Breaking News

ଅନ୍ଧ ଭକ୍ତ…

ପ୍ରେମରୁ ଜାତ ଭକ୍ତି ପବିତ୍ର, ଶାଶ୍ୱତ ।
ବିଶ୍ୱାସରୁ ଜାତ ଭକ୍ତି ସମୟାନୁସାରେ ପରିବର୍ତ୍ତିତ ।
ଯେହେତୁ ବିଶ୍ୱାସ ଅନ୍ଧ !
ତେଣୁ ଅନ୍ଧ ଭକ୍ତଙ୍କ ବଦଳିଯାଏ ରୂପ, ରେଖ, ରଙ୍ଗ
ଯେତେବେଳେ ସତ୍ୟର ହୁଏ ଉନ୍ମୋଚନ !!
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ରାମ-ସୀତା ଓ ଲକ୍ଷ୍ମଣ ନିରାକାର ଭଗବାନଙ୍କ ଏକ ମାନବ ଅବତାର । ତେଣୁ ହିନ୍ଦୁ ମାନେ ସେମାନଙ୍କୁ ଭଗବାନ ବୋଲି ପୂଜା କରନ୍ତି । ନିରାକାର ଭଗବାନ ତ୍ରେତୟା ଯୁଗରେ ରାବଣ ଭଳି ଗୋଟିଏ ଅସହିଷ୍ଣୁ ରାକ୍ଷସକୁ ବଦ୍ଧ କରି ପୃଥିବୀ ପୃଷ୍ଠାରେ ଶାନ୍ତି ଫେରାଇ ଆଣିବା ପାଇଁ ଜନ୍ମ ନେଇଥିବା ବିଶ୍ୱାସ ରହିଛି ଆମର । ସମୟରେ ସେହି ଲୀଳାମୟ ତାଙ୍କର ଲୀଳା ସମ୍ପନ୍ନ କରି ସଂସାର ତ୍ୟାଗ କରିଥିଲେ ବୋଲି ପ୍ରଗାଢ଼ ବିଶ୍ୱାସ ରହିଛି ସମସ୍ତଙ୍କର । ଭଗବାନ ରାମଙ୍କ ବିଷୟରେ ରାମାୟଣରେ ଯାହା ବର୍ଣ୍ଣନା କରାଯାଇ ଅଛି ସେସବୁ ଆମ ସମସ୍ତଙ୍କୁ ପ୍ରାୟତଃ ଜଣା । କାରଣ ବାଲ୍ୟ କାଳରୁ ସେଗୁଡିକର ବର୍ଣ୍ଣନା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମାଧ୍ୟମରେ ପଢି, ଦେଖି, ଶୁଣି ଆମେ ସବୁ ଜାଣିଛୁ ଏବଂ କୌଣସି ସମୟରେ ସମ୍ପୂର୍ଣ୍ଣ ରାମାୟଣ ପଢି ମଧ୍ୟ ଅନେକ କଥା ଜାଣିବାର ସୁଯୋଗ ପାଇଛୁ । ହେଲେ ସେଇଥିରେ ବର୍ଣ୍ଣିତ, ରଚିତ ସମସ୍ତ ବିଷୟ ଗୁଡିକ ସତ୍ୟ, ତଥ୍ୟ ଉପରେ ଆଧାରିତ କି ନାହିଁ ତାହାର ସମୀକ୍ଷା, ଆକଳନ କରିବା ସୁଯୋଗ କେବେହେଲେ ଆମ ମନରେ ସୃଷ୍ଟି ହୋଇନାହିଁ ! କେବଳ ବିଶ୍ୱାସରେ ସେଗୁଡିକୁ ଗ୍ରହଣ କରାଯାଉଥିବା ହିନ୍ଦୁ ସମାଜର ଏକ ପାରମ୍ପରିକ ରୀତି ଆମ ଦେଶର । ତେଣୁ ଆମେ ହିନ୍ଦୁ ବୋଲି ନିଜକୁ ସାବ୍ୟସ୍ତ କରିବା ପାଇଁ ସେସବୁ ଅନ୍ଧ ଭଳି ବିଶ୍ୱାସ କରିବାକୁ ବାଧ୍ୟ ହୋଇଥାଉ । ଅଧିକନ୍ତୁ ତାହାର ପ୍ରଚାର, ପ୍ରସାର କରିପାରିଲେ ନିଜକୁ ଜଣେ ନିଷ୍ଠାପର ଭକ୍ତ ଭାବେ ଗ୍ରହଣ କରିଥାଉ । ସମୟ ଚକ୍ରରେ ପଡି କିଏ କ’ଣ, କେଉଁ ପରିସ୍ଥିତିରେ କାହିଁକି ଗ୍ରହଣ କରିଥା’ନ୍ତି ଏବଂ ସେସବୁର ବାସ୍ତବତା ଉପରେ ସେମାନଙ୍କ ଜ୍ଞାନ ଥାଏ କି ନଥାଏ ଆଲୋଚନା, ସମୀକ୍ଷା ବିହୀନ ସମାଜରେ ସେଗୁଡିକ ଉପରେ କୌଣସି ବ୍ୟକ୍ତିଗତ ମତ ପ୍ରଦାନ ନକରି କେବଳ ଗୋଟିଏ ଅନୁଶୀଳନ କରିବା ଯେ ଯାହା ସବୁ ସାମାଜିକ ବିଚାର ଆମେ ବିଶ୍ୱାସରେ ଗ୍ରହଣ କରିଥାଉ ସେଗୁଡିକର ସତ୍ୟତା, ବାସ୍ତବତା କ’ଣ…..? ରାମାୟଣରେ ରଚିତ ବିଷୟ ଗୁଡିକୁ ଗ୍ରହଣ କରିବା ପୂର୍ବରୁ ଆମ ମନରେ ଗୋଟିଏ ପ୍ରଶ୍ନ ସୃଷ୍ଟି ହୁଏ କି, ସେଇଥିରେ ଯାହା ସବୁ ଲେଖା ଅଛି ସେଗୁଡିକ ପ୍ରଥମେ ଯିଏ ଲେଖିଥିଲେ ସେହି ବ୍ୟକ୍ତି ସ୍ୱୟଂ ରାମଚନ୍ଦ୍ରଙ୍କର ସମସାମୟିକ ଥାଇ ତାଙ୍କର ସମସ୍ତ ଘଟଣାବଳୀ ଗୁଡିକୁ ସ୍ୱଚକ୍ଷୁରେ ଦେଖି ଲେଖିଛନ୍ତି କି ? ଆଉ ଯଦି ହଁ ତାହେଲେ ସେତେବେଳେ ଭାଷା ଏବଂ ଲେଖାର ମାଧ୍ୟମ ଥିଲା କି ? ଆଉ ଯଦି ନୁହେଁ ତାହେଲେ କେଉଁ ସମୟରେ କିଏ ସେଗୁଡିକୁ ଜାଣିଲେ କିପରି ? ଏବଂ ଭାଷା ଓ ଲେଖାର ଉତ୍ପତି ହେବା ପରେ ସେହି ଘଟଣାବଳୀ ଗୁଡିକୁ ଲିପିବଦ୍ଧ କରିବା ପ୍ରାବଧାନ ସୃଷ୍ଟି ହେଲା କିପରି ? ଏମିତି ଅଜସ୍ର ସମ୍ବେଦନଶୀଳ ପ୍ରଶ୍ନ ଆମ ମନରେ ଜାଗ୍ରତ ହୁଏ ! ଅଧିକନ୍ତୁ ବର୍ଣ୍ଣିତ ଘଟଣାବଳୀ ଗୁଡିକ ମଧ୍ୟରୁ କୌଣସି ଗୋଟିଏ ଘଟଣାକୁ ନେଇ ବିଶ୍ଳେଷଣ କରନ୍ତେ ମନରେ ଉଦ୍ରେକ ହେଉଥିବା ପ୍ରଶ୍ନର କୌଣସି ବାସ୍ତବବାଦୀ ଉତ୍ତର ନଥାଇ ମଧ୍ୟ ଆମେ ଅନ୍ଧ ଭଳି ଭକ୍ତ ପ୍ରଭୁ ରାମଚନ୍ଦ୍ରଙ୍କର ! ସ୍ୱୟଂ ନାରାୟଣଙ୍କ ଅବତାର ପ୍ରଭୁ ରାମଚନ୍ଦ୍ର, ମାତା ଲକ୍ଷ୍ମୀଙ୍କ ଅବତାର ସୀତା ଏବଂ ବଳଭଦ୍ରଙ୍କ ଅବତାର ଲକ୍ଷ୍ମଣ ବୋଲି ଶୁଣିବାକୁ ମିଳେ । ଅର୍ଥାତ ସେମାନେ ସାକ୍ଷାତ ଭଗବାନଙ୍କ ସ୍ୱରୂପ, ସର୍ବବ୍ୟାପ୍ତ ସର୍ବଜ୍ଞ ମହା ପୁରୁଷୋତ୍ତମ ବୋଲି ସର୍ବତ୍ର ବର୍ଣ୍ଣିତ । ପ୍ରଶ୍ନ ସୃଷ୍ଟି ହୁଏ ଯେ ରାବଣର ଭଗିନୀ ସର୍ପଣଖାର ମାୟାବିନୀ ଚେହେରାକୁ ଚିହ୍ନି ପାରି ଲକ୍ଷ୍ମଣ ତାହାର ନାକ କାଟି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଗୋଟିଏ ସାଧାରଣ ରାକ୍ଷସର ମାୟାବୀ ଚେହେରାକୁ ଚିହ୍ନି ପାରିଲେ ନାହିଁ କେମିତି ? ଏବଂ ସ୍ୱୟଂ ସୃଷ୍ଟିର ଆଧାର ବୋଲାଉଥିବା ଭଗବାନ ସମୂହ କେମିତି ଭାବି ପାରିଲେ ନାହିଁ କି ସୁନାରେ ତିଆରି ହରିଣ କେବେ ଜୀବନ ପାଇବା ସମ୍ଭାବନା ରହିଥାଏ କି ? ମହାପ୍ରଭୁ ସଂସାର ସୃଷ୍ଟିକର୍ତ୍ତା ବ୍ରହ୍ମା ଏମିତି ମଧ୍ୟ ବିଚିତ୍ର ଜୀବ ସୃଷ୍ଟି କରିଥିଲେ ଯାହା ସେମାନଙ୍କୁ ଗୋଚର ନଥିଲା ? ନା ସୃଷ୍ଟି କର୍ତ୍ତାଙ୍କ ନାରାୟଣଙ୍କ ସହିତ କୌଣସି ଆଦାନ ପ୍ରଦାନ ନଥିବା କାରଣରୁ ଏମିତି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଥିଲା ସେମାନଙ୍କୁ ? ଏହାର ବାସ୍ତବବାଦୀ ଉତ୍ତର ଆମକୁ ମିଳି ପାରିଲା ନାହିଁ !! ଯଦି ସବୁ ସତ୍ୟ ତାହେଲେ ନିଶ୍ଚିତ ଭାବେ ସେମାନଙ୍କ କିଛି ଅଭାବନୀୟତା ରହିଥିଲା ! ଆଉ ଯଦି ମିଥ୍ୟା ତାହେଲେ ହୁଏତ ଏସବୁ କେବଳ ମନଗଢା କାହାଣୀ ହୋଇପାରେ କେବଳ କେତେକ ମାନବୀୟ ଚାରିତ୍ରିକ ଚେହେରାକୁ ରଚନା କରି ସାଧାରଣ ନିର୍ବୋଧଙ୍କୁ ମାନବିକତାର ବୋଧଗମ୍ୟ କରାଯିବା ଲକ୍ଷ ରଖି ବୋଲି ଆମ ମନକୁ ଆସିଲେ ମଧ୍ୟ ଆମେ ନିଶ୍ଚିତ ଭାବେ ଅନ୍ଧ ଭକ୍ତ ପ୍ରଭୁ ରାମଚନ୍ଦ୍ରଙ୍କର, କାହିଁକିର ଉତ୍ତର ନାହିଁ !!! ହୋଇପାରେ ସେମିତି କିଛି ଘଟଣା ଘଟିଥାଉ କି ନାହିଁ କିନ୍ତୁ ସେଇଥିରେ ରଚିତ, ବର୍ଣିତ ଚରିତ୍ର ଗୁଡିକ ଅତ୍ୟନ୍ତ ମାନବୀୟ ଚିନ୍ତନ ଯୁକ୍ତ ହୋଇଥିବା ହେତୁ ହୁଏତ ସେଗୁଡିକ ପ୍ରତି ଆମର ପ୍ରଗାଢ଼ ଅନୁରୋକ୍ତି ରହି ଆସୁଅଛି ! ଅନୁରୂପ ଆଜି ସମୟରେ ମଧ୍ୟ ଆମେ ଅନେକ ଗୁଡିଏ କଥା, ବିଷୟ, ବ୍ୟକ୍ତିଙ୍କୁ ଅନ୍ଧ ଭଳି ଭକ୍ତିର ସହିତ ମାନ୍ୟତା ଦେଇ ଆସୁଅଛୁ ଯେଉଁମାନଙ୍କୁ ସେହି ପୁରୁଷୋତ୍ତମ ରାମଙ୍କ କାହାଣୀ ଭଳି ଅନ୍ଧ ଭାବେ ଗ୍ରହଣ କରିବା ଆମ ସହଜାତ ଅଭ୍ୟାସରେ ପରିଣତ ଆମେ ନିଷ୍କପଟ, ନିର୍ବୋଧ ଭାରତୀୟ । ରାମଚନ୍ଦ୍ରଙ୍କର ଲୀଳା ସ୍ୱଚକ୍ଷୁରେ ଦେଖିବାର ସୁଯୋଗ ନଥାଇ ଏତେ ବିଶ୍ୱାସର ସହିତ ଗ୍ରହଣ କରୁଥିବା ମଣିଷ ଆମେ ଉପସ୍ଥିତ ସମୟର ସେହି ପ୍ରଭୁ ତୁଲ୍ୟ ମଣିଷ ବୋଲି ବିଚାରକୁ ନେଉ ସେମାନଙ୍କୁ ସ୍ୱଚକ୍ଷୁରେ ଦେଖି ତାଙ୍କ ପରଶମଣି ଯେଉଁ ଆନନ୍ଦ ପାଇଥାଉ ଆମେ ତାହାର ଅନ୍ତିମ ପର୍ଯ୍ୟାୟ କ’ଣ ଦେଖିବା ପାଇଁ କେବଳ ଅପେକ୍ଷା । ହେଲେ ଆଜିର ସେହି ଭକ୍ତିରସ ଭରା ଗ୍ରହଣୀୟ ମଣିଷ ଗୁଡିକ ସେହି ରାମଙ୍କ ଭଳି ଚାରିତ୍ର ପ୍ରବାହ କରି ଭଗବାନଙ୍କ ଦୂତ ହୋଇ ଆସିଛନ୍ତି ସଂସାରରେ ଦୁଷ୍ଟଙ୍କୁ ତାରଣ କରି ନିର୍ମାୟା ମଣିଷଙ୍କୁ ଶାନ୍ତି ପ୍ରଦାନ କରିବା ପାଇଁ ବୋଲି ରହିଥିବା ଆମ ବିଶ୍ୱାସର ରୂପରେଖ ଯାହା ଅନୁଭବ ହୁଏ ସେସବୁ ପ୍ରତ୍ୟେକ ମଣିଷଙ୍କ ବ୍ୟକ୍ତିଗତ ଅନୁଭୂତି ମାତ୍ର । କିନ୍ତୁ ଅନ୍ଧ ଭଳି ଯେକୌଣସି ମଣିଷ, କଥା, ବିଷୟକୁ ଗ୍ରହଣ କରି ଭକ୍ତିରେ ନିମଗ୍ନ ନିର୍ବୋଧ ଜୀବନ ଶୈଳୀ ଆମର କେଉଁ ଦିଗଗାମୀ ସମୟ କହିବ । ହେଲେ ସେହି ସମୟର ବାସ୍ତବିକ ରହସ୍ୟ ଗୁଡିକର ତଥ୍ୟ ଭିତ୍ତିକ ବିଷୟ ଆମକୁ ସମ୍ପୂର୍ଣ୍ଣ ହୃଦବୋଧ ହୋଇପାରୁ ନଥିଲେ ମଧ୍ୟ ନିଜସ୍ୱ ବିଚାରଧାରାରୁ ଅନୁମାନ କରି ସେହି ସମୟର ମଣିଷ ଗୁଡିକର ଭାବ, କାର୍ଯ୍ୟ, ବିଚାରଧାରା ଗୁଡିକୁ ଯଥେଷ୍ଟ ଅନୁମାନ କରି ଉପସ୍ଥିତ ସମୟର ମଣିଷ ଗୁଡିକ ସହିତ ତୁଳନା କରାଗଲେ ଯେତିକି ଅନ୍ତର ଦେଖାଯାଏ ସେଗୁଡିକ ଉପସ୍ଥାପନା ନକରି ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ବିଚାର କରି ଦେଖିବା ପାଇଁ ଛାଡି ଦିଆଗଲା । କିନ୍ତୁ ଆଜି ସମୟର କଳୁଷିତ ବାତାବରଣ ବିଷୟରେ ସମସ୍ତେ ଜ୍ଞାତ ଥାଇ କାହାପ୍ରତି ପ୍ରଗାଢ଼ ଅନୁରୋକ୍ତି, ବିଶ୍ୱାସ ରଖି ଅନ୍ଧ ଭଳି ସେମାନଙ୍କ ବକ୍ତବ୍ୟକୁ ଗ୍ରହଣ କରି ଭକ୍ତିପୂତ ପ୍ରକାଶ କରିବା କେତେଦୂର ଗ୍ରହଣୀୟ ନିଜେହିଁ ବିଚାର କରି ଦେଖିବା କଥା । ଉଚ୍ଚ ସ୍ତରରେ ଯେଉଁ ସବୁ ଖେଳ ହୁଏ, ସାଧାରଣ ସାମାଜିକ ମଣିଷ ମାନେ ଯଦି ସେସବୁ ଏତେ ସହଜରେ ହୃଦୟଙ୍ଗମ କରି ପାରିଥା’ନ୍ତେ ହୁଏତ ସେମାନେ ମଧ୍ୟ ସେହି ସ୍ଥାନରେ ପହଂଚି ପାରିଥା’ନ୍ତେ ! କିନ୍ତୁ ଆଜିସମୟର ଆନ୍ତର୍ଦେଶୀୟ କୁଟ ନୀତି ସହିତ ଆର୍ଥିକ କାରବାର ବିଷୟରେ କିଂଚିତ ଜ୍ଞାନ ନଥିବା ସାଧାରଣ ମଣିଷ ଯେ ଏତେ ସହଜରେ ବୁଝି ପାରିବେ ଆନ୍ତର୍ଦେଶୀୟ ଖେଳକୁ ଏହା ହଜମ କରି ହେଉନାହିଁ । ସେହି ପୁରାଣ ଉପରେ ବିଶ୍ୱାସ ରଖି ସବୁ କଥାକୁ ସହଜରେ ଗ୍ରହଣ କରି ମାନି ନେଉଥିବା ସାଧାରଣ ମଣିଷ ମାନଙ୍କୁ କେମିତି ପ୍ରତାରିତ କରିହେବ ତାହାର ସଠିକ୍ ରାସ୍ତା ପାଇଥିବା ଲୋକଙ୍କୁ, ନିର୍ବୋଧ ଅନ୍ଧ ଭଳି ଭକ୍ତି କରି ନିଜେ ଏବଂ ଆସନ୍ତା ପିଢିଙ୍କୁ ରସାତଳଗାମୀ କରି ଚାଲିଥିବା ଏକ ଅତ୍ୟନ୍ତ ଦୁଖଦଃ ପରିସ୍ଥିତି ଦେଖିବାକୁ ମିଳୁଛି ଆଜି ସମୟରେ । ଯାହାଙ୍କୁ ଅନ୍ଧ ଭଳି ବିଶ୍ୱାସକୁ ନିଆଯାଉଛି ସେହି ମଣିଷଟି ପ୍ରଭୁ ରାମଚନ୍ଦ୍ରଙ୍କର ଚରିତ୍ର ପରିବର୍ତ୍ତେ ରାବଣର ଚରିତ୍ର ପ୍ରବାହ କରୁଥିବା ସତ୍ୱେ ମାୟା ଜାଲରେ ଛନ୍ଦି ହୋଇ ଅବିଶ୍ୱାସର ଚରମ ସୀମାରେ ରହିଥିବା ସାଙ୍ଘାତିକ ଅମାନବୀୟ ଚେହେରା ଗୁଡିକୁ ଆଜି ସମୟରେ ଭକ୍ତିପୂତ ପୂଜା କରାଯାଉଥିବା ଦେଖିବାକୁ ମିଳୁଛି ସର୍ବତ୍ର । ଅର୍ଥାତ ଆଜି ସମୟର ମଣିଷ ଗୁଡିକୁ ଅନ୍ଧ ଭଳି ଗ୍ରହଣ କରି ଭକ୍ତ ହେବା କେତେ ଶ୍ରେୟ ନିଜେହିଁ ବିଚାର କରି ସେମାନଙ୍କ ଛଳନାତ୍ମକ ଚେହେରା ଆଢୁଆଳରେ ଲୁଚି ରହିଥିବା ଅମାନବୀୟ, ଭ୍ରଷ୍ଟାଚାରୀ, କଳଙ୍କିତ ସମାଜ ଦ୍ରୋହି ଚେହେରାର ଅସଲ ରୁପକୁ ଉନ୍ମୋଚନ କରିବା ଦାଇତ୍ୱ ସର୍ବସାଧାରଣଙ୍କର ରହିଥିବା ବେଳେ ସାଧାରଣ ଲୋକେ ତାହାର ବିପରୀତେ କାର୍ଯ୍ୟ କରୁଥିବା ବୁଝି ପାରନ୍ତି ନାହିଁ । ଜିଜ୍ଞାସୁ ମନୋବଳ ପ୍ରୟୋଗ ନକରି ଆଜି ସମୟର ଉପର ଚିକ୍କଣ ଭିତର କଳୁଷିତ ଚେହେରା ଗୁଡିକ ପ୍ରତି ଅନ୍ଧ ଅନୁରାଗ କେତେଦୂର ଯଥାର୍ଥ ବିଚାରକରି ଦେଖିବା ସହିତ ସଂଶୟ ଥିଲେ ଆମ ସହିତ ସଂଯୋଜିତ ହେବାପାଇଁ ଅନୁରୋଧ ପୂର୍ବକ ରହିଲି…..! 

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଞ୍ଜାମ.

ଦୂରଭାଷ.: ୯୪୩୭୩୨୪୯୧୭.

Leave a Reply

Your email address will not be published. Required fields are marked *

Please Visit to http://www.specialopinion.in

Got it!
X
%d bloggers like this: