୋହିତ ଓ ପ୍ରଦୀପ ପୁରୋହିତ ସ୍ୱର୍ଗତ ପୁରୋହିତଙ୍କ ଚିତାଭସ୍ମକୁ ଆଣି ପାପହାରିଣୀ ଝରଣାରେ ବିସର୍ଜିତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ତା ୧୪-୯-୨୦ ରିଖ ରାତ୍ର ୯ ଘଣ୍ଟା ସମୟରେ ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ୮୮ ବର୍ଷ ବୟସରେ ବରଗଡ଼ ବିକାଶ ହସପିଟାଲରେ ଦେହାନ୍ତ ହୋଇ ଯାଇଥିଲା । ପାଇକମାଲ – ଝାରବନ୍ଦ ରାସ୍ତାରେ ମହାରାଣୀ ମେରୀପୁର ଠାରେ ଥିବା ତାଙ୍କ ଫାର୍ମହାଉସରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା । ଏଠାରେ ସ୍ମରଣ ଯୋଗ୍ୟ ୧୯୪୦ – ୪୧ ମସିହାରେ ଯେତେବେଳେ ନୃସିଂହନାଥ ମନ୍ଦିର ପଣ୍ତା ଘର ଅଧିନରେ ପରିଚାଳିତ ହେଉଥିଲା । ସ୍ୱର୍ଗତ ପୁରୋହିତଙ୍କ ପିତା ସ୍ୱର୍ଗତ ଉଦୟ ନାଥ ପୁରୋହିତ ନୃସିଂହନାଥ ମନ୍ଦିରର ଭଣ୍ଡାର ମୁହୁରୀ ଭାବେ କିଛି ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ ଓ ନିଜେ ମନ୍ଦିରର ପ୍ରଥା ଅନୁଯାୟୀ ଅବିହାରୀ ବାଳକ ଭାବେ ମନ୍ଦିରର ପୂଜକ କିଛି ବର୍ଷ ପାଇଁ ତୁଲାଇଥିଲେ । ଦ୍ବିତୀୟତଃ ଶିବ ପୁରାଣର ବର୍ଣ୍ଣନା ଅନୁଯାୟୀ ଭଗବାନ ଶିବ ସାରା ବିଶ୍ବର ଅନେକ ତୀର୍ଥ କ୍ଷେତ୍ର ପରିଭ୍ରମଣ କଲାପରେ ମଧ୍ୟ ଗୋ ଦୋଷରୁ ମୁକ୍ତି ପାଇ ନ ଥିଲେ । ଶେଷରେ ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବାହିତ ପାପହାରିଣୀ ତୀର୍ଥକ୍ଷେତ୍ରରେ ବୁଡଦେବା ପରେ ଭଗବାନ ଶିବ ଗୋ ବଧରୁ ମୁକ୍ତି ପାଇଥିଲେ । ଏହି ପୁରାଣ କଥିତକୁ ବିଶ୍ବାସ କରି ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପରିବାର ଏଠାରେ ଅସ୍ଥି ବିସର୍ଜନ, ଚିତାଭସ୍ମ ବିସର୍ଜନ ସହ ଗୋ ଦୋଷରୁ ମୁକ୍ତି ପାଇଁ ତ୍ରିବେଣୀ ଘାଟ ଓ ଗୋ କୁଣ୍ତ ଘାଟରେ ବୁଡ ପକାଇଥାନ୍ତି । ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ସୁବୋଧ ପଣ୍ତା, ବିଶମ୍ବର ମୁଣ୍ତ ଓ ଅନ୍ୟମାନେ ଚିତାଭସ୍ମରେ ଫୁଲ ଦେଇ ସ୍ୱାଗତ କରିଥିଲେ । ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଅବର୍ତ୍ତମାନରେ ୭୦ ବର୍ଷ ତଲେ ପାଇକମାଲ – ନୃସିଂହନାଥ ରୋଡରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ । “ପୁରୋହିତ ହେଟୋଲ” ଏବେ ଖାଁ ଖାଁ ଲାଗୁଛି ।

ରିପୋର୍ଟ – ନିରୋଜ କୁମାର ପାଣୀ