ସ୍ଲିପରୋଡ ଓ ରାଜପଥ ମରାମତି କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱରର ନହର ପାଟଣାରୁ ଆସନଶୋଲ ଯାଏ ଲମ୍ବି ଯାଇଥିବା ୬୦ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବଡ ବଡ ଫାଟ ଓ ଗର୍ତ୍ତ ସୃଷ୍ଟି ହୋଇଛି । ଏହାର ନିରାକରଣ ଲାଗି ଅଢେଇ ମାସ ପୂର୍ବରୁ ଜଳେଶ୍ୱରର ଏକ ପ୍ରତିନିଧ ଦଳ ଜାର୍ତୀ ରାଜପଥ ପ୍ରାଧିକାରଣ ନିର୍ଦ୍ଦେଶକଙ୍କ ସହିତ ସାକ୍ଷାତ ଆଲୋଚନା ସାରି ଫେରିଥିଲେ । କିନ୍ତୁ ପ୍ରତିଶୃତି ପାଳନ ହୋଇ ନଥିବାରୁ ୬୦ନଂ ଜାର୍ତୀ ରାଜପଥରେ ବହୁ ଦୁର୍ଘଟଣା ବଢୁଛି । ସେହିପରି ସ୍ଲିପରୋଡ ଗୁଡିକର ଅବସ୍ଥା ଅବର୍ଣ୍ଣନୀୟ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସ୍ୱଣ୍ଣୟ ଚତୁର୍ଭୁତ ରାଜପଥ ମଧ୍ୟରେ ୬୦ନଂ ଜାତୀୟ ରାଜପଥ ଅନ୍ୟତମ । ଏହି ରାସ୍ତା ଫଳରେ ଚେନାଇରୁ କୋଲକତା ଯାତାୟତ ଲାଗି ୩୫ କି.ମି. ଦୂରତା କମି ଯାଇଥିଲା । ୫ନଂ ଜାତୀୟ ରାଜପଥଣ ବାଲେଶ୍ୱର ନିକଟ ନହରପାଟଣାରୁ ଏହି ରାସ୍ତାରଟି ଖଡଗପୁର ମଧ୍ୟଦେଇ ଆସନଶୋଳ ଯାଏ ପ୍ରାୟ ୪୬୦ କିମି. ଅତିକ୍ରମ କରିଛି । ରାଜପଥ ନିର୍ମାଣରେ ତ୍ରୁଟି ରହିଥିବାରୁ ୨୦୦୮ ବନ୍ୟାବେଳେ ରାଜପଥର ବହୁ ରାସ୍ତା ଓ ପୋଲ ଧୋଇ ଯାଇଥିବା ବେଳେ ଜଳ ନିଷ୍କାସନରେ ବାଧା ଉପୁଜିଥିଲା । ତେଣୁ ୪ଶହ କୋଟି ଟଙ୍କା ବ୍ୟୟରେ ୨ୟ ଥର ରାଜପଥର ନବିକରଣ ହୋଇଥିଲା । ଅଦ୍ୟାବଧି ଭେଲୋରାଠାରେ ଗଳାପୋଲ, ଜଳେଶ୍ୱର ନିକଟରେ ଥିବା ବିଭିନ୍ନ ସ୍ଲିପରୋଡ ଗୁଡିକ ଦୂରାବସ୍ଥା ଏବଂ କେତେକ ସ୍ଥାନରେ ରାଜପଥ ଫାଟି ଆଁ କରିଛି । ଏ ସମ୍ପର୍କରେ ଜଳେଶ୍ୱରସ୍ଥିତ ସମାଜକଲ୍ୟାଣ ବିକାଶ ପରିଷଦ ପକ୍ଷରୁ ସମ୍ପାଦକ ହାଇକୋର୍ଟର ଆଇନ୍‌ଜିବୀ ରାମଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଖଡଗପୁର ଯାଇ ରାଜପଥ ପ୍ରାଧିକରଣ ନିର୍ଦ୍ଦେଶକ ସୁବ୍ରତ କୁମାର ନାଗଙ୍କ ସହ ଦୀର୍ଘ ସମୟ ଆଲୋଚା ପରେ ସମସ୍ତ ସ୍ଲିପ ରୋଡ ଓ ରାସ୍ତା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ସୂଚନା ଦେଇଥିଲେ । ଏ ସମ୍ପର୍କରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ନିର୍ଦ୍ଦେଶକଙ୍କ ସହିତ ଆଲୋଚନା ହୋଇଥିଲେ । ଘଟଣାର କିଛିଦିନ ପରେ ରାସ୍ତାକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅଧାପନ୍ଥରିଆ ହୋଇ ପଡି ରହିଛି । ରାସ୍ତାର ବିଭିନ୍ନ ସ୍ଥାନରେ କଂକ୍ରିଟ ଖୋଳି ନବିକରଣ ହେବାକୁ ପ୍ରସ୍ତୁତି ନେଇଥିବା ବେଳେ ଅଦ୍ୟବଧି ତାହା କାର୍ଯ୍ୟକାରୀ ହେଉନଥିବା ଓ ସ୍ଲିପ ରୋଡ ଗୁଡିକରେ କେବଳ ମୋରମ ଓ ମେଟାଲ ପକାଯାଇ ଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି । ଆସନ୍ତା ମଂଗଳାର ୬୦ନଂ ଜାତୀୟ ରାଜପଥର ପ୍ରବନ୍ଧକ ଜି ଘଟକ ଜଳେଶ୍ୱର ଇନ୍ ହୋଟେଲରେ ରହି ସମୀକ୍ଷା କରିବାକୁ ଆସୁଥିବା ପ୍ରକାଶ । କିନ୍ତୁ ରାସ୍ତା ଓ ସ୍ଲିପ ରୋଡର ସୁଧାର ଲାଗି ଆଜି ସମାଜକଲ୍ୟାଣ ବିକାଶ ପରିଷଦ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଡ. ରମାକାନ୍ତ ଭଂଜ, ସଂପାଦକ ରାମଚନ୍ଦ୍ର ଜେନା, ଇଂ ରାମଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ପରିଡା, ଡ. ଅଜିତ୍ କୁମାର ମହାନ୍ତି, ବନମାଳି ଧଳ, ଆଦିତ୍ୟ ନାରାୟଣ ପାତ୍ର, ପ୍ରଦୀପ ଚାନ୍ଦ, ସାପନ ଜେନା, ରବିନ୍ଦ୍ର ପାତ୍ର, ରିଆଜ ଖାଁ, ସୁଧିର ମହାନ୍ତି, ଅବନୀ ଚାନ୍ଦ, ରବିନାରାୟଣ ପାତ୍ର ଓ ଗୌରଗୋପାଳ ସେନ୍ ପ୍ରମୁଖ ଏକ ବୈଠକରେ ମିଳିତ ହୋଇଥିଲେ । କାର୍ଯ୍ୟ ଶେଷ କରିବାକୁ ସେମାନେ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା