ଗାଡିର ସର୍ବାଧିକ ବେଗ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି : ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓଡ଼ିଶା ମୋଟର ଭେଇକିଲ୍ ନିୟମ ୧୯୯୩ ଆଧାରରେ ଗାଡିର ସର୍ବାଧିକ ବେଗ ସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି । ୪ ଲେନ୍ ଜାତୀୟ ରାଜପଥ, ସହରାଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟ ଜାତୀୟ ରାଜପଥ ପାଇଁ ଏହି ବେଗ ସ୍ଥିର କରାଯାଇଛି । ଯାତ୍ରୀବାହୀ, ପରିବହନ ଓ ଅଣପରିବହନ ଗାଡି ପାଇଁ ଏହି ବେଗର ସୀମା ଧାର୍ଯ୍ୟ କରାଯାଇଛି । ବାଇକ୍‌ ପାଇଁ ଜାତୀୟ ରାଜପଥ‌ରେ ସର୍ବାଧିକ ୬୦ କିମି ଘଣ୍ଟା ପ୍ରତି ବେଗ‌ରେ ଚଲାଇବାକୁ ଅନୁମତି ଥିବାବେଳେ ସହରାଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ସର୍ବାଧିକ ୪୦ କିମି ବେଗରେ ଚଲାଇ ପାରିବେ । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବାଇକ ଚାଳକ ସର୍ବାଧିକ ୫୦ କିମି ବେଗରେ ଚଳାଇ ପାରିବେ । ସେହିଭଳି ତିନି ଚକିଆ ଗାଡି ଯାତ୍ରୀବାହୀ ଓ ଅଣଯାତ୍ରୀବାହୀ ଗାଡି ପାଇଁ ଯଥାକ୍ରମେ ଚାରି ଲେନ୍ ଜାତୀୟ ରାଜପଥ ପାଇଁ ୪୦ କିମି, ଜାତୀୟ, ରାଜ୍ୟ ରାଜପଥ ପାଇଁ ଘଣ୍ଟା ପ୍ରତି ୩୦ କିମି ବେଗ ଧାର୍ଯ୍ୟ କରାଯାଇଛି । ସେହିକ୍ରମ‌ରେ ୮ ସିଟ୍ ବିଶିଷ୍ଟ ଅଣ ପରିବହନ ଗାଡି ପାଇଁ ୧୦୦, ୫୦ ଓ ୬୦ କିମି ବେଗ ସ୍ଥିର କରାଯାଇଛି । ଯାତ୍ରୀ ପରିବହନ କରୁଥିବା ୮ସିଟ୍ ବିଶିଷ୍ଟ ଗାଡି ପାଇଁ ଘଣ୍ଟା ପ୍ରତି ୮୦, ୫୦ ଓ ୬୦ କିମି ବେଗ ସ୍ଥିର ହୋଇଛି । ୯ଟି ସିଟରୁ ଅଧିକ ଥିବା ଗାଡି ପାଇଁ ଘଣ୍ଟା ପ୍ରତି ୮୦, ୪୦ ଓ ୬୦ କିମି ବେଗ ସ୍ଥିର ହୋଇଛି । ମାଲ ପରିବହନ ପାଇଁ ଉଦ୍ଦିଷ୍ଟ ଥିବା ଗାଡିଗୁଡିକ‌ ସେହି ସବୁ ରାସ୍ତାରେ ଯଥାକ୍ରମେ ଘଣ୍ଟା ପ୍ରତି ୬୦, ୩୦ ଓ ୫୦ କିମି ବେଗରେ ଯାଇପାରିବେ ବୋଲି ସ୍ଥିର କରାଯାଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା