ରାଇବଣିଆରେ ୬୮ ଦଳିଆ ହାତୀ ଆତଙ୍କ : ଘଉଡାଇବା ଲାଗି ୩ଜିଲ୍ଲା ଜଙ୍ଗଲ କର୍ମଚାରୀଙ୍କ ତତ୍ପରତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ଧରି ରାଇବଣିଆ ଅଂଚଳରେ ହାତୀ ଉପଦ୍ରବ ବଢି ଚାଲିଥିବା ବେଳେ ଅଦ୍ୟାବଧି ୧୮ଟି ପରିବାରର ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଏଥିରେ ଥିବା ୨ଟି ଦନ୍ତାର ଆକ୍ରମଣରେ ରାଇବଣିଆ ବାସୀ ଭିତତ୍ରସ୍ତ ହୋଇଛନ୍ତି । ତେଣୁ ଆଜି ବାଲେଶ୍ୱର, ମୟୂରଭଞ୍ଜ ଓ ମେଦିନୀପୁର ଜିଲାର ଜଙ୍ଗଲ ବିଭାଗ କର୍ମଚାରୀ ପଶ୍ଚିମବଙ୍ଗର ଦଲମା ଜଙ୍ଗଲକୁ ହାତୀଗୁଡିକୁ ଘଉଡାଇବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଗତ ଗୁରୁବାର ରାତିରେ ଲୁହାପଡା, କେନ୍ଦୁଖୁଣ୍ଟା ଜଙ୍ଗଲରୁ ୨ଟି ଦଳରେ ଥିବା ୬୮ଟି ହାତୀ ନିକଟସ୍ଥ ଗ୍ରାମରେ କ୍ଷତି ଘଟାଇଥିଲେ । କେତେକ ଘର ଭାଂଗିଥିବା ବେଳେ ଘରେ ଓ ଖଳାରେ ଥିବା ଧନ, ବାଡିରେ ଥିବା ପନିପରିବା ଚାଷର ବ୍ୟାପକ କ୍ଷତି କରିଛନ୍ତି । ଗତ ଶୁକ୍ରବାର ରାତିରେ ନୀଳଗିରି ଓ ଜଳେଶ୍ୱର ରେଞ୍ଜର କର୍ମଚାରୀମାନେ ଭାଗ ଭାଗ ହୋଇ ହାତୀଗୁଡିକୁ ଘଉଡାଇବାରେ ସଫଳ ହୋଇଥିଲେ ମଧ୍ୟ ରାତି ୩ଟାରେ ହାତୀଗୁଡିକ ପୁଣି କେନ୍ଦୁଖୁଣ୍ଟା, ଆମ୍ବତୁମ୍ବା ଜଙ୍ଗଲକୁ ଫେରିଥିଲେ । ଆଜି ବାଲେଶ୍ୱର ଡିଏଫଓଙ୍କ ନିର୍ଦ୍ଦେଶରେ ଏସିଏଫ ସୁଶାନ୍ତ ଜେନ. ଜଳେଶ୍ୱର ରେଞ୍ଜର ସରୋଜ ମହାନ୍ତି, ଫରେଷ୍ଟର ବିବେକାନନ୍ଦ ଜେନା ଓ ଦୁଷ୍ମନ୍ତ ଜେନା ୩୦ଜଣ କର୍ମଚାରୀଙ୍କୁ ଧରି ୫ଟି ଦଳରେ ବିଭକ୍ତ ହୋଇ ହାତି ଘଉଡାଇବା କାର୍ଯ୍ୟ ଜାରି ରଖିଥିଲେ । ଅବୈତନିକ ବନ ସଂରକ୍ଷକ ଅଶ୍ୱିନୀ କୁମାର ଦାସ ହାତୀ ସୁରକ୍ଷା ଦଳ ଓ ସବୁଜ ବାହିନୀକୁ ଧରି ଏହି ହାତୀ ଘଉଡା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର ଅଞ୍ଚଳର ବନ କର୍ମଚାରୀମାନେ ଜଙ୍ଗଲର ଅନ୍ୟପଟୁ ହାତୀ ଘଉଡିବା କାର୍ଯ୍ୟରେ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ପ୍ରକାଶଯୋଗ୍ୟ କେନ୍ଦୁଖୁଣ୍ଟା, ଲୁହାପଡା, ଆମ୍ବତୁମ୍ବା ଜଂଗଲ ବାଲେଶ୍ୱର, ମୟୂରଭଂଜ ଓ ପଶ୍ଚିମବଂଗ ପର୍ଯ୍ୟନ୍ତ ପରିବ୍ୟାପ୍ତ । ତେଣୁ ୩ ଜିଲାର ବନକର୍ମଚାରୀ ଆଜି ରାତିରେ ହାତୀକୁ ପଶ୍ଚିମବଂଗର ପାଇକା ଯାଏ ନେଇ ସୁବର୍ଣ୍ଣରେଖା ନଦୀ ପାରି କରିବେ ବୋଲି ଜଳେଶ୍ୱର ରେଞ୍ଜର ସରୋଜ ମହାନ୍ତି କହିଛନ୍ତି । ରାଇବଣିଆ ଅଞ୍ଚଳର କ୍ଷୟକ୍ଷତି ସଂପର୍କରେ ରିପୋର୍ଟ ସଂଗ୍ରହ ଲାଗି ସାଧାରଣରେ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା