ଚାଷୀ ମୁଣ୍ଡରେ ଅଦିନିଆ ବର୍ଷା ମାଡ଼ : ନଷ୍ଟ ହେଲା ପ୍ରଚୁର ଅମଳ ପାଚିଲା ଧାନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଅଦିନିଆ ବର୍ଷା ଯୋଗୁ କାଶୀନଗର ବ୍ଲକ ଓ ଏନଏସିରେ ଚାଷୀମାନଙ୍କ ପ୍ରଭୂତ କ୍ଷତି ଘଟିଛି । ଅମଳ ପରେ ବିଲରେ ଖୋଲାରେ ସେମାନେ ରଖିଥିବା ଧାନ ସବୁ ଓଦା ହୋଇଯାଇଛି । କିଛି ଚାଷୀଙ୍କର ଟର୍ପଳୀନ ଅଭାବରୁ ଧାନ ଗୁଡିକ ଭିଜିଯାଇଥିବା ବେଳେ କେତେକ ଚାଷୀଙ୍କ ଘୋଡାଇ ରଖିଥିଲେ ମଧ୍ୟ ଧାନ ଓ ଧାନ ବସ୍ତା ଗୁଡିକ ଭିଜି ଯାଇଥିବା କହିଛନ୍ତି । କାଶୀନଗରର ବିଶ୍ୱନାଥ ଲେଙ୍କା, ରାମ ସାହୁ, ଅର୍ଜୁନ ବଡ଼ପନ୍ଦରାଙ୍କ ବହୁ ଧାନ ନଷ୍ଟ ହୋଇଥିବା କହିଛନ୍ତି । ଉଲ୍ଲେଖି ଯୋଗ୍ୟ ଯେ, ଚଳିତ ବର୍ଷ ମଣ୍ଡିରେ ଧାନ କିଣିବା କାମ ନିର୍ଦ୍ଧିଷ୍ଟ କେତେକ ଏସଏଜିକୁ ଦିଆଯାଇଛି, ଏହି କାମ ପାଇନଥିବା ଏସଏଜି ଗୁଡିକ ତେଣୁ ଆନ୍ଦୋଳନର ପନ୍ଥା ଆପଣାଇଛନ୍ତି । ପ୍ରଶାସନର ନିଷ୍ପତି ପକ୍ଷପାତୀତାମୂଳକ ବୋଲି ଅଭିଯୋଗ ଆଣି ରାସ୍ତାରୋକ କରିଛନ୍ତି ବିଭିନ୍ନ ସ୍ଥାନରେ । ଫଳରେ ମଣ୍ଡିରେ ଧାନ କିଣିବା କାମ ବିଳମ୍ବିତ ହୋଇଛି । ଏହି କାମରେ ବିଳମ୍ବ ଯୋଗୁ ହିଁ ସେମାନଙ୍କୁ କ୍ଷୟକ୍ଷତିର ସମୁଖୀନ ହେବାକୁ ପଡିଲା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ସେମାନେ ବି ଜଣାଇଛନ୍ତି ଯେ, ଜଣେ ଚାଷୀ ଦ୍ୱାରା ଉପାଦିତ ସବୁ ଧାନ ବିକ୍ରି କରିବାକୁ ଟୋକେନ ମିଳୁନାହିଁ, ଟୋକେନ ମିଳିବା ଚାଷୀକୁ ଧାନମିଲ ଵାଲା ନେବାରେ ଅବହେଳା କରିବା କହିଛନ୍ତି । ୨୫ବସ୍ତା ଧାନ ଉପ୍ତାଦିତ ହୋଇଥିଲେ, ୧୫ବସ୍ତା ଧାନ ବିକ୍ରି ପାଇଁ ଟୋକେନ ମିଳୁଛି । ଅଵିଶିଷ୍ଟ ଧାନ ତେଣୁ ସେମାନେ ଶସ୍ତାରେ ବିକିବା ସକାଶେ ବାଧ୍ୟ ହେଉଛନ୍ତି । କାଶୀନଗର ରଇତ ସଙ୍ଘ ତରଫରୁ ପ୍ରତି ବର୍ଷ ଚାଷୀମାନଙ୍କୁ ଦୁଇଟି ବଡ଼ ଟ୍ରଫିଲନ ଯୋଗାଇ ଦେବାକୁ ଦାବି ହୋଇଛି । ସବୁ ଗ୍ରାମରେ ଗୋଦାମ ନିର୍ମାଣ ଓ ଅଦିନିଆ ବର୍ଷାରେ ଚାଷୀମାନଙ୍କ ଧାନ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆ ଯିବା ଉପରେ ସଂଘ ସଭାପତି ପ୍ରଶାନ୍ତ ମିଶ୍ର ଗୁରୁତ୍ୱ ଆରୋପ କରିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା