ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ ଦିନିଆ ଲକଡାଉନ ଜାରି…

ହାଇଦ୍ରାବାଦ (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟଗୁଡ଼ିକ ଭଳି ତେଲେଙ୍ଗାନା ମଧ୍ୟ ଶେଷରେ ଜାରି କରିଲା ୧୦ ଦିନିଆ ଲକଡାଉନ । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେସିଆର ଲକଡାଉନ ବିରୋଧରେ ମତ ଦେଇଥିଲେ । କିନ୍ତୁ ସଂକ୍ରମଣ ବଢ଼ୁଥିବାରୁ କାଲିଠାରୁ ୧୦ ଦିନ ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, କାଲିଠାରୁ ଲକଡାଉନ ଲାଗୁ ହେଉଥିଲେ ହେଁ ସକାଳ ୬ଟାରୁ ଦିନ ୧୦ଟା ଯାଏଁ ସବୁ କିଛି ଚାଲୁ ରହିବ । ଏହି ସମୟରେ ଲୋକମାନେ ଯିବା ଆସିବା ମଧ୍ୟ କରିପାରିବେ । କିନ୍ତୁ ଦିନ ୧୦ଟା ପରଠାରୁ ତା’ ପରଦିନ ସକାଳ ୬ଟା ଯାଏ କେହି ବି ପଦାକୁ ବାହାରିପାରିବେ ନାହିଁ । ଏହି ସମୟରେ କେବଳ ଜରୁରୀ ସେବା କାର୍ଯ୍ୟକୁ ଅନୁମତି ମିଳିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, “ରାଜ୍ୟ କ୍ୟାବିନେଟ୍‌ ଆସନ୍ତାକାଲି ଦିନ ୧୦ଟାରୁ ୧୦ଦିନ ପାଇଁ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଲକଡାଉନ ସମୟରେ ସମସ୍ତ କାର୍ଯ୍ୟକଳାପକୁ ଜାରି ରଖିବା ପାଇଁ ସକାଳ ୬ଟାରୁ ଦିନ ୧୦ଟା ଯାଏ କୋହଳ ନୀତି ଅବଲମ୍ବନ କରାଯିବ । ମନ୍ତ୍ରି ପରିଷଦର ମଧ୍ୟ କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର କରିବ । ଏହାର ଅର୍ଥ ବିଦେଶୀରୁ ଟିକା ଆଣି ଲୋକଙ୍କୁ ଦିଆଯିବ ।” ଓଡ଼ିଶା ସରକାର ଗତକାଲି କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଦୁଇଟି କମିଟି ମଧ୍ୟ ଗଠନ କରାଯାଇଛି । ତେଲେଙ୍ଗାନାରେ ଆଜି ଲକଡାଉନ ନିଷ୍ପତ୍ତି ପୂର୍ବରୁ କଂଗ୍ରେସ ପକ୍ଷରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ ପାଇଁ ଦାବି କରାଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆନ୍ଧ୍ର ପ୍ରଦେଶକୁ ଛାଡ଼ି ଏବେ ଦକ୍ଷିଣ ଭାରତର ସବୁ ରାଜ୍ୟରେ ଲକଡାଉନ ଲାଗୁ ହୋଇଛି । କର୍ଣ୍ଣାଟକ ଓ ତାମିଲନାଡୁରେ ମେ’ ୨୪ ଯାଏ ଲକଡାଉନ ଲାଗୁ ହୋଇଥିବା ବେଳେ କେରଳରେ ଏହା ମେ’ ୧୬ ଯାଏ ଲାଗୁ ହୋଇଛି । କାଲିଠାରୁ ୧୦ ଦିନ ପାଇଁ ତେଲେଙ୍ଗାନାରେ ଲକଡାଉନ ଲାଗୁ ହେବା ନେଇ ଜଣାପଡିଛି ।