Breaking News

ଅମୂଲ୍ୟ ନିଧି…

“ବୋଉ,ଏ ବୋଉ, ବୋଉଲୋ” ଡାକ ଶୁଣି ସରିତାଙ୍କର ଭାତଖିଆ ନିଦଟା ଭାଙ୍ଗିଗଲା । ଟିକେ ଗଡପଡ ହେଉ ହେଉ ଆର ଘରୁ ପୁଣି ପୁଅର ଡାକ ଶୁଭିଲା । ପୁଅଟି ତାଙ୍କର ଏମିତି । ନିଜେ ବାପା ହୋଇ ସାରିଲାଣି, ଅଥଚ ଦିନକୁ ଦଶଥର ଯାଉଣୁ ଆସୁଣୁ ବୋଉ ବୋଉ ହେଉଥିବ। ଏଇ ଛୋଟ କଥାଟା ପାଇଁ ବୋହୂ ବେଳେବେଳେ ମୁହଁ ଫୁଲାଏ । ପୁଅ ତାକୁ ବୁଝାବୁଝି କରିଦେବାରୁ ଏବେ ସେ ପୁଅର ଅଭ୍ୟାସ ସହିତ ଅଭ୍ୟସ୍ତ ହୋଇଗଲାଣି । ପୁଣି ପୁଅ,ର ଡାକ ଶୁଭିଲା । ସରିତା କହିଲେ -“କିରେ କାହିଁକି ଏତେ ଡାକୁଛୁ ? ଖାଇସାରି ଗଡିପଡିଛି । ଉଠିବାକୁ ଜମା ଇଛା ହେଉନି ।” “ବୋଉଲୋ ତୋର ଗୋଟିଏ ଅମୂଲ୍ୟନିଧି ମୁଁ ପାଇଛି । ତୁ ପାଖକୁ ଆସିଲେ ଭଲ ହେବ । ହଉ ଯଦି ନ ଆସିପାରୁଛୁ, ସେଇଠି ଥାଆ ମୁଁ ତୋ ପାଖକୁ ଯାଉଛି”। “ତୁ, ତ ମୋର ଅମୂଲ୍ୟନିଧି । ମୋର ଆଉ କି ଅମୂଲ୍ୟନିଧି ଦରକାର ରେ ।” ମନେ ମନେ ଗୁଣୁଗୁଣୁ ହେଉଥିଲେ ସରିତା । ସତରେ ଏ କଳିଯୁଗରେ ପୁଅଟି ତାଙ୍କର କୋଟିକ ରେ ଗୋଟିଏ । ଏ ଭଳି ପୁଅ ପାଇ ସେ ଧନ୍ୟା । ଭଲ ପାଠ ପଢିଛି । ପ୍ରଥମ ଶ୍ରେଣୀ ସରକାରୀ ଚାକିରି ପାଇଛି । କିନ୍ତୁ ଏ ସବୁ ତ ଗୌଣ । ଅସଲ କଥା ହେଲା ପୁଅର କିଛି ଖରାପ ଗୁଣ ନାହିଁ । ବାପା, ବୋଉଙ୍କ କଥାକୁ ତଳେ ପକାଏ ନାହିଁ । ମନ ଜାଣି ସବୁ ଜିନିଷ ଖଞ୍ଜି ଦିଏ । ତାଙ୍କ ସ୍ୱାମୀ ହୁଏତ ତାଙ୍କ ମନକୁ ଅଳ୍ପ କିଛି ପଢି ପାରିଥିଲେ । କିନ୍ତୁ ପୁଅଟି ତାଙ୍କ ମନ ଗହୀରର ପ୍ରତ୍ୟେକ କଥାକୁ ପଢିନିଏ । କୌଣସି ଜିନିଷ ପାଇଁ ତାଙ୍କୁ ପାଟି ଖୋଲି କହିବାକୁ ପଡେ ନାହିଁ । ତାଙ୍କର ସାମାନ୍ୟ ଅସୁସ୍ଥତା ପୁଅ ସହ୍ୟ କରିପାରେ ନାହିଁ । ଚିକିତ୍ସାର ସୁବନ୍ଦୋବସ୍ତ କରିଦିଏ । ପାଖରେ ଜଗି ବସିଥାଏ । ପରିବାର ଭିତରେ ଘର ଭିତରେ ଏଭଳି ହସଖୁସିର ମାହୋଲ୍ ରଖିଥାଏ ଯେ, ଦୁଃଖ କି ମନୋମାଳିନ୍ୟ ତାଙ୍କ ପରିବାରର ପାଖ ମାଡେ ନାହିଁ । “ବୈକୁଣ୍ଠ ସମାନ ଘର” ସେ କେବଳ କବି କଲମ ମୁନର ବର୍ଣ୍ଣନା ବୋଲି ଜାଣିଥିଲେ । କିନ୍ତୁ ପୁଅ ପାଇଁ ତାଙ୍କ ଘରେ ସଦା ସର୍ବଦା ବୈକୁଣ୍ଠର ଶାନ୍ତି ସରସତା ଭର୍ ପୁର୍ ହୋଇ ରହିଥାଏ । ପୁଅ କଥା ଭାବୁ ଭାବୁ ନାତୁଣୀ ତାଙ୍କ ପାଖରେ ପହଞ୍ଚିଗଲା । ସେ ତା ଦରୋଟି ତୁଣ୍ଡରେ କହିଲା–“ଦେଦିମା ତାଲ,ବାପା ଦାକୁଚତି”ସରିତା ତାକୁ ପଚାରିଲେ-“ତୋ ବାପା କ”ଣ କରୁଛିକି ? ଗୁଲୁରୁ ଗୁଲୁରୁ ହୋଇ ନାତୁଣୀ କହିଲା-“ତୁମ ତିନ୍ଦୁକ ତଫାତଫି କଲୁଚତି”। କାଲ ଠାର କାଲ ମା ଜାଣିଲା ଭଳି ନାତୁଣୀ କଥା ସରିତା ବୁଝିଗଲେ । ଭାବିଲେ, ସେ ବାପଘରୁ ଆଣିଥିବା ପୁରୁଣା ସିନ୍ଦୁକଟାରେ କ”ଣ ଏମିତି ଅଛି, ଯେ ପୁଅ ତାଙ୍କୁ ଏତେ ଉଛନ୍ନ ହୋଇ ଡାକୁଛି ।ଏତିକିବେଳେ ବୋହୂ,ର ପାଟି ଶୁଭିଲା-“ମତେ ସେ ଦୁର୍ମୂଲ୍ୟ ଜିନିଷଟା ଆଗ ଦେଖାଅ, ତାପରେ ବୋଉଙ୍କୁ ଦେବ । ମୁଁ ମୋ ବାପଘରୁ କମ୍ ଯୌତୁକ ଆଣିଛି, କି ? ବୋଉଙ୍କ ଜିନିଷ, ଟା ଲୋଭ କରି ରଖିଦେବି ବୋଲି ଭାବୁଛ ? ଏମିତିରେ ବୋଉଙ୍କର ସବୁ ଜିନିଷ ମୋର ନୁହେଁ, କି? ନଅଟା ନ ଛଅଟା ? ତୁମେ, ତ ତାଙ୍କର ଗୋଟିଏ ବୋଲି ପୁଅ ।” କିନ୍ତୁ ପୁଅ କହିଲା-“ନା, ନା, ବୋଉ ଆଗ ତା ଅମୂଲ୍ୟନିଧି ଦେଖିସାରୁ । ତା”ପରେ ତାର ଯାହା ଇଛା । ମୁଁ ତୁମକୁ ଆଦୌ ଆଗ ଦେଖାଇ ପାରିବି ନାହିଁ ।” ଏହା ମଧ୍ୟରେ ଦାଣ୍ଡଘରୁ ସରିତା,ଙ୍କ ସ୍ୱାମୀ ସାଗର ଆସି ସରିତାଙ୍କୁ କହିଲେ-“ଆରେ ପୁଅ ତୁମକୁ ଡାକୁଛି । ତୁମେ ଶୀଘ୍ର ଯାଉନା । ତୁମର, ତ ଭୁଲାମନ । ହୁଏତ ମୋ ଶାଶୁ ଶଶୁର ମତେ ଦେଇଥିବା ଓଜନିଆ ସୁନାମୁଦି କି ତୁମ ହୀରା ନୋଥ, ସିନ୍ଦୁକରେ ଥିବା ପିତଳବାକ୍ସରେ ରହି ଯାଇଥିବ।ବୋହୂ ଦେଖିବା ମାତ୍ରେ ଆଉ ଛାଡିବ ନାହିଁ । ଆରେ ସେ ଜିନିଷକୁ ବଞ୍ଚିଥିବା ଯାଏଁ, ତ ଆମେ ବ୍ୟବହାର କରିପାରିବା । ତେଣିକି ବୋହୂ ନଉ କି ନାତୁଣୀ ନଉ।ତୁମକୁ ଏମିତି କେତେ ବୟସ ,କି ? । ଏତେ ବୈରାଗ୍ୟ ଭାବ କାହିଁକି ?”-କହୁ କହୁ ସାଗର ରସିକିଆ ଚାହାଣୀ ଓ ହସ ହାଣିଦେଲେ । ସେ ଚାହାଣୀରେ ଏ ବୟସରେ ମଧ୍ୟ ସରିତା ଷୋଡଶୀ ତରୁଣୀ ଭଳି ଲାଜରେ ଜଡସଡ ହୋଇଗଲେ । ଏତିକି ବେଳେ ପୁଅ ବୋହୂ ଦୁଇଜଣ ଯାଙ୍କ ନସରପସର ହୋଇ ସରିତାଙ୍କ ଶୋଇବା ଘରକୁ ପଶି ଆସିଲେ । ପୁଅ ତା ଦୁଇ ହାତରେ ଜିନିଷଟିକୁ ଲୁଚାଇ ଧରିଥିଲା । ପୁଅ କହିଲା, “କହିଲୁ ବୋଉ ମୋ ହାତରେ କ”ଣ ଅଛି ?” “ମୋ ଧନଟା କ”ଣ ରଖିଛୁ କହିଦେ । ଛୁଆଦିନେ ମୋ ସାଙ୍ଗରେ ଏମିତି ଖେଳୁଥିଲୁ ବୋଲି ଏବେ ଖେଳିବୁ, ନା କ”ଣ ? ବୋହୂ ଟା ତା ବିଶ୍ରାମ ଛାଡ଼ି ତୋ ପଛେପଛେ ଧାଇଁଛି ।ତାକୁ ଦେଇ ଦେଇଥିଲେ କ”ଣ ଅସୁବିଧା ହୋଇ ଯାଇଥାଆନ୍ତା ? ମୋ ଜିନିଷ ମୋ ବୋହୂ କାରବାର କଲେ ମୁଁ ବରଂ ବେଶି ଖୁସି ହେବି ।” ସରିତା କହିଲେ । ପୁଅ କହିଲା -“ଠିକ୍ ଯେ, ଏହା ତୋ ପାଇଁ ଅମୂଲ୍ୟନିଧି । ତୋ ବୋହୂ ପାଇଁ ଅମୂଲ୍ୟନିଧି କି ନା ନାହିଁ ମୁଁ ଜାଣିନାହିଁ।ହଉ ମୁଁ ଏବେ ହାତ ଖୋଲୁଛି ।” ଚାରି ହଳ ଉତ୍କଣ୍ଠିତ ଆଖି ସେ ବନ୍ଦ ହାତମୁଠା ଆଡକୁ ଚାହିଁ ରହିଥିଲା । ପୁଅ ହାତରୁ ଖଣ୍ଡେ କାଗଜ ଆତ୍ମପ୍ରକାଶ କଲା । ତା ମଧ୍ୟରେ ପରିଷ୍କାର କରଣୀ ଅକ୍ଷରରେ ଲେଖା ହୋଇଥିଲା–(ମା”ରେ ମୋର କଲ୍ୟାଣ ନେବୁ।ସମୁଦୀ ସମୁଦୁଣୀଙ୍କୁ ମୋର ନମସ୍କାର ଓ ଜୋଇଁଙ୍କୁ ମୋର ଆଶୀର୍ବାଦ ଜଣାଇବୁ । “ବୋଉ ଦେଖିଲୁ ଏ ଅକ୍ଷର କାହାର ?” ସତରେ ଅମୂଲ୍ୟନିଧି ପାଇଲା ପରି ସରିତା ସେ (ଚିଠି) ଖଣ୍ଡକୁ ଵକ୍ଷରେ ଜଡାଇ ଧରିଥିଲେ ।” ମୋ ବାପାଙ୍କ ଅକ୍ଷର ମୋ ବାପାଙ୍କ (ଚିଠି) । ଦେଖେ ଧନ ଦେଖେ ପ୍ରତି ଅକ୍ଷରରେ ମୋ ବାପାଙ୍କ ହସହସ, ଆଶୀର୍ବାଦ ଅଜାଡୁଥିବା ମୁହଁ କେମିତି ଜଳଜଳ ହୋଇ ଦେଖାଯାଉଛିରେ ? ମୋ ବାପାଙ୍କର ଏ ଅକ୍ଷର ଗୁଡିକ ଆଗରେ କି ସୁନା, କି ହୀରା??? ମୁଁ ନ କହିଲେ ମଧ୍ୟ ତୁ ମୋ ପାଇଁ ପ୍ରତି ପର୍ବପର୍ବାଣିରେ କିଛି ନା କିଛି ସୁନା ଗହଣା କିଣି ଦେଉଛୁ । କିନ୍ତୁ ମୋର ସମସ୍ତ ସୁନା ଗହଣା ବିନିମୟରେ ମୁଁ ମୋ ବାପାଙ୍କର ଏହି ଅମୃତ ଆଶୀଷ ଭରା (ଚିଠି)ଟି ପାଇପାରିଥାଆନ୍ତି, କି??? ଏ ଦୁନିଆରେ କେହି ଏମିତି ଜଣେ ଅଛି, କି ଯିଏ ମତେ “ମା’ରେ ଏହି ସୁନ୍ଦର ସମ୍ବୋଧନରେ ସମ୍ବୋଧିତ କରିପାରେ? ସତରେ ତୁ ମୋର ଅମୂଲ୍ୟନିଧି ବୋଲି ଏତେ ବର୍ଷ ପରେ ମତେ ଏମିତି ଅମୂଲ୍ୟନିଧି, ଟିଏ ଦେଲୁରେ ।” କଥା ଶେଷ ହେଲାବେଳକୁ କୋହରେ ପ୍ରୌଢା ସରିତାଙ୍କ କଣ୍ଠ ରୁଦ୍ଧ ହୋଇ ଯାଇଥିଲା । ନିଜକୁ ସମ୍ଭାଳି ନ, ପାରି ସେ ତାଙ୍କ ନାତୁଣୀ ଭଳି ଭେଁ ଭେଁ କାନ୍ଦୁଥିଲେ ।

ଶ୍ରୀମତୀ ମମତା ଶତପଥୀ
ଗ୍ରନ୍ଥାଗାର ଅଧୀକ୍ଷକା
ଡେରାବିଶ ମହାବିଦ୍ୟାଳୟ
କେନ୍ଦ୍ରାପଡା

Leave a Reply

Your email address will not be published. Required fields are marked *

Please Visit to http://www.specialopinion.in

Got it!
X
%d bloggers like this: