ଢେଙ୍କାନାଳ ସଚେତନ ନାଗରିକ ଫୋରମ ମହିଳା ଶାଖା ପକ୍ଷରୁ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ଓଡ଼ିଶାର ଅଗ୍ନି କନ୍ୟା ତଥା ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜନ୍ମ ଜୟନ୍ତୀ ଭର୍ଚୁଆଲ ମୋଡ ମାଧ୍ୟମରେ ପାଳିତ ହୋଇଯାଇଛି l ଫୋରମର ମହିଳା ସଭାନେତ୍ରୀ ପ୍ରଭାତୀ ମହାପାତ୍ର ଏଥିରେ ସଭାପତିତ୍ୱ କରିବା ସାଙ୍ଗ ସଂଗେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ ଓ ସ୍ଵୀୟ ଅଭିଭାଷଣରେ ନନ୍ଦିନୀ ଦେବୀଙ୍କ ଜୀବନାଦର୍ଶ ଆଜିର ନାରୀ ସମାଜର ପାଥେୟ ହେଉ ବୋଲି ଦୃଢ଼ ଅଶାପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ, ଫୋରମର ଜିଲ୍ଲା ସଭାପତି ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର,ଫୋରମର କାର୍ଯ୍ୟକାରି ସଭାପତି ତଥା ପୂର୍ବତନ ନଗରପାଳ ସୁରେନ୍ଦ୍ର କୁମାର ମିଶ୍ର, ଫୋରମର ଉପସଭାପତି ବିଶିଷ୍ଟ ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ, ଫୋରମର ସମ୍ପାଦକ ଭରତ କୁମାର ଦାଶ ସ୍ଵ ସ୍ଵ ବକ୍ତବ୍ୟରେ ନନ୍ଦିନୀ ଦେବୀଙ୍କ ଜୀବନର ସାମଗ୍ରିକ ସଫଳତା ହିଁ ତାଙ୍କୁ ବିଶ୍ୱ ଦରବାରରେ ଜଣେ ଅନନ୍ୟା,ଅଦ୍ଵିତୀୟା ସଫଳ ନାରୀ ପ୍ରତିଭା ଭାବରେ ପ୍ରତିଷ୍ଠିତ କରିପାରିଛି ବୋଲି ଦୃଢ ମତ ପୋଷଣ କରିଥିଲେ । ପ୍ରାରମ୍ଭରେ ନନ୍ଦିନୀ ଦେବୀଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଫୋରମର ଯୁଗ୍ମ ସମ୍ପାଦକ ଗୁପ୍ତେଶ୍ୱର ମିଶ୍ରଙ୍କ ସହିତ ଫୋରମର ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗର ସଭାପତି ଡା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ନନ୍ଦିନୀ ଶତପଥିଙ୍କ ଜନ୍ମ,ବାଲ୍ୟକାଳ,ଯୌବନ ସମୟର ବୈପ୍ଳବିକ କାର୍ଯ୍ୟ, ରାଜନୈତିକ ଜୀବନର ଅଭୁଲା ସଫଳତା, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସର୍ବୋପରି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ଗୌରବ, ଅନେକ ଲୋକହିତକର କାର୍ଯ୍ୟସୂଚୀର ସଠିକ ଓ ସଫଳ ରୂପାୟନ, ସାହିତ୍ୟିକ ଜୀବନର ପରାକାଷ୍ଠା ପ୍ରଦର୍ଶନ କରି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ ପରି ତାଙ୍କର ଅନେକ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ସେହି ଅନନ୍ୟା ବହ୍ନି କନ୍ୟାଙ୍କ ସ୍ମୃତିରେ ଗୋଟିଏ ସନେଟ ଆବୃତ୍ତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଧରିତ୍ରୀ ମଲ୍ଲିକ, ଗୀତାଞ୍ଜଳି ବେହେରା, ରୁଣୁବାଳା ସାହୁ, ଶିଳ୍ପୀଶ୍ରୀ ହରିଚନ୍ଦନ, ବନଜା ମାନସିଂହ, ରିତାଞ୍ଜଳୀ ସାହୁ,ଗାନ୍ଧୀ ବାଦୀ ନେତା ସରୋଜ ଶତପଥି, ଅମରେନ୍ଦ୍ର ସାହୁ, ଅମ୍ବିକା ମିଶ୍ର, ଦୟାନିଧି ବେହେରା, ମିଟୁନା ବେହେରା, ରମେଶ ରାଜ, ମନୋଜ ପାଣିଗ୍ରାହୀ, ମନୋରଞ୍ଜନ ପାଳ, ସରୋଜ ମହାଳିକ, ରଞ୍ଜିତ ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ ବ୍ଲକରୁ ପର୍ଯ୍ୟାୟକ୍ରମେ ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ସକ୍ରିୟ ଭାବରେ ଭାଗ ନେଇ ସ୍ଵ ସ୍ଵ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସମସ୍ତେ ନନ୍ଦିନୀ ଦେବୀଙ୍କ ସ୍ମୃତିଚାରଣ କରି ତାଂକପ୍ରତି ନିଜ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମସ୍ତେ ଏକ ସ୍ୱରରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟକୁ ଓ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମକୁ ନନ୍ଦିନୀ ଦେବୀଙ୍କ ନାମରେ ନାମିତ କରାଯିବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହେଲା ବୋଲି ଘୋଷଣା କରିବା ସଙ୍ଗେ ସଙ୍ଗେ ଏଥିପାଇଁ ଆଗାମୀ ଦିନରେ ବିହିତ ପଦକ୍ଷେପ ଗ୍ରହଣ କରି ଏହାକୁ କାର୍ଯ୍ୟକାରୀ କରାଯିବାପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନର ସାମୂହିକ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ପରିଶେଷରେ ଫୋରମର ମହିଳା ଶାଖାର ଉପସଭାପତି ବନଜା ମାନସିଂହ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ସଭାର ପରିସମାପ୍ତି ଘୋଷଣା କରିଥିଲେ ।