ରେଳମନ୍ତ୍ରୀଙ୍କୁ ଜଳେଶ୍ୱର ବାସୀଙ୍କ କୃତଜ୍ଞତା : ରାଜସ୍ୱ ବୃଦ୍ଧି ଓ ପର୍ଯ୍ୟଟନ କ୍ଷେତ୍ର ଯୋଗୁଁ ବର୍ଗୀକରଣ-୪ ଲାଗି ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଗସ୍ତପରେ ଜଳେଶ୍ୱର ବାସୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୂର୍ବରୁ କେତେକ ଦାବି ରେଳବାଇ ପୂରଣ କରିଥିବା ବେଳେ ଏବେ ଷ୍ଟେସନ କାର୍ଯ୍ୟାଳୟ ଓ ଅନ୍ୟକେତେକ ଦାବି ପୁରଣ କରିବାର ପ୍ରତିଶୃତି ଦେଇଥିବାରୁ ତାଙ୍କୁ ବଧେଇ ଜଣାଇଛନ୍ତି । କିନ୍ତୁ ରାଜସ୍ୱ ଆଦାୟ ଓ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ଯାତାୟାତ ଲାଗି ଏଠାରୁ ସୁବିଧା ଥିବାରୁ ଏହି ରେଳ ଷ୍ଟେସନକୁ ବର୍ଗୀକରଣ-୪ (ଏନ୍‌ଏସ୍‌ଜି-୪) ଘୋଷଣା କରାଯିବାକୁ ଦାବି ହୋଇଛି । ଜଳେଶ୍ୱରରେ ମନ୍ତ୍ରୀଙ୍କ ସ୍ୱାଗତ ଓ ବିଭିନ୍ନ ଅସୁବିଧା ସଂପର୍କରେ ଜଣାଇବା ଲାଗି ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ, କମ୍ୟୁନିଷ୍ଟ ଏବଂ ଅନ୍ୟ ବହୁ ସଂଗଠନକୁ ନେଇ ଗଠିତ ଜଳେଶ୍ୱର ଡେଭେଲେପମେଣ୍ଟ କମିଟିର ବୈଠକ ଆବାହକ ଆଇନ୍‌ଜିବୀ ରାମଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୨ ଦଫା ଦାବି ସମ୍ପର୍କରେ ଏକ ସ୍ମାରକପତ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ହସ୍ତାନ୍ତର କରାଯାିଛି । ରେଳବାଇର ତଥ୍ୟ ଅନୁଯାୟୀ ଖଡଗପୁର-ଭଦ୍ରକ ମଧ୍ୟରେ ୩୯ଟି ରେଳ ଷ୍ଟେସନ ଥିବା ବେଳେ ୧୮ଟି ଏନ୍‌ଏସ୍‌ଜି-୬, ୫ଟି ଏନ୍‌ଏସ୍‌ଜି-୫, ୧ଟି ଏନ୍‌ଏସ୍‌ଜି-୪, ୬ଟି ଏଚ୍‌ଜି-୩, ୮ଟି ଏଚ୍‌ଜି-୨ ରହିଛି । ଏଥିମଧ୍ୟରେ ବାଲେଶ୍ୱର ରେଳ ଷ୍ଟେସନକୁ ବାଦ୍ ଦେଲେ ଜଳେଶ୍ୱରରେ ପ୍ରତିଦିନ ୩୨୫୦ ଜଣ ଯାତ୍ରୀ ଯାତାୟାତ କରୁଥିବା ବେଳେ ୨୭୯୫୪୭ ଟଙ୍କା ରୋଜଗାର ହୋଇଥାଏ । ଏହି ଖଡଗପୁର ଡିଭିଜନ୍‌ରେ ସର୍ବବୃହତ ଅଟେ । ଏହା ବ୍ୟତିତ ଏହି ରେଳ ଷ୍ଟେସନରୁ ଏସିଆର ସର୍ବବୃହତ୍ ଶିବଲିଙ୍ଗ ଭୂଷଣ୍ଡେୱର, ପ୍ରସିଦ୍ଧ ଶିବଲିଙ୍ଗ ଚନ୍ଦନେଶ୍ୱର, ନିରବ ବେଳାଭୂମୀ ତାଳସାରୀ, ଦୀଘା ସୁନ୍ଦରୀ, ପ୍ରସିଦ୍ଧ ଦେବୀପୀଠ ବାସୁଳୀ, ଏକଦା ପୂର୍ବ ଭାରତର ସର୍ବବୃହତ ଦୁର୍ଗ ରାଇବଣିଆ, ଲକ୍ଷ୍ମଣନାଥର ମହାଶୟ ଗଡ ଓ ଶ୍ୟାମାଠାକୁରାଣୀ ମନ୍ଦିର, ରାସାଗୋବିନ୍ଦପୁର ବେସାମରିକ ବିମାନ ଘାଟି ଇତ୍ୟାଦି ସ୍ଥାନକୁ ପର୍ଯ୍ୟଟକମାନେ ଯାଇଥାନ୍ତି । ପୂର୍ବରୁ ସମାଜ କଲ୍ୟାଣ ବିକାଶ ପରିଷଦ ଦିଲ୍ଲିସ୍ଥିତ ରେଳବାଇ ବୋର୍ଡ, ଗାଡେନ୍‌ରିଚ୍‌ସ୍ଥିତ ଦକ୍ଷିଣ-ପୂର୍ବ ରେଳ ବାଇର ପ୍ରବନ୍ଧକ, ଖଡଗପୁରସ୍ଥିତ ମଣ୍ଡଳ ପ୍ରବନ୍ଧକଙ୍କ ସହିତ ବାରମ୍ବାର ଯୋଗସୂତ୍ର ଓ ସାକ୍ଷାତ କରି ବିଭିନ୍ନ ଦାବି ପୂରଣ କରାଇ ଅଛନ୍ତି । କିନ୍ତୁ ୮ କୋଟି ଟଙ୍କାର ନୂତନ କାର୍ଯ୍ୟାଳୟ ଓ ଆନୁସଂଗୀକ ବିକାଶ ସଂପର୍କରେ ବିଷଦ ଆଲୋଚନା ହୋଇଛି । ଜଳେଶ୍ୱର ବରିଷ୍ଠ ନିଗରିକ ମଂଚ, ବଣିକ ସଂଘ ଓ ବହୁ ସଂଗଠନ ଓ ବ୍ୟକ୍ତି ବିଶେଷ ଆୟୋଜିତ ବୈଠକରେ ଯୋଗ ଦେଇ ରେଳ ମନ୍ତ୍ରୀଙ୍କୁ ସାବାସୀ ଜଣାଇବା ସହିତ ଅତିଶୀଘ୍ର ରାଇବଣିଆ ଢାଞ୍ଚାରେ ରେଳ ଫାଟକ ନିର୍ମାଣ ଦୀନକୃଷ୍ଣଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ଓ ବର୍ଗୀକରଣ-୪ ଲାଗି ଦାବି ଜଣାଇଥିଲେ । ଆଜି ୮ ତାରିଖ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆହୂତ ହୋଇଥିବା ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ସଂପର୍କରେ ସଭାପତି ରମାକାନ୍ତ ଭଂଜ ଓ ଡ. ଲଳିତ ରଂଜନ ସେନାପତି କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା