ଧାନ ଜମିରେ ହାତୀର ମୃତ ଦେହ : କ୍ଷତି ପୂରଣ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ପନାଡ଼ ଗାଁ ନିକଟ ଏକ ଧାନ ଜମିରେ ଏକ ବଣୁଆ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଏକ ହାତୀ ବୟସ ପ୍ରାୟ ୪-୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ଜମି ମଝିରେ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଏହାପରେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରାଣୀ ବିଭାଗ ସହାୟତାରେ ହାତୀଟିର ମୃତ୍ୟୁ କିଭଳି ହୋଇଛି ସେ ନେଇ ତଦନ୍ତ ଆରମ୍ଭ କରିବା ସହ ହାତୀଟିର ବ୍ୟବଚ୍ଛେଦ କରି ପୋତି ଦିଆଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେଲା ଭଞ୍ଜନଗର ଘୁମୁସର ବନ ଜିଭିଜନରୁ ଏକ ୧୩ ଜଣିଆ ବଣୁଆ ହାତୀ ପଲ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ଘୁରି ବୁଲୁଥିବା ଜଣାଯାଇଛି । ତେବେ ଗତ ଏକ ସପ୍ତାହ ହେଲା ଏହି ହାତି ପଲ ଚିକିଟି ବ୍ଲକ ଅନ୍ତର୍ଗତ ପନାଡ଼ ଗାଁ ନିକଟରେ ଥିବା ଜଙ୍ଗଲରେ ବୁଲୁଛନ୍ତି ଏବଂ ଗାଁ ନିକଟରେ ଥିବା ଧାନ ଫସଲ ନଷ୍ଟ କରୁଛନ୍ତି । ଗତକାଲି ରାତିରେ ମଧ୍ୟ ଏହା ହାତୀ ପଲ ଗାଁ ନିକଟ ଧାନ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଏକ ଛୋଟ ହାତୀର ମୃତ ଦେହ ପନାଡ଼ ଗାଁର ହେମ ଗୌଡ଼ ନାମକ ଜଣେ ଚାଷୀର ଧାନ ଜମି ମଝିରେ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ । ଏନେଇ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ପ୍ରତ୍ୟେକ ବର୍ଷ ଧାନ ଅମଳ ସମୟରେ ହାତୀ ପଲ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିବା ସ୍ଥାନୀୟ ଚାଷୀମାନେ କହିଛନ୍ତି । ଏଣୁ ବନ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ମଧ୍ୟ ଦାବି କରିଛନ୍ତି । ସେପଟେ ପ୍ରାଣୀ ବିଭାଗ ସହାୟତାରେ ହାତୀଟିରେ କିଭଳି ମୃତ୍ୟୁ ହୋଇଛି ସେ ନେଇ ଯାଞ୍ଚ ମଧ୍ୟ କରାଯାଉଛି  । ଏହାସହ ହାତୀଟିରେ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାବେଳେ ହାତୀ ପଲଙ୍କ ମଧ୍ୟରେ ସଂଘର୍ଷ ଲାଗି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏହାସହ ଗାଁ ଲୋକଙ୍କ ସହାୟତାରେ ହାତୀଟିକୁ ପୋତି ଦିଆଯାଇଛି । ବଣୁଆ ହାତୀ ପଲଙ୍କ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଉଥିବା ବେଳେ ଚାଷୀଙ୍କୁ ବନ ବିଭାଗ ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ମୃତ ହାତୀଟିର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସଠିକ୍ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି  ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା