ନିର୍ବାଚିତ ପ୍ରତିନିଧି ଓ ଅଧିକାରୀଙ୍କୁ ନେଇ ବିଧାୟକଙ୍କ ବନ୍ୟା ସମୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡାରେ ବର୍ଷା ଲାଗି ରହିଥିବାରୁ ଓ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ନଦୀର ତଳମୁଣ୍ଡ ଜଳେଶ୍ୱର, ଭୋଗରାଇ, ବାଲିଆପାଳରେ ବନ୍ୟା ଦେଖାଦେଇଛି । ୫ଦିନ ଧରି ଏ ଅଂଚଳରେ ବର୍ଷା ହେଉଥିବାରୁ ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଙ୍କ ସୁରକ୍ଷାକୁ ଲକ୍ଷ୍ୟକରି ଆଜି ଶୁକ୍ରବାର ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ବ୍ଲକ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ତହସିଲଦାର ଶଂକର ପଟ୍ଟନାୟକ, ବିଡିଓ ଦିପ୍ତିରଂଜନ ସେଠୀ, ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାସଚନ୍ଦ୍ର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ପୌରଅଧିକାରୀ ଅଜୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ବନ୍ୟ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ରାୟାଁରାମଚନ୍ଦ୍ରପୁର ପଂଚାୟତର ମେଳକ, ବାଇଗଣବାଡିଆ ପଂଚାୟତର ଆକନା, ପଶ୍ଚିମବାର୍ଡ ପଂଚାୟତର ଚଡଚୋରମରା ଗାଁ ନଦୀକୂଳ ଏବଂ ତଳିଆ ଅଂଚଳ ହୋଇଥିବାରୁ ଗ୍ରାମବାସୀଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା । ବର୍ଷାପରେ ଅଦ୍ୟାବଧି ପଲିଥିନ, ଶୁଖିଲାଖାଦ୍ୟ ଦୁର୍ଗତଙ୍କୁ ଦିଆଯାଇନଥିବା ସମ୍ପର୍କରେ ଉପସ୍ଥିତ ନିର୍ବାଚିତ ପ୍ରତିନିଧି ଓ ନେତୃସ୍ଥାନୀୟ ବ୍ୟକ୍ତିମାନେ ଅଭିଯୋଗ କରିଥିଲେ । ବର୍ଷା ପରବର୍ତ୍ତୀ ସମୟ ଏବଂ ବନ୍ୟା ଦେଖା ଦେଇଥିଲେ ମଧ୍ୟ ବ୍ଲକ ପକ୍ଷରୁ ପ୍ରତି ପଂଚାୟତର ସୁରକ୍ଷା ଓ ଜନସାଧାରଣଙ୍କ ଅସୁବିଧା ଜାଣିବାଲାଗି କର୍ମଚାରୀ (ସବ୍‌-ଜୁନ୍ ଅଫିସର)ଙ୍କୁ ନିଯୁକ୍ତି ଦିଆଯାଇନଥିବା ଅନ୍ୟଏକ ଅଭିଯୋଗ ହୋଇଥିଲା । ଅତିଶୀଘ୍ର ପଲିଥିନ ଓ ଶୁଖିଲାଖାଦ୍ୟ ଯୋଗାଇବାର ବ୍ୟବସ୍ଥା, ନଦୀବନ୍ଧ ସୁରକ୍ଷାଲାଗି ପର୍ଯ୍ୟନ୍ତ ବାଲିବସ୍ତା ଓ ବନ୍ୟାପରିସ୍ଥିତିଲାଗି ପ୍ରତି ପଂଚାୟତଲାଗି କର୍ମଚାରୀ ନିଯୁକ୍ତି କରିବାକୁ ବିଧାୟକ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ । ମେଳକ-ବାଘମାରୀ ରାସ୍ତା ନିର୍ମାଣ, ଶିଖରପୁର ଠାରୁ ଲକ୍ଷ୍ମଣନାଥ ପର୍ଯ୍ୟନ୍ତ ନଦୀବନ୍ଧକୁ ଜଗିବା ଓ ମରାମତି କରିବା ଏବଂ କଣ୍ଟାପାଳର ୨ଟି ସ୍ଥାନରେ ନଦୀବନ୍ଧପ୍ରତି ବିପଦ ଥିବାରୁ ବାଲିବସ୍ଥା ପ୍ରସ୍ତୁତ କରି ରଖିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ୩୦ କ୍ୟୁଣ୍ଟାଲ ଚୁଡା ଗଚ୍ଛିତ ରଖାଯିବା ସହ ସରକାରୀଭାବେ ଥିବା ଲଞ୍ଚ ଓ ଭଡା ନୌକା ପ୍ରସ୍ତୁତ ରଖିବାକୁ କୁହାଯାଇଥିଲା । ଏହି ଆଲୋଚନାରେ ମାନସ ଜେନା, ମଧୁସୁଦନ ସେନାପତି, ପ୍ରତିପ ପ୍ରଧାନ, ଶଂକର ଘୋଷ, ବିଜୟ କାମିଳା, ସତ୍ୟଶୋଭନ ମିଶ୍ର, ସତ୍ୟରଂଜନ ଦାସ, ଦିଲ୍ଲିପ ପରିଡା, ଇଂ ଧିରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା