ମୁଖ୍ୟ ନିର୍ବାଚନ ଅଧିକାରୀ ଗଞ୍ଜାମ ଗସ୍ତ କରି ନିର୍ବାଚନ ଓ ଅବକାରୀ ବିଭାଗର କଲେ ସମୀକ୍ଷା…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅବକାରୀ ବିଭାଗର ପ୍ରମୁଖ ସଚିବ ସୁନୀଲ କୁମାର ଲୋହନୀ ଗତକାଲି ଗଞ୍ଜାମ ଗସ୍ତରେ ଆସି ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନିର୍ବାଚନ ଓ ଅବକାରୀ ବିଭାଗର ସମୀକ୍ଷା କରିଛନ୍ତି । ଏଥିରେ ୨୦୨୨ ଜାନୁଆରୀରେ ଯେଉଁମାନେ ୧୮ ବର୍ଷରେ ପାଦ ଦେବାକୁ ଯାଉଛନ୍ତି, ସେମାନଙ୍କୁ ଚିହ୍ନଟ କରି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ରହିଛି । ଏଭଳିକି ଯୁବପିଢ଼ୀ ଭୋଟରମାନଙ୍କୁ ସେମାନଙ୍କ ମତଦାନ କରିବା ପାଇଁ ସୁଯୋଗ ରହିଛି । ବର୍ତ୍ତମାନ ଭୋଟର ତାଲିକା ସଂଶୋଧନ କରାଯିବା, ବାଦ୍ ଓ ସଂଯୋଗ କାର୍ଯ୍ୟ ଅନଲାଇନ ମାଧ୍ୟମରେ ଚାଲୁ ରହିଛି । ଏହି କାର୍ଯ୍ୟ ଚାଲୁ ରହିଥିବା ବେଳେ ନୂତନ ଭୋଟର ପ୍ରତିଶତ ସଂଖ୍ୟା କମ୍ ରହିଛି । ଏଣୁ ନୂତନ ଭୋଟର ସଂଖ୍ୟା ପ୍ରତିଶତ ବୃଦ୍ଧି କରିବା ଦିଗରେ ଅଧିକାରୀମାନେ ପଦକ୍ଷେପ ନେବାକୁ କୁହାଯାଇଛି । ଏଥିପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବ୍ୟାପକ ସଚେତନତା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଏହାସହ ଅବକାରୀ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ଥିବା ନେଇ ବ୍ରହ୍ମପୁର ଓ ଗଞ୍ଜାମ ଅବକାରୀ ଜିଲ୍ଲାର ବିଭିନ୍ନ ବିଷୟକୁ ନେଇ ସମୀକ୍ଷା କରିଛନ୍ତି । ବେଆଇନ ମଦ କାରବାର, ଅପମିଶ୍ରିତ ମଦ ଏବଂ ଗଞ୍ଜେଇ ଚାଲଣ ଉପରେ ଚଢ଼ାଉ ଜାରୀ ରଖିବାକୁ ଅବକାରୀ ପ୍ରମୁଖ ସଚିବ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ବ୍ରହ୍ମପୁର ଜିଲ୍ଲାପାଳ କୀର୍ତ୍ତିଭାସନ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧଵ ଭୋଇ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ, ଛତ୍ରପୁର ବିଡ଼ିଓ ଶାରଦା ପ୍ରସାଦ ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରା, ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ନାଇକ, ଗଞ୍ଜାମ ଅବକାରୀ ଉପ – ଅଧୀକ୍ଷକ ଅଭିମନ୍ୟୁ ବେହେରାଙ୍କ ସମେତ ଅନ୍ୟପ୍ରମୁଖ ପଦାଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା