Breaking News

…ଗୋପୀମାନଙ୍କ ପ୍ରେମ…

କୃଷ୍ଣଙ୍କ ପ୍ରତି ଗୋପୀ ମାନଙ୍କ ପ୍ରେମ ଏକ ଶାରୀରିକ ବାସନା ନ ଥିଲା । ଏହା ଥିଲା ପରମ ପ୍ରେମ । କାରଣ ସେମାନଙ୍କ ପାଇଁ କୃଷ୍ଣ ଥିଲେ ଚଳନ୍ତି ଭଗବାନ । ସେ ଥିଲେ ପରମ ଭଗବାନଙ୍କ ଚଳନ୍ତି ପ୍ରତିଛବି । ସେମାନଙ୍କ ଭକ୍ତି ଥଲା ଗଭୀର । ସେମାନେ କୃଷ୍ଣ ଚିନ୍ତା କଲାବେଳେ ନିଜର ସାଂସାରିକ କର୍ମ ଭୂଲି ଯାଉ ଥିଲେ । ସେମାନେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଥିଲେ । ବାଲ୍ୟ କାଳରୁ ହିଁ କୃଷ୍ଣ ସେମାନଙ୍କ ହୃଦୟ କନ୍ଦରକୁ ଆକର୍ଷଣ କରି ରଖିଥିଲେ । ସେ ଏକ ଅତୀବ ମଧୁର ବାଳକ ଥିଲେ । ସେ ଥିଲେ ସୁନ୍ଦରତାର ଅବତାର । ତେଣୁ ଗୋପୀମାନେ ତାଙ୍କୁ ବାଲ୍ୟକାଳରୁ ଭଲ ପାଇ ବସିଲେ। ସେମାନେ ନିଜ ଛୁଆକୁ ଗେଲ କଲା ଭଳି କୃଷ୍ଣଙ୍କୁ ଗେଲ କରୁଥିଲେ ଓ ଆଲିଙ୍ଗନ କରୁଥିଲେ । ବୃନ୍ଦାବନର ଗୋପାଙ୍ଗନାମାନେ କୃଷ୍ଣଙ୍କୁ ଭାଇ ଭଳି ଭଲ ପାଉଥିଲେ । କଣ ଭାଇ ଓ ଭଉଣୀ ଭିତରେ କୌଣସି ଦୈହିକ ପ୍ରେମ ସମ୍ଭବ ? ଜଣେ ଭଉଣୀ ତାର ଭାଇକୁ ଭଲ ପାଏ ‌। ସେ ତାକୁ ଆଲିଙ୍ଗନ କରେ ତା’ ସହିତ ଗେଲ ହୁଏ ଗୋପୀ ଓ କୃଷ୍ଣଙ୍କ ସମ୍ପର୍କ ଏଇ ପ୍ରକାର ଥିଲା । ଧିରେ ଧିରେ କୃଷ୍ଣଙ୍କ ପ୍ରତି ସେମାନଙ୍କ ପ୍ରୀତି ଦିବ୍ୟ ପ୍ରେମ ରୂପ ଧାରଣ କଲା । ସେମାନେ ଦଧି ମନ୍ଥିଲାବେଳେ, କୂଅରୁ ପାଣି କଢିଲାବେଳେ କେବଳ କୃଷ୍ଣଙ୍କୁ ଚିନ୍ତା କରୁଥିଲେ । ସେମାନେ ସ୍ନାନ କଲାବେଳେ ତାଙ୍କର ଗୁଣଗାନ କରୁଥିଲେ । ସେମାନେ ଖାଇଲାବେଳେ ତାଙ୍କୁ ସ୍ମରଣ କରୁଥିଲେ ଓ ସବୁବେଳେ ମନେ ପକାଉ ଥିଲେ । ଭଗବାନଙ୍କ ଅବିରତ ସ୍ମରଣ ସାଧନା ଫଳରେ ତାଙ୍କର ମନ କୃଷ୍ଣମୟ ହୋଇ ଯାଇଥିଲା । ଏହା ମଧ୍ୟ ସମ୍ଭବ ହୋଇପାରେ ଯେ ଗୋପୀମାନଙ୍କର ବୟସ ବଢିବା ସଙ୍ଗେ ସଙ୍ଗେ ସେମାନେ ଦୈହିକ ପ୍ରେମରେ ପରିଚାଳିତ ହୋଇ ପାରନ୍ତି କାରଣ ଏହା ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ପାଇଁ ପ୍ରଯୁଜ୍ୟ । ଶୟନ, ଆହାର ଓ ମୈଥୁନ ସମସ୍ତ ଜୀବନ୍ତ ପ୍ରାଣୀ ପାଇଁ ଏକ ସାଧାରଣ ବିଷୟ । କିନ୍ତୁ, ଭଗବାନ ଗୋପୀମାନଙ୍କ ମନକୁ ଭଲ ଭାବରେ ପରଖି ଥିଲେ । ସେ ଗୋପୀମାନଙ୍କ ମନରୁ କାମ ଭାବ ସମ୍ପୂର୍ଣ୍ଣ ଭାବରେ ବିଲୋପ କରି ସେମାନଙ୍କ ହୃଦୟକୁ ସମୁଚିତ ଦିଗରେ ପରିବର୍ତ୍ତିତ କରିଥିଲେ । ଏଥିଯୋଗୁଁ ଏହି ଉଦ୍ଦେଶ୍ୟରେ ଭଗବାନ କୃଷ୍ଣ ଗୋପୀମାନଙ୍କ ସହ ରାସଲୀଳା କରିଥିଲେ । ରାସଲୀଳା ସମୟରେ ସେ ନିଜକୁ ଅନେକ କୃଷ୍ଣ ଭାବରେ ପରିବର୍ଦ୍ଧିତ କରିଥିଲେ । ଗୋପୀମାନେ ବିସ୍ମୟ ଚକିତ ହୋଇ ଯାଇଥିଲେ । କୃଷ୍ଣଙ୍କ ଏହି ଅଲୌକିକତା ପାଇଁ ଶାରୀରିକ ପ୍ରେମର ସମସ୍ତ ଭାବ ଗୋପୀମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ ହୋଇ ଯାଇଥିଲା । ଦେବତାମାନେ ଆକାଶରୁ ଫୁଲ ବର୍ଷା କରିବା ସେମାନେ ଦେଖିଥିଲେ । ବିଦ୍ୟାଧର, ଗନ୍ଧର୍ବ, ଯକ୍ଷ ଓ ଚାରଣମାନେ ଭଗବାନ କୃଷ୍ଣଙ୍କ ସ୍ତୁତି ଗାନ କରୁଥିବା ସେମାନେ ଦେଖିଥିଲେ । ରାସଲୀଳା ସମୟରେ ଭଗବାନଙ୍କ ଆନନ୍ଦଦାୟୀ ସାହଚର୍ଯ୍ୟରେ ସେମାନେ ଉପଭୋଗ କଲେ ଏଭଳି ଏକ ଆନନ୍ଦ ଯାହା ଇନ୍ଦ୍ରିୟଗ୍ରାହୀ ଆନନ୍ଦଠାରୁ କୋଟୀ ଗୁଣରେ ଅଧିକ ଥିଲା । ସେମାନେ ସମାଧିରେ ଆନନ୍ଦ ବା ଭଗବାନଙ୍କ ସାହଚର୍ଯ୍ୟ ଉପଭୋଗ କଲେ । ଏହା ହେଉଛି ଏଇଆ, ତାହା ହେଉଛି ସେଇଆ – ଏହି ପୃଥକତା ର ଭାବନା ହେଉଛି କେବଳ ମଣିଷର ଭ୍ରମ, ଯାହାର ମନ ବହିର୍ମୁଖୀ ଓ ଅସଂଯତ ଏବଂ ଯିଏ ଭଗବାନଙ୍କ ସହିତ ମିଳିତ ହୋଇନାହିଁ । ଅସଂଯତ ମଣିଷ ବହୁ ବସ୍ତୁ ଭ୍ରମର ଶିକାର ହୁଏ । ଏହି ଭ୍ରମ ଯଶ ଅପଯଶ, ଠିକ ଭୂଲ, ଭଲ ମନ୍ଦ ଆଡକୁ ନେଇ ଯାଏ । ଅନିୟନ୍ତ୍ରିତ ଜୀବ ଇନ୍ଦ୍ରିୟର ସ୍ଵାଭାବିକ ବାହ୍ୟ ଗମନ ପ୍ରବୃତ୍ତିରୁ ଜାତ ବିବିଧତା ଦ୍ଵାରା ବାଉଳା ଓ ଉଦଭ୍ରାନ୍ତ ହୁଏ । ସଂସାରରେ ନିଜକୁ ଏକ ସ୍ଵତନ୍ତ୍ର ସତ୍ତା ହିସାବରେ କଳ୍ପନା କରି କାମନା ପ୍ରତିପୋଷଣ କରେ ଓ ଇନ୍ଦ୍ରିୟ ବସ୍ତୁ ସୁଖ ଉପଭୋଗ କରେ। କର୍ମ ଅକର୍ମ ଓ ବିକର୍ମ ଏହି ସବୁ ମନ, ଇନ୍ଦ୍ରିୟ ଓ ବୁଦ୍ଧି ଦ୍ଵାରା ପ୍ରସ୍ତୁତ ବିବିଧତାର ମାୟାରୁ ଜାତ। କର୍ମ ଅକର୍ମ ଓ ମନ୍ଦ କର୍ମ କେବଳ ସେହି ମଣିଷ ପାଇଁ ପ୍ରଯୁଜ୍ୟ ଯାହାର ଯଶ ଅପଯଶ ଠିକ ଭୂଲ ଓ ଭଲ ମନ୍ଦ ଧାରଣା ଥାଏ । ବିଭିନ୍ନତା ଭାବନାରୁ ଜନ୍ମ ନେଇଥିବା ମାୟା ଠିକ ଭୂଲ, ଭଲ ମନ୍ଦ ଯଶ ଅପଯଶ ଅନୁଭବ ବା କଳ୍ପନା ସୃଷ୍ଟି କରେ । ବିହିତ କର୍ମ ସମ୍ପନ୍ନ କରିବା ପାଇଁ ବେଦ କୁହନ୍ତି ଏବଂ ବିହିତ କର୍ମ ନ କରିବା, ମନ୍ଦ କର୍ମରେ ପ୍ରବୃତ୍ତ ହେବା କେବଳ ସେହିମାନଙ୍କ ପାଇଁ ଅଭିପ୍ରେତ ଯେଉଁମାନେ ଭଲ ମନ୍ଦ, ଠିକ ଭୂଲ, ଯଶ ଅପଯଶ ଭାବନା ପ୍ରତିପୋଷଣ କରନ୍ତି । ଜଣେ ଲୋକ ଅହଂକାର ଭାବନା ପରିତ୍ୟାଗ କରିବା, ମନ ଓ ଇନ୍ଦ୍ରିୟକୁ ସଂଜତ କରିବା ଉଚିତ ଓ ସାରା ବ୍ରହ୍ମାଣ୍ଡକୁ ବ୍ରହ୍ମମୟ ଦେଖିବା ଉଚିତ । ବ୍ରହ୍ମାଣ୍ଡ ମଧ୍ୟରେ ସେ ନିଜ ସ୍ଵଭାବ, ଆନନ୍ଦ ଓ ଐକ୍ୟଭାବର ଗୁଢ ରହସ୍ୟ ଅନୁଭବ କରିବା ଉଚିତ ଓ ନିଜ ଭିତରେ ପରିବ୍ୟାପ୍ତ ବ୍ରହ୍ମାଣ୍ଡକୁ ଓ ନିଜକୁ ପରମ ଭଗବାନଙ୍କ ଭିତରେ ଅବଲୋକନ କରିବା ଉଚିତ । ଯେଉଁମାନେ ଭଲ ମନ୍ଦ ଭାବନାର ଉର୍ଦ୍ଧ୍ବକୁ ଉଠି ସାରିଛନ୍ତି ସେମାନେ ମନ୍ଦ ପରିଣାମ ବା ଭୟ କାରଣରୁ ଅବିହିତ କର୍ମ କରିବାରୁ ନିବୃତ୍ତ ହୁଅନ୍ତି ନାହିଁ କିମ୍ବା ସେମାନେ ଯଶ ମିଳିବ ବୋଲି ବିହିତ କର୍ମ କରନ୍ତି ନାହିଁ କିନ୍ତୁ ସେ ଶିଶୁଙ୍କ ଭଳି କାମ କରି ଚାଲନ୍ତି । ଶାସ୍ତ୍ରୀୟ ଉପଦେଶ ପ୍ରଦତ୍ତ ସ୍ଵତନ୍ତ୍ର ଭଲ ମନ୍ଦ ଭାବନା ସେମାନଙ୍କ ପାଖରେ ସ୍ଵାଭାବିକ ଭାବରେ ଥାଏ। କିନ୍ତୁ, ସେ ସମସ୍ତ ଅହଂକାର ଧ୍ଵଂସ କରିଥାନ୍ତି । ସାଂସାରିକ ନିୟମ ତାଙ୍କୁ ପ୍ରଭାବିତ କରେ ନାହିଁ । ତାଙ୍କୁ ଆଉ କିଛି କର୍ମ କରିବା ପାଇଁ ନ ଥାଏ । ସେ କର୍ମର ଉର୍ଦ୍ଧରେ ଥାନ୍ତି ଓ କର୍ମ ତାଙ୍କୁ ସ୍ପର୍ଶ କରି ପାରେ ନାହିଁ । ସଂସାରକୁ ଉପଦେଶ ଦେବା ପାଇଁ ସେ କର୍ମ କରି ପାରନ୍ତି ବା ନିଷେଧ କର୍ମରୁ ନିବୃତ୍ତ ରହି ପାରନ୍ତି । ସେ ଉଭୟ ଭଲ ମନ୍ଦ ସୀମାର ଉର୍ଦ୍ଧ୍ବକୁ ଉଠି ସାରିଥାନ୍ତି । ବିସ୍ମୟକର ଓ ଅଦ୍ଭୁତ ପୂର୍ବ ଅନୁଭଵ ଦ୍ଵାରା ଗୋପୀମାନଙ୍କ ଦୃଢ଼ ବିଶ୍ଵାସ ହୋଇ ଯାଇଥିଲା ଯେ କୃଷ୍ଣ କୌଣସି ସାଧାରଣ ମାନବ ନଥିଲେ। ସେମାନଙ୍କ ଦୃଢ଼ ପ୍ରତ୍ୟୟ ଥିଲା ଯେ କୃଷ୍ଣ ନିଜେ ହିଁ ଭଗବାନ ଯଦିଓ ବେଳେ ବେଳେ ସେମାନେ ତାଙ୍କୁ କେବଳ ନନ୍ଦ ଓ ଯଶୋଦାଙ୍କ ପୁତ୍ର ହିସାବରେ ମନେ କରୁଥିଲେ । ଭଗବାନଙ୍କ ଯୋଗମାୟା ହେତୁ ଭଗବାନ କୃଷ୍ଣଙ୍କୁ ଈଶ୍ଵର ଜ୍ଞାନ କରିବାର ଧାରଣା ରାସଲୀଳା ପର୍ଯ୍ୟନ୍ତ ସେମାନଙ୍କ ପାଖରେ ମଜବୁତ ହୋଇ ନଥିଲା । ଭାଗବତରେ ଗୋପୀ ଗୀତା (ଦଶମ ସ୍କନ୍ଧ ୩୧ ଅଧ୍ୟାୟ) ଏହି ବିଷୟରେ ପ୍ରଚୁର ପ୍ରମାଣ ଦିଏ ଯେ ସେମାନେ କୃଷ୍ଣଙ୍କୁ ପରମ ଭଗବାନ ବୋଲି ମନେ କରୁଥିଲେ । ସେମାନଙ୍କ ପାଖରେ ତିଳେ ମାତ୍ର ଯୌନ ପିପାସା ନଥିଲା, କେବଳ ଦିବ୍ୟ ପ୍ରେମ ବନ୍ଧନରେ ସେମାନେ ଭଗବାନଙ୍କ ପ୍ରତି ଆସକ୍ତ ଥିଲେ । ବାଲ୍ୟକାଳରେ କୃଷ୍ଣଙ୍କ ଅତିମାନବୀୟ ଅଦ୍ଭୁତ କାଣ୍ଡ ତାଙ୍କର ସର୍ବଜ୍ଞାତା ସର୍ବ ସମର୍ଥତା ସମ୍ପର୍କରେ ବିଶ୍ଵାସ ଉତ୍ପନ୍ନ କରିଥିଲା । ଏ ସଂସାରରେ କଣ ଏଭଳି ମହା ମୂର୍ଖ ଅଛନ୍ତି ଯେଉଁମାନେ ମାନବର ସର୍ବ କାମ ପ୍ରଦାୟକ ପ୍ରଭୂଙ୍କ ପ୍ରତି ନିଚ୍ଚ ବାସନା ପୋଷଣ କରିବେ ? ମନୁଷ୍ୟ ଅନୁଭବ କରୁଥିବା ସମସ୍ତ ଆନନ୍ଦର ପରମ କାରଣ ହେଉଛନ୍ତି ଭଗବାନ । ତାଙ୍କୁ ମୁହାଁ ମୁହିଁ ଦେଖିଲା ପରେ କିଏ ଅବା ନୀଚ ବାସନା ଆଡ଼କୁ ମନ ବଳେଇବେ ? ଚିନି ପ୍ରଚୁର ପରିମାଣରେ ମିଳୁଥିବା ବେଳେ କେହି କ’ଣ ଗୁଡ଼ ଆଡକୁ ମନ ବଳେଇବ କି ? ଏଥିରୁ ଏହା ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଗୋପୀମାନଙ୍କର କୃଷ୍ଣଙ୍କ ପ୍ରତି ପ୍ରେମ ଏକ ଦିବ୍ୟ ସ୍ଵଭାବର ଥିଲା । ସେମାନଙ୍କ ଅନନ୍ୟ ଭକ୍ତି ଭାବ ଥିଲା । ସେମାନେ ଯୌନ ସୁଖ ପାଇଁ ସମସ୍ତ ନିମ୍ନ ଓ ନୀଚ କାମନାରୁ ମୁକ୍ତ ଥିଲେ ।

ରିପୋର୍ଟ : ଦାମୋଦର ପାଢ଼ୀ (ଅବସରପ୍ରାପ୍ତ ଲୋକସମ୍ପର୍କ ଅଧିକାରୀ )

Avatar

Leave a Reply

Your email address will not be published. Required fields are marked *

Please Visit to http://www.specialopinion.in

Got it!
X
error: Content is protected !!
%d bloggers like this: