ବାବା ବେଶରେ ଆର୍ଶିବାଦ ଦେଇ ଲୁଟିନେଲେ ସୁନାଗହଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିନ ଦ୍ୱି ପ୍ରହରରେ ଜନଗହଳିପୂର୍ଣ୍ଣ ବିଚ୍ ବଜାରରେ ଜଣେ ମହିଳାଙ୍କ ଠାରୁ ବାବା ବେଶରେ ଆସି ୩ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇ ଚମ୍ପଟ ମାରିବା ଘଟଣା ଜଳେଶ୍ୱର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ପଶ୍ଚିମବଙ୍ଗର ଯାଦବପୁର ଅଞ୍ଚଳର ଜୟା ଦେ ନିଜ ବାପ ଘର ବାଲେଶ୍ୱର ଜିଲାର ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ବଡବଜାରସ୍ଥିତ କରସାହିକୁ ବୁଲି ଆସିଥିଲେ । ମଙ୍ଗଳବାର ମଧ୍ୟାହ୍ନରେ ସେ ଏକ ଚୁଡି ଦୋକାନକୁ ଯିବା ସମୟରେ ୨ଜଣ ବାବା ବେଶରେ ଦୁବୃତ୍ତ ତାଙ୍କ ରାସ୍ତା ଓଗାଳିଥିଲେ । ମହିଳା ଜଣକ ବିଭିନ୍ନ ମାନସିକ ସମସ୍ୟା ମଧ୍ୟରେ ଗତି କରୁଥିବା ଓ ତାଙ୍କ ପୁତ୍ର ଅକାଳରେ ମରିଯିବାର ଭବିଷ୍ୟବାଣୀ ଶୁଣାଇ ବିଶ୍ୱାସ ଜମାଇଥିଲେ । ତାଙ୍କ ଗ୍ରହ ଖଣ୍ଟନ ଲାଗି କିଛି କର୍ପୁର ଅଣାଇ ଭୌତିକ କାର୍ଯ୍ୟ ଆରମ୍ଭ କରି ସମ୍ମୋହନ କରିଥିଲେ । ମହିଳା ଜଣକୁ ପିନ୍ଧଥିବା ସୁନା ହାର, କାନଫୁଲ, ହୀରା ମୁଦି ଓ ସୁନା ବଳା ଆଦି ଅଳଙ୍କାର ବାହାର କରି ଗୋଟିଏ ପର୍ସରେ ରଖିବାକୁ କହିଥିଲେ । ଏହାପରେ ତାଙ୍କୁ ଆଖିବୁଜି ଆର୍ଶିବାଦ ଦେବା ବାହାନାରେ ଅଡେଇ ପାଦ ଆଗକୁ ଯିବାକୁ ପ୍ରବର୍ତ୍ତାଇ ଥିଲେ । ଏହାର ସୁଯୋଗ ନେଇ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଅନ୍ୟଜଣେ ସହକର୍ମୀଙ୍କ ବାଇକ୍‌ ଯୋଗେ ଗହଣା ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ । ମହିଳା ଜଣକ ପଛକୁ ଘୁରି ଚାହିଁବା ପରେ ତାଙ୍କ ପିଛା କରି ବିଫଳ ହୋଇଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ଆଖପାଖରେ ଥିବା ସିସି ଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚାଲିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଜଳେଶ୍ୱର ଥାନାଠାରୁ ମାତ୍ର ୨୦୦ ମିଟର ଦୂର ଉକ୍ତ ସ୍ଥାନରେ ଏପରି ବାରମ୍ବାର ଛିନ୍‌ତାଇ ଓ ରାହାଜାନି ଘଟୁଥିବାରୁ ପ୍ରଶାସନକୁ ଚ୍ୟାଲେଞ୍ଜ ହେଉଥିବା ସାଧାରଣରେ ଆଲୋଚନା ହେଉଛି ।

ରିପୋର୍ଟ : ଭୂପତି ପରିଡା