Breaking News

ଓଡ଼ିଆଙ୍କ ଆତ୍ମାରେ ଜଗନ୍ନାଥ…

ଗଫଂଫଂଫଃଜ

ବିଶ୍ୱରେ ଯେତେ ଜାତି ରହିଛନ୍ତି ଊଣା ଅଧିକେ ସମସ୍ତେ ନିଜ ନିଜର ଆରାଧ୍ୟ ଦେବତାଙ୍କର ଯେଉଁଭଳି ସମଗ୍ର ମାନବ ସମାଜ ମଧ୍ୟରେ ପ୍ରସାର ଘଟିବ, ସେଥିପାଇଁ ପ୍ରାୟତଃ ଧ୍ୟାନ ଦେଇଥାନ୍ତି ଏହି ଉଦାହରଣ ବିରଳ ନୁହେଁ । ଆତୀତର ଏବଂ ବର୍ତ୍ତମାନର ଯୁଦ୍ଧ ବିଗ୍ରହ କିମ୍ବା ସଂଘର୍ଷର କାରଣ ବିଶ୍ଳେଷଣ କଲେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିବା ଯେ, ଗୋଟିଏ ଜାତି ନିଜର ଧାର୍ମିକ ଭାବନାକୁ ଅନ୍ୟ ଉପରେ ଲଦିଦେବା ପ୍ରୟାସରୁ ହିଁ ଯୁଦ୍ଧର ଘନଘଟା ସୃଷ୍ଟି ହୁଏ । ଅଥଚ ସେହି ଜାତିର ଧର୍ମ ଭାବନା ବ୍ୟକ୍ତି ବିଶେଷରୁ ହିଁ ସୃଷ୍ଟି ହୋଇଛି ଏବଂ ମୋଟାମୋଟି ଖଣ୍ଡା, ତଲୱାର ଦ୍ୱାରା ଏହା ପରିପ୍ରସାର ଘଟିଛି । ଅନ୍ୟପକ୍ଷରେ ଆସନ୍ତୁ ଆମେ ଗଣଦେବତା ଜଗନ୍ନାଥଙ୍କ ସମ୍ପର୍କରେ ଆଲୋଚନା କରିବା । ଜଗନ୍ନାଥ ଦାରୁରେ ତିଆରି ପଥରକି ଧାତୁରେ ନୁହେଁ । ଏହା ଏକ ଅଦ୍ଭୁତ ବୈଶିଷ୍ଟ୍ୟ । ଅନେକ ଜାତିର ଠାକୁରଙ୍କ କାୟାକଳ୍ପ ଅଳ୍ପେ ବହୁତେ ମାନବର ଶରୀର ଓ ଚିନ୍ତନ ଭଳି । ଅଥଚ ଜଗନ୍ନାଥଙ୍କର କିଛି ମାର୍ଜିତ ଶରୀର ନାହିଁ । ହାତ ନାହିଁ, ଗୋଡ଼ ନାହିଁ, ଅର୍ଦ୍ଧ ଶରୀରରେ କିଛି ସ୍ପଷ୍ଟ ନୁହେଁ । ଢେଗା ଢେଗା ଆଖିରେ ପଲକ ନାହିଁ । କିଛି ନାହିଁ ନାହିଁ ଭିତରେ ଅଦେହୀ, ମହାଶୂନ୍ୟ ନିରାକାର ଭାବର ପରିକଳ୍ପନା ଯାହାକି ଅନ୍ୟ ଧର୍ମଠାରୁ ସ୍ୱାତନ୍ତ୍ର୍ୟ ରଖେ । ମହୋଦଧି କୂଳରେ ପୁରୁଷୋତ୍ତମ ପାବନ କ୍ଷେତ୍ର, ଶଙ୍ଖକ୍ଷେତ୍ର ରୂପେ ପରିଚିତ ସ୍ଥାନରେ ଭବ୍ୟ ଜଗନ୍ନାଥ ମନ୍ଦିର । ଶ୍ରୀଜଗନ୍ନାଥଙ୍କ ସୃଷ୍ଟି ତତ୍ତ୍ୱ ଯେପରି ରହସ୍ୟମୟ, ମନ୍ଦିର ନିର୍ମାଣ ମଧ୍ୟ ସେହିପରି ରହସ୍ୟମୟ । ଅଥଚ ଜଣେ ରହସ୍ୟବାଦୀ ଠାକୁର ଯାହାର କି ସ୍ଥୂଳ ଶରୀର ନାହିଁ, କିଭଳି ମାନବଜାତିରେ ବସିଗଲେ ଆଉ ଚେତନାକୁ ଆଚ୍ଛନ୍ନ କରିଗଲେ, ଓଡ଼ିଶାରେ ସୃଷ୍ଟି ହୋଇଛି ଜଗନ୍ନାଥଙ୍କ ସୃଷ୍ଟିତତ୍ତ୍ୱ । ଏହାର ପ୍ରସାର ପାଇଁ ସେଭଳି ରାଜ ପୃଷ୍ଠପୋଷକତା କି ବ୍ୟକ୍ତିଗତ ଦାନ ଦାକ୍ଷିଣ୍ୟ କେବେ ହୋଇନାହିଁ । କାଁ ଭାଁ ଉଦ୍ୟମକୁ ଛାଡ଼ି ଦେଲେ ଜଗନ୍ନାଥ ଧର୍ମର ପ୍ରଚାର ପାଇଁ ଯେତେବେଳେ ଓଡ଼ିଶା ଗଙ୍ଗାରୁ ଗୋଦାବରୀ ଯାଏଁ ବ୍ୟାପ୍ତ ଥିଲା ସେତେବେଳେ ବି ଏହି ଉଦ୍ୟମ ହୋଇନାହିଁ । ଅଥଚ ଆଜି ଏହି ଧର୍ମ ଏକ ବହୁଳ ପ୍ରସାରିତ ମତବାଦ ରୂପେ ଦାନା ବାନ୍ଧି ଆମେରିକାଠାରୁ ଅଷ୍ଟ୍ରେଲିଆ ଯାଏଁ ପରିବ୍ୟାପ୍ତ । ଜଗନ୍ନାଥ ଧର୍ମର ଏଭଳି ପରିପ୍ରସାର ପାଇଁ ତାତ୍ତ୍ୱିକମାନେ ତ ବହୁ କଥା କହନ୍ତି, ତାହାକୁ ଯଦି ଏଠାରେ ସ୍ଥାନିତ କରାଯାଏ ତେବେ ବିଶାଳ ନଥି ହେବ । ମାତ୍ର ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜଗନ୍ନାଥ ସୃଷ୍ଟିତତ୍ତ୍ୱ ଯେତିକି ରହସ୍ୟମୟ, ଜଗନ୍ନାଥ ମଣିଷ ପାଇଁ ସେତିକି ପହଞ୍ଚ ଦେବତା । ତାଙ୍କୁ ରଥରେ କି ସ୍ନାନ ବେଦୀରେ କୁେ„ଇବାରେ, ଆଉଁସିବାରେ କିଛି ବାଧା ନାହିଁ । ରଥରେ ତ ଜଗନ୍ନାଥ ଥିଲାବେଳେ ଜାତିଭେଦର ବାଛବିଚାର ନାହିଁ । ଏଭଳି ଠାକୁର ଯେ’କି ସର୍ବଦା ହାତ ପାଆନ୍ତାରେ ରହିଛନ୍ତି ତାଙ୍କୁ କେଉଁ ବ୍ୟକ୍ତି ବା ହାତଛଡ଼ା କରିବ । ବୋଧହୁଏ ସେଇଥି ପାଇଁ ଆଜି ଅନେକ ଦେଶରେ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା, ଜଗନ୍ନାଥ ତତ୍ତ୍ୱର ବ୍ୟାଖ୍ୟାନ ଓ ଅସୁମାରୀ ଭକ୍ତଙ୍କ ଗହଳି । ମଣିଷର ପଞ୍ଚ ଇନ୍ଦ୍ରିୟରେ ବସି ଯାଇଛନ୍ତି କଳାଠାକୁର । କିଏ ତାଙ୍କୁ ସ୍ପର୍ଶ କରି ତ, କିଏ ତାଙ୍କୁ ଦେଖି ଅଥବା କିଏ ତାଙ୍କ ମହିମା ଶୁଣି ପୁଲକିତ ହୋଇଛି। ମନୁଷ୍ୟର ଧର୍ମ ଭାବନା ତ ଗଭୀର ହେଲେ ଜଗନ୍ନାଥଙ୍କ ପ୍ରତି ଧର୍ମ ଭାବନା ଆସୁକି ନ ଆସୁ ନିରୋଳା ଭକ୍ତି ଆସିଗଲେ ହୋଇଗଲା । ତତ୍ତ୍ୱ ଜାଣିବାର ନାହିଁ, ବ୍ୟାଖ୍ୟା ଶୁଣିବାର ନାହିଁ, କୌଣସିଟାର ବି ଆବଶ୍ୟକତା ଅନୁଭୂତ ହୁଏ ନାହିଁ । ରହସ୍ୟମୟ ଅଥଚ ଅତି ନିଜର ଜଗନ୍ନାଥଙ୍କୁ ପ୍ରତ୍ୟେକ ଓଡ଼ିଆ ନିଜର ଭାଇ, ବନ୍ଧୁ, ଜ୍ଞାତି, କୁଟୁଣ୍ୱ କି ସଖା ସହଦୋର ଭାବେ ଗଣନା କରେ । ଘରେ ବିବାଦ ଲାଗିଲା, ବିପଦ ପଡ଼ିଲା ସବୁ ଜଗନ୍ନାଥଙ୍କ ଉପରେ ଛାଡ଼ି ଦିଆ ଯାଏ, ‘ତୋର ଇଚ୍ଛା’ ବୋଲି । ବାସ୍‌ ଓଡ଼ିଆର ସେତିକିରେ ଆତ୍ମା ଭରିଯାଏ । ସାଲିସ କରିଦିଏ ପରିସ୍ଥିତି ସହିତ । ସେ ହିଁ ଜଗନ୍ନାଥ, ସେ ହିଁ ଓଡ଼ିଆର ପ୍ରାଣ। ସେ ହିଁ ଓଡ଼ିଆର ପ୍ରାଣ । ତାଙ୍କୁ ଗାଳିଦେଲେ ମାଫ୍‌, ଟେକିଧରି କଚିଲେ ବି ମାଫ୍‌, ଧକ୍‌କା ମାରିଲେ ବି ମାଫ୍‌, ସବୁଥିରେ କ୍ଷମା । ସେ କ୍ଷମାନିଧି, ତମେ ଯାହା କରୁଛ ତାହା ତାଙ୍କର ଇଙ୍ଗିତରେ ହେଉଛି ବୋଲି ଧରିନେଲେ ସବୁ ସାତଖୁଣ ଦୋଷ ମାଫ୍‌ ହୋଇଯାଏ । ଏଭଳି ପ୍ରାଣପି୍ରୟ ଠାକୁର ଯେ କେତେ ଅତ୍ୟାଚାର ନ ସହିଛନ୍ତି । ଯବନଠାରୁ ଆରମ୍ଭ କରି ଖୋଦ ଅନେକ ହିନ୍ଦୁଙ୍କ ଆକ୍ରମଣରେ ଜଗନ୍ନାଥ କ୍ଷତବିକ୍ଷତ ହୋଇଛନ୍ତି । ଗୃହଶୂନ୍ୟ ହୋଇ ବାରମ୍ବାର ବୁଲିବା ଏବଂ ସୋନପୁର କି ଚିଲିକାରେ ପାତାଳୀ ହୋଇଛନ୍ତି । ଦୁଷ୍ଟ ଭାଇର ଆକ୍ରମଣରୁ ଭାଇ ରକ୍ଷା ପାଇବା ପାଇଁ ଏଠି ସେଠି ଲୁଚିବା ଭଳି, ସେଇସବୁ କାଳମୁହୂର୍ତ୍ତ ଉଭେଇ ଯାଇଛି । ଦୁଷ୍ଟ ଆକ୍ରମଣକାରୀମାନେ କିଏ କୁଆଡ଼େ ଇତିହାସ ଗର୍ଭରେ ଲୀନ ହୋଇଯାଇଛନ୍ତି । ବିଶର ମହାନ୍ତିର ଖୋଳ ମଧ୍ୟରୁ ବାହାରି ଆସି ପୁଣି ବ୍ରହ୍ମ ଜଗନ୍ନାଥ ବିରାଜମାନ କରିଛନ୍ତି ନୀଳଶୈଳରେ । ପୁଣି ବାରହାତ ଲମ୍ବର ପତିତପାବନ ବାନା ଶ୍ରୀମନ୍ଦିର ଉପରେ ଫର ଫର ହୋଇ ଉଡ଼ୁଛି । ରକ୍ତବାହୁଠାରୁ ଆରମ୍ଭ କରି ଜାହାଙ୍ଗୀର, କେଶୋଦାସ ମାରୁ ପର୍ଯ୍ୟନ୍ତ କେତେ ଯେ ଅୱାନୀ ଜଗନ୍ନାଥଙ୍କୁ ହଟହଟା କରିନାହାନ୍ତି । ଶ୍ରୀମନ୍ଦିର ଲୁଣ୍ଠନ କରିନାହାନ୍ତି । ଓଡ଼ିଆର ଆତ୍ମାଙ୍କୁ ଛାରଖାର କରିଦେଇ ନାହାନ୍ତି । କଳାପାହାଡ଼ ତ ଖୋଦ ଜଗନ୍ନାଥଙ୍କୁ ଚମ ଦଉଡ଼ିରେ ବାନ୍ଧି ହାତୀରେ ଘୋଷାରୀ ଘୋଷାରୀ ବଡ଼ଦାଣ୍ଡରେ ନେଇଥିଲା ଶହ ଶହ ଲୋକଙ୍କ ଆଖି ସାମନାରେ । ମୋଗଲ ପଠାଣ, ମରହଟ୍ଟା, ସମସ୍ତେ ଲୁଟିଛନ୍ତି ଏଇ ଭୂଖଣ୍ଡକୁ ଆଉ ତା’ର ଆରାଧ୍ୟ ଦେବତାଙ୍କୁ, ଏପରିକି କଳାପାହାଡ଼ ତ ଶେଷରେ ଜଗନ୍ନାଥଙ୍କୁ ଅଗ୍ନିର ଦାହ କରିଦେଇଥିଲା । ହେଲେ ଆଜି ସେମାନେ ତ ବିସ୍ମୃତିର ଅତଳ ଗହ୍ୱରରେ । ଆଉ ଜଗନ୍ନାଥ ସେହି ସମାନ ଔଜଲ୍ୟତା ନେଇ ବିଶ୍ୱବାସୀଙ୍କ ଆଗରେ ଉଦ୍ଭାସିତ । ବରଂ ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପି ଦେଇ ଶ୍ରୀ ଚୈତନ୍ୟ, ରାମାନୁଜ ଧନ୍ୟ ହୋଇଛନ୍ତି, ଧନ୍ୟ ହୋଇଛନ୍ତି ଅତିବଡ଼ି ଜଗନ୍ନାଥ ଦାସ କାଳକାଳକୁ ସେଇମାନେ ହିଁ ବଞ୍ଚି ରହିଛନ୍ତି । ମହିମାମୟ ଜଗନ୍ନାଥ, ଯିଏ ଯେଉଁଭଳି ତାଙ୍କୁ ମନାସିଲା ସେହିଭଳି ପାଇଲା । ସେ ତତ୍ତ୍ୱରୁ ଊଦ୍ଧ୍ୱର୍ରେ, ଭାବରୁ ଊଦ୍ଧ୍ୱର୍ରେ, ତତ୍ତ୍ୱାତୀତ ଓ ଭାବାତୀତ । ସାଧାରଣ ଅଶିକ୍ଷିତ ଓଡ଼ିଆଟିଏ କ’ଣ ବା ଜାଣିବ ଜଗନ୍ନାଥ ତତ୍ତ୍ୱ କି ଭାବ। ସେ କେବଳ ଜାଣେ ତା’ର କେହି ନଥିଲେ ବି ଜଗନ୍ନାଥ ଅଛନ୍ତି । ବାସ୍‌ ସେତିକିରେ ହିଁ ଭାବ, ଜ୍ଞାନ, ଭକ୍ତି, ପ୍ରେମ, ଉତ୍ସର୍ଗ ସବୁ ହୋଇଗଲା । ତାହାହିଁ ତ ସରଳ ଜଗନ୍ନାଥ ତତ୍ତ୍ୱ ଏବଂ ତାହା ହିଁ ତ ମଣିଷର ସୂକ୍ଷ୍ମ ଚେତନାକୁ ସ୍ପର୍ଶ କରିବାର ଆଧାର ।
ଜଗନ୍ନାଥଙ୍କଠାରେ ହିନ୍ଦୁ,ବୌଦ୍ଧ, ଜୈନ, ବୈଷ୍ଣବ, ସୌର, ଶାକ୍ତ, ଶୈବ, ଗାଣପତ୍ୟ ଯେତେସବୁ ମତବାଦ ରହିଛି ସବୁର ମିଶ୍ରଣ ଘଟିଛି । ପୁରୁଷୋତ୍ତମ କ୍ଷେତ୍ରରେ ସନାତନ ଧର୍ମର କେତେ ସମ୍ପ୍ରଦାୟ ରହିଛି । ଗୌଡ଼ ମାଧବ ସମ୍ପ୍ରଦାୟ, ଗୌଡ଼ୀୟ ସମ୍ପ୍ରଦାୟ, ରାମାନୁଜ ସମ୍ପ୍ରଦାୟ, ବ୍ରହ୍ମଚାରୀ ସମ୍ପ୍ରଦାୟ, ଅଙ୍ଗିରା ସମ୍ପ୍ରଦାୟ, ଉତ୍କଳ ବୈଷ୍ଣବ ସମ୍ପ୍ରଦାୟ, ଅତିବଡ଼ି ସମ୍ପ୍ରଦାୟ, ଖଇରୀତ, ନାନକ ପନ୍ଥୀ, ମାଧବ ଗୌଡ଼େଶ୍ୱରୀ, ନିମ୍ବାର୍କ, ଅନନ୍ତ, ବିଷ୍ଣୁସ୍ୱାମୀ, କବୀରପନ୍ଥୀ, ଦଶନାମୀ, ଅଘୋର ପନ୍ଥୀ ଆଦି ସମ୍ପ୍ରଦାୟର ତ ଶହ ଶହ ମଠବାଡ଼ିରେ ପୂଜିତ ମୂଳ ଠାକୁର ହେଉଛନ୍ତି ଶ୍ରୀ ଜଗନ୍ନାଥ। ଏବେ ଆନ୍ତର୍ଜାତିକ କୃଷ୍ଣ ଚେତନ ସଂଘ ପକ୍ଷରୁ ବିଶ୍ୱର କୋଣ ଅନୁକୋଣରେ ଜଗନ୍ନାଥଙ୍କ ମହିମା ଓ ତତ୍ତ୍ୱ ପ୍ରସାରିତ । ମଣିଷ କେବଳ ଅର୍ଥ ଉପାର୍ଜନ କରି, କାମଭାବ ଚରିତାର୍ଥ କରି ଶାନ୍ତି କି ସନ୍ତୋଷ ପାଇଯିବ ଏହା ଭାବିବା ବୃଥା । ମନକୁ ଶାନ୍ତି ସନ୍ତୋଷ ଆଣିଦିଏ ଏହି ଜଗନ୍ନାଥ ତତ୍ତ୍ୱ । ବିଶ୍ୱର ଆରାଧନା, ନିରୂତା ଭକ୍ତି, ନିଜକୁ ବିଭୁ ପୟରରେ ଉତ୍ସର୍ଗ କରିବାରେ ଜଗନ୍ନାଥ ହେଉଛନ୍ତି ସେହି ଠାକୁର ଯାହାଙ୍କଠାରେ ମନ, ପ୍ରାଣ, ଆତ୍ମା, ଶରୀର ସବୁକିଛି ସମର୍ପି ଦେବା ପରେ ବି ଆହୁରି କିଛି ବାକି ରହିଗଲା ଭଳି ଅନୁଭବ ଆସେ। ଜଗନ୍ନାଥଙ୍କୁ ଥରେପାଇଲେ ଜୀବନରେ ସବୁକିଛି ନ ପାଇବାର ଅବଶୋଷ ମେଣ୍ଟିଯାଏ । ସେଇଥି ପାଇଁ ଆଜି ଜଗନ୍ନାଥଙ୍କ ମହିମା ବିଶ୍ୱବ୍ୟାପ୍ତ, “ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁେମେ’’।

%d bloggers like this: