ଜଳେଶ୍ୱରରେ ଅଟ୍ରାସାଉଣ୍ଡ ମେସିନ୍‌ ନଥିବା ଯୋଗୁଁ ଗର୍ଭବତୀ ମହିଳା ଚିକିତ୍ସାରୁ ବଞ୍ଚିତ : ଆଶାକର୍ମୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଓ ମ୍ୟୁନିସିପାଲଟିରେ ୨ଲକ୍ଷ ୬୪ହଜାର ଲୋକେ ବାସ କରୁଥିବା ବେଳେ କେବଳ ଜଳେଶ୍ୱର ଜିକେ ଭଟ୍ଟର ଡାକ୍ତରଖାନାରେ ପ୍ରତିଦିନ ୧୦ଟି ନବଜାତକ ଜନ୍ମ ହୋଇଥାନ୍ତି । ବିଭିନ୍ନ ଘରୋଇ ଚିକିତ୍ସାଳୟରେ ମଧ୍ୟ ଅନୁରୂପ ଭାବେ ନବଜାତକ ଜନ୍ମ ହୋଇଥାନ୍ତି । କିନ୍ତୁ ପ୍ରସୂତୀମାନଙ୍କ ଚିକିତ୍ସାର ସୁବିଧା ଲାଗି ବିଶେଷ କରି ଅଟ୍ରାସାଉଣ୍ଡର ସୁବିଧା ନ ଥିବାରୁ ଗର୍ଭବତି ମହିଳାମାନେ ଖର୍ଚ୍ଚାନ୍ତ ହୋଇ ଦୂର ବାଲେଶ୍ୱର, କଟକ, ଭୂବନେଶ୍ୱରକୁ ଯିବାକୁ ବାଧ୍ୟ ହୋଇଥାନ୍ତି । ଅନ୍ୟପକ୍ଷରେ ଏହି ସୁବିଧା ନଥିବାରୁ ଡାକ୍ତରମଧ୍ୟ ପ୍ରସୂତୀ ଓ ଗର୍ଭସ୍ଥ ଶିଶୁର ଚିକିତ୍ସାରେ ଅସୁବିଧା ଭୋଗିଥାନ୍ତି । ଅତୀତରେ ଜଳେଶ୍ୱର ସହରର ୨ଟି ସ୍ଥାନରେ ବେସରକାରୀ ଭାବେ ଅଟ୍ରାସାଉଣ୍ଡର ବ୍ୟବସ୍ଥା ଥିବା ବେଳେ ସରକାରୀ ନିତୀନିୟମକୁ ଲକ୍ଷ୍ୟ କରି ତାହା ବନ୍ଦ ହୋଇ ଯାଇଛି । ଏଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଆଶାକର୍ମୀମାନେ ଅସୁବିଧା ଭୋଗି ଆସୁଛନ୍ତି । ଗ୍ରାମାଂଚଳରେ ପ୍ରସୂତି ମାନଙ୍କର ସୁବିଧା ଓ ଚିକିତ୍ସା ଆଶା କର୍ମୀମାନେ ବୁଝିଥାନ୍ତି । ତେଣୁ ସେମାନେ ଗତ ୩ବର୍ଷ ଧରି ହଇରାଣ ହରକତ ହୋଇ ଆସୁଥିବାରୁ ଜିକେଭଟ୍ଟର ହସ୍‌ପିଟାଲରେ ଅଟ୍ରାସାଉଣ୍ଡ ମେସିନ୍ ଯୋଗାଇବାକୁ ବାରମ୍ବାର ଦାବି କରିଆସୁଛନ୍ତି । ଆଜି ଜଳେଶ୍ୱରରେ ଥିବା ୧୭୭ ଜଣ ଆଶା କର୍ମୀଙ୍କ ସଭାପତି ଚାରୁବାଳା ମହାପାତ୍ର ଏ ସମ୍ପର୍କରେ ସବିଶେଷ ଦାବି ଜଣାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଳେଶ୍ୱର ବିଡିଓଙ୍କ ଜରିଆର ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଯୋଗ୍ୟ ଗତ କିଛିଦିନ ତଳେ ଆଶାକର୍ମୀ ଓ ଅନ୍ୟ କେତେକ ସମାଜସେବୀ ତଥା ନେତୃସ୍ଥାନୀୟ ବ୍ୟକ୍ତି ଜଳେଶ୍ୱର ତହସିଲଦାର ସ୍ମୃତିରଂଜନ ମଲ୍ଲିକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ମେସିନ୍ ଯୋଗାଇ ନ ଦେଲେ ଆସନ୍ତା ଦିନରେ ଏକ ଜନଆନ୍ଦୋଳନ ହେବାର ସୂଚନା ମିଳୁଛି ।

ରିପୋର୍ଟ : ଭୂପତି ପରିଡା