Breaking News

ମାଆ’ପାଇଁ ଆଜି ଜହ୍ନି ବଞ୍ଚି ରହିଛି…

ବ୍ୟାଗରୁ ପରିବା କାଢି ଫ୍ରିଜରେ ରଖୁ ରଖୁ ସୋନାଲି ବିରକ୍ତ ହୋଇ ମନେ ମନେ କହିଲେ, “କ’ଣ ଏ ଜହ୍ନି ଗୁଡାକ ୟା’ଙ୍କୁ ଭଲ ଲାଗୁଛି କେଜାଣି ? ଯେତେବେଳେ ଦେଖ ଜହ୍ନି ପୁଳେ ଧରି ଆସିଥିବେ। ଜହ୍ନି ଗୋଟେ କି ପରିବା କେଜାଣି ?” ସୋନାଲି ଛ’ ମାସର ବୋହୂ । ସ୍ୱାମୀ ଅରୁଣ ବାବୁ ଜଣେ ସରକାରୀ ବ୍ୟାଙ୍କରେ ମ୍ୟାନେଜର। ଘର ଗାଡି ଟଙ୍କା ପଇସା କେଉଁଥିରେ ଅଭାବ ନାହିଁ। ତା ସହିତ ଅରୁଣ ବାବୁ ଜଣେ ଉତ୍ତମ ବ୍ୟକ୍ତି ମଧ୍ୟ । ଟଙ୍କା ପଇସା ଦିଆ ନିଆରେ ହାତ ଖୋଲା ଖର୍ଚ୍ଚ କରନ୍ତି ସେ । ପନିପରିବା ପ୍ରତି ତାଙ୍କର ଖୁବ ଆଗ୍ରହ । ତା’ ଭିତରେ ଜହ୍ନି ତାଙ୍କର ଅତି ପ୍ରିୟ । ପ୍ରାୟ ସବୁବେଳେ ସେ ଜହ୍ନି ଆଣନ୍ତି ଘରକୁ । ଜହ୍ନିରେ ଅନେକ ପ୍ରକାର ରୋଷେଇ ତାଙ୍କୁ ଜଣା । ଜହ୍ନିରେ ବିଭିନ୍ନ ପ୍ରକାର ରୋଷେଇ କରିଥାନ୍ତି । ଜହ୍ନି ଆଳୁ ପୋସ୍ତ, ଜହ୍ନି ବୁଟ ତରକାରୀ, ଜହ୍ନି ରାଇ, ଜହ୍ନି ପୋଡା, ଜହ୍ନି ଭଜା ଏମିତି ଅନେକ ପ୍ରକାର ଶୈଳୀରେ ସେ ରାନ୍ଧି ଖାଆନ୍ତି । ସେଥିପାଇଁ ସୋନାଲିକୁ ସେ ରାନ୍ଧିବା ପାଇଁ କୁହନ୍ତି ଏବଂ କେବେ କେମିତି ନିଜେ ରାନ୍ଧନ୍ତି ମଧ୍ୟ । ହେଲେ ଗୋଟେ ପରିବା ଜଣେ କେତେ ଖାଇବ ? ସୋନାଲି ମୁହଁ ଖୋଲି ନ କହିଲେ ବି ବିରକ୍ତ ହୁଅନ୍ତି। ମନେ ମନେ ଚିନ୍ତା କରନ୍ତି ଏ ପରିବା ଦୁନିଆରୁ ଲୋପ ପାଇ ଯାଅନ୍ତା କି , ସବୁଦିନ ପାଇଁ । ସୋନାଲି ଆଜି ଅରୁଣ ବାବୁଙ୍କ ସହ ନିଜ ଘରକୁ ଯାଉଛନ୍ତି । ବାଟରେ କିଛି ମିଠା କିଣୁ ଥିବା ବେଳେ ଅରୁଣ ବାବୁ ଦେଖିଲେ, ରାସ୍ତା କଡରେ ପିଲାଟିଏ ପେଣ୍ଡି ଜହ୍ନି କିଛି ଧରି ବସିଛି ବିକ୍ରି କରିବା ପାଇଁ । ବୟସ ପ୍ରାୟ ତେର ଚଉଦ ବର୍ଷ ହେବ । ତାର ପୋଷାକରୁ ତାର ଅଭାବ ସ୍ପଷ୍ଟ ବାରି ହୋଇ ପଡୁଥାଏ। ଖରାରେ ଗୋରା ମୁହଁଟି ମଉଳା ଫୁଲ ଭଳି ଝାଉଁଳି ଯାଇଥାଏ । ବୋଧେ ଆଜି ତାର ଜହ୍ନି ଆଦୌ ବିକ୍ରି ହୋଇନି । ସେ ବଡ଼ ଉଦାସ ମନରେ ବସି ଗ୍ରାହକଙ୍କୁ ଅପେକ୍ଷା କରିଥାଏ । ସବୁ ଜିନିଷ କିଣି ସାରି ଅରୁଣ ବାବୁ ସେ ପିଲାଟି ପାଖକୁ ଯାଇ ପଚାରିଲେ,”ପୁଅ, ଜହ୍ନି କଣ ଦାମ ଅଛି?” ପିଲାଟି ଉତ୍ତର ଦେଲା, “କେଜି ପନ୍ଦର ଟଙ୍କା ବାବୁ”। ଏ ଦୃଶ୍ୟ ଦେଖି ସୋନାଲି ନିଜକୁ ଆଉ ରୋକି ପାରିଲେନି । ବିବାହର ଛ’ ମାସ ପରେ ପ୍ରଥମ ଥର ପାଇଁ ସ୍ବାମୀଙ୍କୁ ପ୍ରତିବାଦ କରି କହିଲେ,”ଜହ୍ନି ଗୁଡାକ କଣ ଶଶୁର ଘର ନେଇକି ଯିବ ? ମତେ ଲାଜ ଲାଗିବ । ସେମାନେ କଣ ଭାବିବେ ?” ଅରୁଣ ବାବୁ ଶାନ୍ତ ଚିତ୍ତରେ ଉତ୍ତର ଦେଲେ, “କାର ଡିକିରେ ରଖି ଦେବ।, ଆମ ଘରକୁ ନେଇ ଯିବା” । ଦୁଇ କିଲୋ ଜହ୍ନି କିଣି ପିଲାଟିକୁ ପଚାଶ ଟଙ୍କା ଦେବାରୁ ସେ ଖୁଚୁରା ଦେବା ପାଇଁ ଅନୁରୋଧ କଲା । ଆଉ କେବେ ଫେରାଇ ଦେବୁ କହିବାରୁ ହଁ’ ନା ହୋଇ ପିଲାଟି ପଇସା ରଖିଲା । ଅରୁଣ ବାବୁ ଗାଡି ଭିତରକୁ ଆସିଲେ । ପିଲାଟିର ମୁହଁରେ ହସର ଲହରୀ ଖେଳିଗଲା । ଏ ସାମାନ୍ୟ କଥା, ସୋନାଲି କୁ କାହିଁକି ଏତେ କଷ୍ଟ ଦେଲା କେଜାଣି ? ସେ ରାଗରେ ମୁହଁ ଛିଞ୍ଚାଡି ପଛ ସିଟରେ ଆସି ବସିଲେ । ଆଖିରେ ଧାର ଧାର ଲୁହ । ଅରୁଣ ବାବୁ ସୋନାଲି ଉଦ୍ଦେଶ୍ୟରେ କହିଲେ, “ପାଗଳି, ଏ ଛୋଟ କଥାରେ ଏତେ କାନ୍ଦ । ଆସ, ଆଜି ମୋ ଜୀବନର ଏକ ବିରାଟ ଇତିହାସ କହିବି । ଯାହା ହେଉଛି ମୋ ଜୀବନର ଅଭୁଲା ଅତୀତ…।” ଅରୁଣ ବାବୁ, ସୋନାଲିକୁ ଆଗ ସିଟରେ ବସାଇ ନିଜ ଆଡକୁ କୋଳେଇ ଆଣିଲେ । ନିଜ ପକେଟରୁ ରୁମାଲଟି ବଢ଼େଇ ଦେଇ କହିଲେ, “ଲୁହ ପୋଛ ଆଉ ଶୁଣ…………”ଆଜି ଆମ ପାଖରେ ସବୁ ଅଛି, କିନ୍ତୁ ଦିନ ଥିଲା ଆମେ ପେଟ ପୁରା ଦୁଇ ବେଳା ଖାଇବାକୁ ପାଉ ନ ଥିଲୁ । ବାପା କଲିକତାରେ ରୁହନ୍ତି । ପଇସା ପତ୍ର କ’ଣ, ଚିଠିଟିଏ ବି ଘରକୁ ଦିଅନ୍ତି ନାହିଁ । ଚାରି ପାଞ୍ଚ ମାସରେ ଯଦି କିଏ ଆସେ ଟଙ୍କା କିଛି ଦେଇ ଥାନ୍ତି । କଲିକତାରୁ ଆସୁଥିବା ପାଖା ପାଖି ଲୋକେ କୁହନ୍ତି ସେ ଠିକ ସେ କାମ କରନ୍ତି ନି । ଆଉ ଯାହା କିଛି ରୋଜଗାର କରନ୍ତି ସବୁ ମଦ ଆଉ ଜୁଆ ରେ ସାରନ୍ତି । ସେତେବେଳେ ଆମର ଦୁଇ ବଖରା ଚାଳ ଘର । ଘର ନୁହେଁ ତ, କୁଡ଼ିଆ। ବୋଉ ଦୁଃଖେ କଷ୍ଟେ ଘର ଚଳାଏ । ଜମି କହିଲେ ଘର ଡିହ ଯାହା । ବୋଉ ଘରେ ଛେଳି ରଖେ । ସେତକ ହିଁ ଆମର ସମ୍ବଳ । ବୋଉ ପାଖ ପଡିଶାଙ୍କ ଘରେ ଛୋଟ ମୋଟ କାମ କରେ । ପଇସା ତ କେହି ଦିଅନ୍ତି ନାହିଁ କିନ୍ତୁ ଚାଉଳ ହେଉ କି ପନିପରିବା ଟିକେ ମିଳେ । କିନ୍ତୁ ପରିଶ୍ରମର ମୂଲ ଆଗରେ ସେ କିଛି ନୁହେଁ । ଦିନେ ଦିନେ ରାତିରେ ଖାଇବାକୁ କିଛି ନ ଥାଏ । ଶୁଖିଲା ଚୁଡା ହେଉ କି ମୁଢି ହେଉ ବୋଉ ମତେ ଦିଏ, ଆଉ ସିଏ କଣ ଖାଏ ସିଏ ଜାଣେ । ମୁଁ ଖାଇବାକୁ କହିଲେ, “ସେ କହେ ସବୁ କାମ ସାରିଲେ ମୁଁ ଖାଇବି । ମୋର କୋମଳ ମନ ସେ ସମୟରେ ଏତେ ସବୁ ବୁଝି ପାରେନି । ମୁଁ ଶୋଇ ପଡେ । ପ୍ରାୟ ଅଧିକାଂଶ ସମୟ ବୋଉ ଶୋଇଲା ବେଳେ ମୋ ପେଟରେ ହାତ ମାରି କୁହେ, “ମୋ ଧନର ପେଟ ଆଜି ପୁରିନି । ମୁଁ ମିଛ ହଁ ଟେ ମାରେ । ସେ ମୋ ଆଖିରୁ ଲୁହ ପୋଛେ ଆଉ ମୁଁ ତା’ର । ଆଉ ତାରି ଭିତରେ କେତେବେଳେ ସକାଳ ହୋଇଯାଏ । ମୁଁ ଉଠିଲା ବେଳକୁ ବୋଉ ଦୁଆର ଘର ଓଳାଉ ଥାଏ, ନ ହେଲେ ଛେଳି ମାନଙ୍କ କାମ କରୁଥାଏ। ବର୍ଷା ଦିନେ ଆମର ଅବସ୍ଥା ଆହୁରି ଖରାପ ହୋଇଯାଏ । ଚାଳ ଛପର ହୋଇ ନ ପାରି ବର୍ଷା ପାଣି ଘର ଭିତରେ ପଡେ । ବେଳେବେଳେ ଆମେ ରାତିରେ ଶୋଇ ନ ପାରି ବସୁ । ବୋଉ ତାର କୋଳରେ, ମତେ ବସାଇ ଲୁଗା କାନିକୁ ମୋ ମୁଣ୍ଡରେ ଘୋଡାଇ ଦିଏ । ମନ ଦୁଃଖରେ କୁହେ,”ଅରୁ ମନ ଦେଇ ପାଠ ପଡେ, ତୁ ଆମର ବାବୁ ହେବୁ । ମୋର ସବୁ ଦୁଃଖ ଦୂର କରିବୁ” । ମତେ ବାର ବର୍ଷ ହୋଇ ଥାଏ । ବୋଉକୁ ଛୋଟ ଛୋଟ ଘର କାମରେ ସାହାଯ୍ୟ କରିବା ସହ ପାଠ ପଢେ । ବର୍ଷା ଦିନ ଆସିଲେ ଘର ଆଗଣାରେ ଆମେ ଜହ୍ନି ଆଉ କାକୁଡି ଭାଡ଼ି କରି ଲଗାଉ। ସେଇ ଜହ୍ନିରେ ଆମ ଘର ଚଳେ। ଯେତେବେଳେ ଝଡି ବର୍ଷାରେ ପରିବା କଷିଟିଏ ମିଳେନି, ଆମେ ଦୁଇ ଓଳି ଜହ୍ନିରେ କାମ ଚଳାଉ। ପ୍ରାୟ ସକାଳ ସମୟରେ ମୁଁ ପଖାଳ ଭାତ ସହିତ ପୋଡା ଜହ୍ନିକୁ ରସୁଣ ଆଉ ସୋରିଷ ତେଲର ଚକଟା ଲଗେଇ ଖାଇ ସ୍କୁଲ ଯାଏ। ଯେତେବେଳେ କଳା ହାଣ୍ଡିଆ ମେଘ ପୁରା ଆକାଶକୁ ଢାଙ୍କି ଚାରିଆଡ଼ ଅନ୍ଧାର କରିଦିଏ, ହଳଦିଆ ରଙ୍ଗର ଜହ୍ନି ଫୁଲ ଗୁଡିକ ଆମ ଦୁଆରେ ଗୋଟି ଗୋଟି ତାରା ଫୁଟିଲା ଭଳି ଖୁବ ସୁନ୍ଦର ଦେଖା ଯାଅନ୍ତି । ମୋର ବାଳୁତ ମନ ଭାବ ବିଭୋର ହୋଇ ପଡେ । ମୁଁ ସେ ସୁନ୍ଦର ଜହ୍ନି ଫୁଲ ଗୁଡିକ ତୋଳି ଭଗବାନଙ୍କ ପାଖରେ ପାର୍ଥନା କରି କୁହେ,”ଏଗୁଡିକ ସୁନା ହୋଇ ଯାଅନ୍ତା କି “। ବେଳେବେଳେ ସ୍ୱପ୍ନରେ ମୁଁ ଦେଖେ ଜହ୍ନି ଫୁଲ ଗୁଡିକ ସୁନା ହୋଇ ଯାଇଛି । ତାକୁ ବିକ୍ରି କରି ଆମ ପାଖରେ ଅନେକ ଟଙ୍କା । ଯେତେବେଳେ ମୋ ନିଦ ଭାଙ୍ଗିଯାଏ, ମୁଁ ଦେଖେ ମୋ ଆଗରେ ସେଇ ନିତି ଦିନର ସଂସାର । କେବଳ ଅଭାବ, ଦୁଃଖ ଆଉ ଯନ୍ତ୍ରଣା ! ବାପା କେବେ ଆମ କଥା ଭାବନ୍ତି ନାହିଁ । ସାହି ଭାଇ ସମସ୍ତେ ଛୋଟ ଆଖିରେ ଦେଖନ୍ତି । କେବେ କେମିତି ଛେଳି କାହା ଫସଲ ଖାଇ ଗଲେ, ସେମାନେ ଅନେକେ କଥା କୁହନ୍ତି । ବୋଉ ସବୁ ସହେ ନିରବରେ, କିନ୍ତୁ ଏ ଜହ୍ନି ଲତା ଗୁଡିକ ଆମକୁ କେବେ ବି ଧୋକା ଦିଅନ୍ତି ନି । ଆମ ଦୁଃଖ ଦୁର୍ଦ୍ଦଶା ସହ ତାଳ ଦେଇ ଖୁବ ଫଳନ୍ତି । ମୁଁ କଷି ଜହ୍ନିର ବୃଦ୍ଧିକୁ ସବୁବେଳେ ନିରୀକ୍ଷଣ କରେ । ବହୁତ ଶୀଘ୍ର ଶୀଘ୍ର ସେମାନେ ବଢନ୍ତି । ମତେ ଲାଗେ ଆମ ଅଭାବକୁ ଦୂର କରିବା ପାଇଁ ସତେ ଯେମିତି ସେମାନେ ପ୍ରତିଜ୍ଞା କରିଛନ୍ତି । ମୁଁ ସପ୍ତମରେ ପଢୁଥାଏ । ସେ ବର୍ଷ ଆମ ଭାଡ଼ିରେ ଜହ୍ନି ଭର୍ତ୍ତି ହୋଇଗଲା । ମୁଁ ଜହ୍ନି ନେଇ ହାଟରେ ବସେ । କିନ୍ତୁ କେହି ଜହ୍ନିକୁ କିଣନ୍ତି ନାହିଁ, ଯେତେ ଶସ୍ତା କଲେ ବି । ସାଙ୍ଗ ସାଥିଙ୍କ ବାପା ମାନେ ପରିବା କିଣିବା ବେଳେ ମତେ ବହୁତ ଲାଜ ଲାଗେ । ମୁଁ ଭାବେ, ଯଦି ମୋ ବାପା ଭଲ ମଣିଷଟେ ହୋଇ ଥାନ୍ତେ, ଆମକୁ ଏ ଦିନ ଦେଖିବାକୁ ମିଳି ନ ଥାନ୍ତା । ସନ୍ଧ୍ୟା ଆସେ । ଗୋଟେ ବି ଜହ୍ନି ବିକ୍ରି ହୁଏନି । ସମସ୍ତେ କୁହନ୍ତି, “ଜହ୍ନି ଗୋଟେ ପରିବା ନା’ ଖନି ଗୋଟେ ମାଇକିନିଆ”। ଫେରିବା ବେଳେ ମନେ ପଡେ, ବୋଉ ବରାଦ ଦେଇ ଥିବା ଜିନିଷ ନେବା କଥା । ମୁଁ ବାଟରେ ଆସିଲା ବେଳେ ବାଟ ସାରା ଖୋଜି ଖୋଜି ଆସେ, ବାଟରୁ କିଛି ପଇସା ମିଳନ୍ତାନି ! ଘର ପାଇଁ କିଛି ସଉଦା କିଣି ନିଅନ୍ତି। ବୋଉ ଆଗ୍ରହର ସହ ଅପେକ୍ଷା କରି ଥାଏ। ମା’ ମନ ତାର, ମୋର ମୁହଁ ଦେଖି ସେ ସବୁ ଜାଣିପାରେ। ମୁଁ ଜହ୍ନି ବ୍ୟାଗ କୁ ପିଣ୍ଡାରେ ଥୋଇ ଦେଇ ଥକା ହୋଇ ବସି ପଡ଼େ। ବୋଉ ମୋ ମୁଣ୍ଡକୁ ଆଉଁଷି ଦେଇ ମତେ ଆଶ୍ୱସନା ଦିଏ । ଭଲ ପାଠ ପଢିଲେ କିପରି ଆମ ଅବସ୍ଥା ବଦଳିବ ବୁଝାଏ।ଧୀରେ ଧୀରେ ମୋ ବୟସ ସାଥିରେ ଆମ ଅଭାବ ଅସୁବିଧା ବି ବଢୁଥାଏ । ମୁଁ ପଢା ସହିତ ମୂଲ ମଜୁରି ବି କରେ । ଯେତେବେଳେ ଦଶମ ଶ୍ରେଣୀର ଫଳାଫଳ ଆସିଲା ମୁଁ ୯୬% ସହ ଆମ ବ୍ଲକରେ ପ୍ରଥମ ହେଲି । କିନ୍ତୁ ମୋ ମନରେ ଖୁସି ନ ଥିଲା, କାରଣ ମୁଁ ଭାବିନେଇ ଥିଲି, ଏତେ ଦୁଃଖ କଷ୍ଟ ଅପେକ୍ଷା ଅନ୍ୟ ରାଜ୍ୟକୁ ଯାଇ କିଛି କାମ ଧନ୍ଦା କରିବି। କିନ୍ତୁ ମୋ ଭାଗ୍ୟରେ ଅନ୍ୟ କିଛି ଲେଖା ଥିଲା । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣା ଏବଂ ସହଯୋଗ ପାଇଁ ମୋ ପଢ଼ା ଆରମ୍ଭ ହେଲା । କିନ୍ତୁ ଦାରିଦ୍ର୍ୟ କୁଠାରଘାତ ମୋ ପଛ ଛାଡୁ ନ ଥାଏ । ବହି ପତ୍ର କଥା ଛାଡ ଖାଇବାକୁ ବି ମିଳେନି । ଶେଷରେ ପଢ଼ା ସହିତ ପାଖ ହୋଟେଲରେ କାମ କରିବା ଆରମ୍ଭ କଲି । ହୋଟେଲର ମାଲିକ ମୋ ବିଷୟରେ ଜାଣିବା ପରେ ଅନୁକମ୍ପା ଦେଖାଇ ହିସାବ କିତାବ ଦାୟିତ୍ୱ ଦେଲେ । ଏବେ ଟିକେ ବଞ୍ଚିବା ସହଜ ହେଲା । ପଢ଼ା ଶେଷ ପରେ ଗାଁ ସ୍କୁଲରେ ଚାକିରି ଟିଏ ମିଳିଲା । ଏବେ କିଛି କିଛି ଟଙ୍କା ଘରକୁ ଆସିବାକୁ ଲାଗିଲା । ତାପରେ ମୁଁ, ଏମ୍ ବି ଏ କଲି । କିନ୍ତୁ ବୋଉ ଏବେ ସୁସ୍ଥ ନ ଥିଲା । ଜୀବନ ସାରା ଭୋକଶୋଷ, ଦୁଃଖ, ଯନ୍ତ୍ରଣାରେ ମୋ ପାଇଁ ଧାଇଁ ଧାଇଁ ସେ ଥକି ପଡିଥିଲା । ସବୁବେଳେ ଦେହ ମୁଣ୍ଡ। ଚୁଟି ପାଚି ଅଧା ଧଳା ହୋଇ ଯାଇଥିଲା । ଦୁଇ ପାଦ ଚାଲିଲେ ଥକି ପଡୁ ଥିଲା । ଯେଉଁ ଦିନ ମୁଁ ବ୍ୟାଙ୍କରେ ଚାକିରି ପାଇଲି, ସେ ଦିନ ବୋଉ କାନ୍ଦି କାନ୍ଦି ତା’ପଣତକୁ ଭିଜାଇ ଦେଇଥିଲା । ଖୁସିରେ ଅନେକ ଆଶୀର୍ବାଦ ଦେଇ କହିଥିଲା,”କୋଟିଏରେ ଗୋଟିଏ ହୋଇ ରହି ଥା’। ମୋର ସବୁ ଚିନ୍ତା ଗଲା । ଏବେ ମୁଁ ଶାନ୍ତିରେ ମରି ପାରିବି।” ମୁଁ ଜାଣିଥିଲି ସେ ଅଶ୍ରୁ ସବୁ ଆନନ୍ଦର ଥିଲା। ତା’ର ଛାତିର କୋହ ସବୁ ଆଖିର ଲୁହ ହୋଇ ବହିଯାଉ ଥିଲା । ମୁଁ ତା’ ପାଟିରେ ହାତ ଦେଇ କହିଲି, “ଏମିତି କହନା ବୋଉ। ତୋ ଛଡ଼ା ମୋର ଏ ଦୁନିଆରେ କିଏ ଅଛି ?” ଆମେ ଦୁହେଁ ସେଦିନ ଘଡ଼ିଏ କାନ୍ଦି ଥିଲୁ । ଯେଉଁ ଦିନ ମୁଁ ବ୍ୟାଙ୍କରୁ ପ୍ରଥମ ଦରମା ପାଇଲି, ବୋଉ ପାଇଁ ଅନେକ ଜିନିଷ ଆଣି ଥିଲି । ତା’ ଭିତରେ କିଲେ ଜହ୍ନି ବି ଥିଲା । ଆଉ ସେଇ ଜହ୍ନିକୁ ଦେଖି ବୋଉ ବହୁତ କାନ୍ଦି ଥିଲା । ସତେ ଯେମିତି ସେ ତାର ଅମୂଲ୍ୟ ସମ୍ପଦକୁ ପାଇ ଯାଇଛି । କିନ୍ତୁ ବିଚାରୀର ଭାଗ୍ୟରେ ସୁଖ ବେଶି ଦିନ ଲେଖା ନ ଥିଲା । ଅଳ୍ପ ଦିନ ଭିତରେ ଜଣା ପଡିଲା ବୋଉର କ୍ୟାନ୍ସର ହୋଇଛି । ଶତ ଚେଷ୍ଟା ସ୍ଵତ୍ତ୍ୱେ ମୁଁ ହାରିଗଲି । ମୋ ଜୀବନର ହସ ଖୁସିର ନୌକାଟି ମଝି ନଈରେ ବୁଡ଼ିଗଲା।”ଅରୁଣ ବାବୁ ଆଖିର ଲୁହକୁ ରୁମାଲରେ ପୋଛି କିଛି ସମୟ ପାଇଁ ନିରବ ହୋଇ ଗଲେ । ସବୁ ଆଡେ ତାଙ୍କୁ ବୋଉର ମୁହଁ ଦେଖା ଯାଇଥିଲା। ସୋନାଲି ଆଡକୁ ଚାହିଁବାକୁ ତାଙ୍କର ଧୈର୍ଯ୍ୟ ନ ଥିଲା । କିଛି ସମୟ ପରେ ନୀରବତା ଭାଙ୍ଗି କହିଲେ, ” ମୁଁ ଯେଉଁଠି ବି କିଏ ଜହ୍ନି ବିକୁଥିବା ଦେଖେ, ମୋ ମନ ଭିତରେ ଅତୀତଟା ଜୀବନ୍ତ ହୋଇ ଉଠେ। ତା’ଭିତରେ ମୁଁ ନିଜକୁ ଖୋଜି ପାଏ । ସେ ଜହ୍ନି ବିକୁଥିବା ପିଲାଟିର ମା’ କେତେ ବ୍ୟାକୁଳ ହୋଇ ଅପେକ୍ଷା କରିଥିବ, ତୁମେ କେବେ ବି ବୁଝି ପାରିବନି ସୋନା” । ଗାଡିଟି ଏବେ ସୋନାଲି ଘର ଆଗରେ ପହଞ୍ଚି ସାରିଥିଲା । ସୋନାଲି କାନ୍ଦି କାନ୍ଦି ଘର ଭିତରକୁ ଚାଲିଗଲା । ଘର ଲୋକେ ଭାବୁଥିଲେ ଜ୍ୱାଇଁ ରାଗରେ ଝିଅକୁ କିଛି କହିଛନ୍ତି । ଦିନ ସାରା ସୋନାଲି ଚୁପଚାପ ରହିଲା । ଭାରି ଅନ୍ୟମନସ୍କ । ଚାରି ପଦ ପଚାରିଲେ ହଁ, ନା’ରେ ଉତ୍ତର ଦିଏ । ରାତ୍ର ଭୋଜନ ରେ ଅରୁଣ ବାବୁ ଦେଖିଲେ, ଜହ୍ନିରେ ସବୁ କିଛି ତିଆରି ହୋଇଛି । ଜହ୍ନି ଭଜା, ଜହ୍ନି ପୋଡ଼ା, ଜହ୍ନି ପୋସ୍ତ ଇତ୍ୟାଦି…

ଅରୁଣ ବାବୁ ସୋନାଲିକୁ ନିଜ ଆଡକୁ ଭିଡି ଆଣି କହିଲେ,- “ଆଇ ଲଭ୍ୟୁ, ସୋନା ଡାର୍ଲିଂ” ।
— “ଉଁ, କଣ ପାଇଁ”?
— କେଡେ ଚାଲାକ ମ ତମେ ? ମୁଁ ଆଣିଲି, ମୁଁ ଖାଇଲି ?
— କଣ ?
— ଜହ୍ନି । ଏତକ ଶୁଣି ସୋନାଲିକୁ ଆହୁରି ଜୋରରେ ଭିଡି ଧରିଲେ ଅରୁଣ ବାବୁ ।

ଗାଳ୍ପିକ-ସୀତାରାମ ଦାଶ

Avatar

Leave a Reply

Your email address will not be published. Required fields are marked *

Please Visit to http://www.specialopinion.in

Got it!
X
error: Content is protected !!
%d bloggers like this: