ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫୦୭୫୧ ପରିବାର ହେବେ ଉପକୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଓ ମ୍ୟୁନିସିପାଲଟି ଅଂଚଳର ୫୦୭୫୧ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ପାଇବା ଲାଗି ଏକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଏଥିଲାଗି ଜଳେଶ୍ୱର ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟ ପରିଷଦର ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ଜଳେଶ୍ୱର ବିଧାୟକ ଅଶ୍ୱିନି କୁମାର ପାତ୍ର, ବିଡିଓ ଦିପ୍ତିରଂଜନ ସେଠୀ, ତହସିଲଦାର ସ୍ମୃତିରଂଜନ ମଲ୍ଲିକ, ଡା. ପ୍ରଭାସ ଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ଉପସ୍ଥିତ ଥିବା ବେଳେ ୩୫ଟି ପଂଚାୟତର ସରପଂଚ, ସଦସ୍ୟ ଓ ଜିଲା ପରିଷଦ ସଦସ୍ୟ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୬ ତାରିଖରେ ବାଲେଶ୍ୱର ଜିଲାକୁ ମୁଖ୍ୟମନ୍ତ୍ରୀ ଗସ୍ତ କରି ସ୍ମାଟକାର୍ଡ ବଣ୍ଟନ ହେବାର ବ୍ୟବସ୍ଥା ହୋଇଛି । ସେଠାରେ ମାତ୍ର ୧୦ଜଣ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ପ୍ରଦାନ କରାଯିବ । ପରେ ଅପରାହ୍ନରେ ଜଳେଶ୍ୱର ମ୍ୟୁନିସିପାଲଟିର ୧୨ନଂ ୱାର୍ଡ ଲାଗି ମୁରଲି କଲ୍ୟାଣ ମଣ୍ଡପଠାରେ ସ୍ମାଟକାର୍ଡ ଦେବାର ବ୍ୟବସ୍ଥା ହୋଇଛି । ସେହିପରି ବ୍ଲକ ଅଂଚଳଲାଗି ଲକ୍ଷ୍ମଣନାଥ ହାଇସ୍କୁଲରେ ଏପରି କାର୍ଡ ବଣ୍ଟନ ଲାଗି ବ୍ୟବସ୍ଥା ହୋଇଛି । ମ୍ୟୁନିସିପାଲଟିର ୫୩୧୨ ଓ ବ୍ଲକ ଅଂଚଳରେ ୪୫୪୩୯ ପରିବାରକୁ ଏପରି କାର୍ଡ ଦେବା ସଂପର୍କରେ ଆଜି ବୈଠକରେ ଆଲୋଚନା ହୋଇଛି । କାର୍ଡ ଦେବ ପୂର୍ବରୁ ଗ୍ରାମାଂଚଳ ଓ ପୌରପାଳିକାରେ ଥିବା ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ଘରକୁ ଘର ବୁଲି ଏ ସଂପର୍କରେ ସୂଚନା ଦେବେବୋଲି ଜଣାଯାଇଛି । କାର୍ଡ ଦେଲାବେଳେ ବିଧାୟକ ଉପସ୍ଥିତ ରହିବା ସଂପର୍କରେ କୁହାଯାଇଛି । ପ୍ରତିଗାଁରେ ପ୍ରାଥମିକ ବିଦ୍ୟାଳୟରେ ୨୬ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଏହି କାର୍ଡ ଦେବାର ବ୍ୟବସ୍ଥା ହୋଇଥିବ ସଂପର୍କରେ ବୈଠକରେ ଆଲୋଚନା ହୋଇଛି । କୌଣସି ପରିବାରର ପୁରୁଷ ମାନଙ୍କ ଲାଗି ୫ଲକ୍ଷ ଓ ମହିଳା ମାନଙ୍କଲାଗି ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବିମା ରହିଛି ।

ରିପୋର୍ଟ : ଭୂପତି ପରିଡା