ଅବଧିର ୬ ମାସ ବିତିଥିଲେ ବି ଶେଷ ହେଉନି ଗହିରାଖାଳ ସେତୁ – ବିପଦ ଶଙ୍କୁଳ ଝୋଲା ପୋଲ : ବାଧକ ସାଜିଛି ଜରୁରୀ ସେବା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ କାଳିକ ଠାରୁ ବଜାରଶୋଳ ଭାୟା ଫେରିଘାଟ ରାସ୍ତାର ଏକ ବିଜୁ ସେତୁ ନିର୍ମାଣ ଚାଲିଥିବା ବେଳେ ଅବଧିର ୬ ମାସ ବିତିଥିଲେ ମଧ୍ୟ ଅଧାପନ୍ଥରିଆ ହୋଇ ପଡିରହିଛି । ଅନ୍ୟପକ୍ଷରେ ଯାତାୟାତ ଲାଗି ନିର୍ମାଣ ହୋଇଥିବା ଝୋଲା ପୋଲଟି ବିପଦ ସଂକୁଳ ଅବସ୍ଥାରେ ରହିଛି । ସେ ଅଂଚଳକୁ କୌଣସି ଜରୁରୀ ସେବାଲାଗି ଯାନାବାହନ ଯାତାୟାତ କରିପାରୁ ନାହିଁ । ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି । ଜଳେଶ୍ୱର ବ୍ଲକକୁ ସୁବର୍ଣ୍ଣରେଖା ନଦୀ ଦୁଇଭାଗରେ ବିଭକ୍ତ କରିଥାଏ । ନଦୀର ପୂର୍ବପଟେ ଜଳେଶ୍ୱର ଅଂଚଳର ୨୧ଟି ପଂଚାୟତ ଥିବା ବେଳେ ନଦୀର ପଶ୍ଚିମ ପଟେ ରାଇବଣିଆ ଅଂଚଳର ୧୪ଟି ପଂଚାୟତ ରହିଛି । ସେଥିମଧ୍ୟରୁ ଶ୍ରୀରାମପୁର, ଦକ୍ଷିଣ ପ୍ରହରାଜପୁର, କାଳିକ, ଖୁଦିଆମାଝି ସାହି, ମାକିଡିଆ ପଂଚାୟତକୁ ଯିବାଲାଗି କାଳିକଠାରୁ ବଜାଶୋଳ ଭାୟା ସୁବର୍ଣ୍ଣରେଖା ଫେରିଘାଟ ରାସ୍ତା ନିର୍ମାଣ ହୋଇଛି । କିନ୍ତୁ ଏହି ରାସ୍ତାର ୧୬.୩୦୦ କି.ମି.ଠାରେ ଗହିଳାଖାଳ ନାମକ ଏକ ଗଭୀର ଖରସ୍ରୋତା ନାଳ ରହିଛି । ଏଠାରେ ଏକ ପୋଲ ନିର୍ମାଣ ଲାଗି ୧୬-୯-୨୦୧୯ରେ ବିଜୁସେତୁ ନିର୍ମାଣ ଆରମ୍ଭ ହୋଇଥିଲା । ଏଥିରେ ୬କୋଟି ୯ଲକ୍ଷ୫୦ହଜାର ଟଙ୍କା ବ୍ୟୟବରାଦ ଥିବା ବେଳେ ଏହାର ଦୈଘ୍ୟ ୪୫ମିଟର ଓ ପ୍ରସ୍ଥ ୭.୫ ମିଟର ରହିଛି । ଏହାର ନିର୍ମାଣ କାର୍ଯ୍ୟ ୧୫.୩୨୧ରେ ଶେଷ ହେବାକୁ ଥିବା ବେଳେ ଏବେ ଅଧାପନ୍ଥରିଆଭାବେ ପଡିରହିଛି । ଏପରିକି ତ୍ରୁଟିପୂର୍ଣ୍ଣ କାର୍ଯ୍ୟଯୋଗୁଁ ନିର୍ମାଣ ହେଉଥିବା ପୋଲର ଏକ ପିଲର ଗୋଟିଏ ପଟକୁ ଦବି ଯାଇଛି । ତେଣୁ ସେଠାରେ ଯାତାୟାତ ଲାଗି ଅସ୍ଥାୟୀଭାବେ ଏକ ଝୋଲାପୋଲ ନିର୍ମାଣ ହୋଇଛି । ମାତ୍ର ଉକ୍ତ ଝୋଲା ପୋଲଟି ବିପଦ ସଂକୁଳ ଅବସ୍ଥାରେ ରହିଥିବାରୁ ଯେ କୌଣସି ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ସେ ଅଂଚଳକୁ ଆମ୍ବୁଲାନ୍ସ, ଦମକଳ, ଚୋରାବାଲି ରୋକିବାଲାଗି ତହସିଲଦାର ଓ ପୋଲିସ୍‌ର ଗାଡି ଯାଇପାରୁନଥିବାରୁ ଲୋକଙ୍କୁ ନ୍ୟାୟ ମିଳିପାରୁନାହିଁ । ସେ ଅଂଚଳକୁ ଗୃହ ନିର୍ମାଣ ଲାଗି ସରଞ୍ଜାମ ଯାଇପାରୁନଥିବାରୁ ନିର୍ମାଣ କାର୍ଯ୍ୟ ଏକପ୍ରକାର ଠପ୍ ହୋଇ ଯାଇଛି । ତେଣୁ ଗ୍ରାମ୍ୟଉନ୍ନୟନ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି । ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଇଂ ବିଜୟ କୁମାର ଦାସ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଲମ୍ବୋଦର କରଙ୍କୁ ପଚାରିବାରୁ ସେ କହିଲେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଦେଖାଦେଲେ ନଦୀର ପାଣି ପୋଲ ନିର୍ମାଣରେ ବାଧକ ସାଜୁଛି । ଆସନ୍ତା ଡିସେମ୍ବର ସୁଦ୍ଧା କାର୍ଯ୍ୟ ସରିବାର ସମ୍ଭାବନା ରହିଛି ବୋଲି କହିଥିଲେ ।

ରିପୋର୍ଟ : ଭୂପତି ପରିଡା