ମାର୍କେଟ କମ୍ପ୍ଲେକ୍ସ କୋଠାର ଭିତ୍ତିଭୂମିର ନିର୍ମାଣ ମରାମତି ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କଲେ ବିଡିଏ କର୍ତ୍ତୃପକ୍ଷ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ସହରାଞ୍ଚଳକୁ ନେଇ ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷ ବା’ ବିଡିଏ ଗଠନ ହୋଇଥିଲା । ଏହି ତିନି ଗୋଟି ସହରାଞ୍ଚଳରେ ଯେଉଁସବୁ ଉନ୍ନୟନ ଯୋଜନାରେ କାର୍ଯ୍ୟ ହେଉଅଛି, ତାହା ବିଡିଏ ଅଧୀନରେ ପରିଚାଳିତ ହେଉଅଛି । ତେବେ ବ୍ରହ୍ମପୁର ବିଡିଏ ଅଧିନସ୍ଥ ଏକ ବୃହତ୍ତମ ପ୍ରକଳ୍ପ ଯାହା ସଦରମହକୁମା ଛତ୍ରପୁର ଲୱେର ବସଷ୍ଟାଣ୍ଡ ସ୍ଥିତ ବିଡିଏ-ମାର୍କେଟ କମ୍ପ୍ଲେକ୍ସର କୋଠା ନିର୍ମାଣ କାର୍ଯ୍ୟ ଆଜି ଯାଏଁ ସରି ନାହିଁ, ଏହା ଆହୁରି କାର୍ଯ୍ୟ ସମ୍ପନ ହେବାକୁ ପ୍ରାୟ ଛଅ ମାସ ଲାଗିଯିବ ବୋଲି ଜଣାଯାଇଛି । ପ୍ରାୟତଃ ଆଜକୁ ୫ବର୍ଷ ହେଲା ସେହି ପାଖର ଉଠା ଦୋକାନୀ ଗୁଡିକୁ ଉଚ୍ଛେଦ କରାଯାଇଥିଲା । ଦୀର୍ଘ ୧୦ ବର୍ଷ ତଳେ ପୁରୁଣା କୋଠା ଭଙ୍ଗା ଯାଇଥିଲା । ସେହି କୋଠା ମହଲରେ ନିଜର ଜୀବିକାକୁ ନେଇ ବଞ୍ଚି ଆସିଥିବା ସମସ୍ତ ଛୋଟବଡ଼ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ହୋଇଥିବା ଦୋକାନୀ ଆଜି ଯାଏଁ ଅପେକ୍ଷା କରି ରହିଛନ୍ତି, ନୂତନ ମାର୍କେଟ କମ୍ଲେକ୍ସର ନିର୍ମାଣ ସରିବ, ତାରି ଭିତରେ ବେପାର କରିବା ପାଇଁ ଆମକୁ ଖଣ୍ଡେ ଜାଗା ମିଳିବ ବୋଲି ! ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସ କୋଠାର ଦୀର୍ଘଦିନ ବିତି ଯାଇଥିଲେ, ମଧ୍ୟ କୋଠା ନିର୍ମାଣର କାମ ସରିନାହିଁ । ପ୍ରାୟ ୩.୪ କୋଟି ଟଙ୍କାର ଅଟକଳରେ ନିର୍ମିତ ହେଉଥିବା ଏହି ମାର୍କେଟ କମ୍ପ୍ଲେକ୍ସକୁ ଭୁବନେଶ୍ୱରର ” ସ୍ପାଇରାଲ କନ୍ନସଲଟାନ୍ସୀ ” ଏକ ନାମୀ ସଂସ୍ଥା ଏହାର ଯୋଜନା/ଆକଳନ କରିଥିବା ବିଭାଗୀୟ ସୂତ୍ରରୁ କୁହାଯାଏ । ନିର୍ମାଣଧୀନ ଏହି ମାର୍କେଟ କମ୍ପ୍ଲେକ୍ସ କୋଠାର ଭିତ୍ତିଭୂମିର ନିର୍ମାଣ ମରାମତି ଅଗ୍ରଗତି ସମ୍ପର୍କରେ ବିଡିଏ କର୍ତ୍ତୃପକ୍ଷ ଗୁରୁବାର ଅନୁଧ୍ୟାନ କରିଥିଲେ । ବିଡିଏ ଉପାଧ୍ୟକ୍ଷ ତଥା ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ଵର ବଳିରାମ ବନ୍ଦୋର ବୁଲି ଦେଖିଥିଲେ ଏବଂ ସର୍ବେକ୍ଷଣ କରି ଆଜି ଏହି କୋଠା ପ୍ରକଳ୍ପର ନିର୍ମାଣ ତ୍ୱରାନ୍ୱିତ କରିବାକୁ ଅଧସ୍ଥନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା